ସହଦେବ ସାହୁ
ଗଣତନ୍ତ୍ର ଗଣ ବା ଜନତାର ଶାସନ ବୋଲି କୁହାଯାଉଥିବା ବେଳେ ପ୍ରକୃତରେ ଜନତାର ପ୍ରତିନିଧିମାନେ ଶାସନ ଚଳାନ୍ତି। କିନ୍ତୁ ପ୍ରତିନିଧିତନ୍ତ୍ର ଶବ୍ଦ ବ୍ୟବହାର କରାଯାଏ ନାହିଁ। କିନ୍ତୁ ସଂଖ୍ୟାଗରିଷ୍ଠ ପ୍ରତିନିଧିମାନଙ୍କୁ ନେଇ ସମ୍ପୃକ୍ତ ରାଜନୈତିକ ଦଳ ଯଦି ବିରୋଧର ସ୍ବରକୁ ଦବାଇ ଶାସନ ଚଳାଏ ସେ ପ୍ରକାରର ଦଳୀୟ ଶାସନକୁ ଫାସିଷ୍ଟ ଶାସନ କରନ୍ତି – ଫାସିଜିମ୍ ହେଉଛି ଦଳତନ୍ତ୍ର। ଅନ୍ୟ ଅର୍ଥରେ ଦଳର ମୁଖ୍ୟ (ସୁପ୍ରିମୋ ହୁଅନ୍ତୁ କି ହାଇକମାଣ୍ଡ) ଶାସନ ଚଳାନ୍ତି। ଆମେ କହିହେଉଛୁ ଆମେରିକା ଯୁକ୍ତରାଷ୍ଟ୍ର, ବିଲାତ ତଥା ଆମ ଦେଶ ପ୍ରତିନିଧିମୂଳକ ଗଣତନ୍ତ୍ରର ଉଦାହରଣ। କିନ୍ତୁ ପ୍ରକୃତ ଚିତ୍ର କ’ଣ ଦେଖିବା ଆସନ୍ତୁ। ନିଜର ପ୍ରତିନିଧି ବାଛିବାର ଅଧିକାର ଲୋକଙ୍କ ହାତରୁ ଛଡ଼ାଇନିଆଯାଇଛି। ପ୍ରତ୍ୟେକ ଦଳ ବାଛୁଛି କିଏ ସେ ଦଳର ପ୍ରାର୍ଥୀ ହେବ, ଯେଉଁ ଦଳର ପ୍ରାର୍ଥୀର ଚିହ୍ନରେ ସର୍ବାଧିକ ମୋହର ବାଜିଥିବ, ସେ ହିଁ ଲୋକ ପ୍ରତିନିଧି ବୋଲାଇବ। ଭୋଟରଙ୍କ ଅଞ୍ଚଳର ବାସିନ୍ଦା ନ ହୋଇଥିଲେ ବି! ତେଣୁ ଭୁବନେଶ୍ୱରର ଲୋକ କନ୍ଧମାଳରେ, କି ନୟାଗଡରେ, କି କଳାହାଣ୍ଡିରେ ବିଧାନସଭାରେ ଲୋକ ପ୍ରତିନିଧି (ଏମ୍ଏଲ୍ଏ) ହୋଇପାରେ। କେରଳର ଲୋକ ଓଡ଼ିଶାରେ, ପଞ୍ଜାବର ଲୋକ ଆସାମରେ, ଦିଲ୍ଲୀର ଲୋକ କେରଳରେ, ଲୋକ ସଭା ପ୍ରାର୍ଥୀ ହୋଇପାରେ ଏବଂ ରାଜ୍ୟ ବିଧାନସଭା ଦ୍ୱାରା ରାଜ୍ୟ ସଭାର ସଦସ୍ୟ (ଏମ୍ପି) ନିର୍ବାଚିତ ହୋଇପାରେ, ତେଣୁ ସେଠାକାର ବାସିନ୍ଦା ନ ହୋଇ ବି ସେଠାକାର ସାଂସଦ କି ପ୍ରକାରର ଲୋକପ୍ରତିନିଧି ବୋଲାଇବ? ରାଜ୍ୟ ସଭାରେ ସମ୍ପୃକ୍ତ ରାଜ୍ୟର ଲୋକ ନ ହୋଇ ମଧ୍ୟ, ଅର୍ଥାତ୍ ଭାରତର ଯେ କୌଣସି କୋଣର ଲୋକ ଅନ୍ୟ ଯେ କୌଣସି ରାଜ୍ୟର ପ୍ରତିନିଧିତ୍ୱ କରିପାରେ। ଯେଉଁ ଲୋକଙ୍କ ଭିତରୁ ସେ ଆସିନାହିଁ, ଯେଉଁ ଲୋକେ ତାଙ୍କୁ କଦାଚିତ୍ ଦେଖିଛନ୍ତି ସେ ଯଦି ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବେ, ଲୋକଙ୍କ ଆଶା ଆକାଙ୍କ୍ଷା କ’ଣ ସେ କିପରି ଜାଣିବେ, ପୁଣି ତା’ ଉପରେ ବିଧାନସଭା ବା ସଂସଦରେ କି ପ୍ରକାରର ଆଲୋଚନା କରିବେ? ସେ ତ କେବଳ ଦଳ ଇଙ୍ଗିତରେ ଦେଶ ବା ରାଷ୍ଟ୍ର କଥା ଭାବିପାରିବେ, ରାଜ୍ୟର ସ୍ବାର୍ଥକୁ ଜଳାଞ୍ଜଳି ଦେଇପାରିବେ।
ମନେରଖିବା କଥା ଯେ, ଆମ ସମ୍ବିଧାନ-ପ୍ରଣେତାମାନେ ବିଲାତର ରାଜନୀତି-ପରମ୍ପରାକୁ ଅନୁକରଣ କରିନେଇଥିଲେ ବି ସମ୍ବିଧାନରେ ‘ରାଜନୈତିକ ଦଳ’ର ଉଲ୍ଲେଖ କରି ନ ଥିଲେ। କଂଗ୍ରେସ ଦଳ ହିଁ ‘ରାଜନୈତିକ ଦଳ’କୁ ସାମ୍ବିଧାନିକ ସ୍ବୀକୃତି ଦେଉଥିଲା। ସେହିଦିନଠୁ ଦଳଗତ ସରକାର ବା ଫାସିଷ୍ଟ ଶାସନର ବୀଜ ଆମ ଦେଶରେ ବପନ କରାଗଲା। ଯେଉଁ ବ୍ୟକ୍ତିକୁ ରାଜନୈତିକ ଦଳର ମୁଖ୍ୟ ସୁପାରିସ କରିବେ ତାଙ୍କୁ ହିଁ ନିର୍ବାଚନ ଅଧିକାରୀ ଦଳର ପ୍ରାର୍ଥୀ ରୂପେ ଗ୍ରହଣ କରିବେ। ନୋମିନେସନ୍ ଫର୍ମ ସାଙ୍ଗରେ ଦଳପତିଙ୍କ ଚିଠି ଥିଲେ ଜଣେ ପ୍ରସ୍ତାବକ ଯଥେଷ୍ଟ। ନିର୍ବାଚନ କମିଶନ ସ୍ବୀକାର କରି ନ ଥିବା ‘ଲୋକଙ୍କ ଗୋଷ୍ଠୀ’କୁ ରାଜନୈତିକ ଦଳ କୁହାଯିବ ନାହିଁ। ସେପରି ଗୋଷ୍ଠୀର ବା କୌଣସି ଦଳର ସମର୍ଥନ ନ ପାଇ ପ୍ରାର୍ଥୀ ହେଲେ ସ୍ବାଧୀନ ପ୍ରାର୍ଥୀ ଗଣାଯିବ, ତାଙ୍କ ନୋମିନେସନ୍ ଫର୍ମରେ ଅତିକମ୍ରେ ୧୦ଜଣ ଭୋଟର୍ ଦସ୍ତଖତ କରିବା ଆବଶ୍ୟକ। ସେତେ କଷ୍ଟ କଲେ ବି ନିର୍ଦ୍ଦଳୀୟ ପ୍ରାର୍ଥୀଟିଏ ନିର୍ବାଚିତ ହେବା ଅସମ୍ଭବ। ଲୋକଙ୍କ ଭୋଟରେ ଜିତିଥିବା ସାଂସଦ ବା ବିଧାୟକ ଯଦି ଦଳପତିଙ୍କ କଥା ମାନିବେ ନାହିଁ (ଅର୍ଥାତ୍ ଦଳର ହ୍ବିପ୍ ବା ଛାଟ ଅନୁଯାୟୀ ଭୋଟ ଦେବେ ନାହିଁ) ଦଳପତି ତାଙ୍କୁ ଦଳରୁ ତଡିଦେଇପାରିବେ ଓ ଗୃହର ବାଚସ୍ପତିଙ୍କୁ ତାହା ଜଣାଇଦେବେ। ହ୍ବିପ୍ ବିରୁଦ୍ଧରେ ଯାଇଛନ୍ତି ବୋଲି ପ୍ରମାଣ ପାଇଲେ ବାଚସ୍ପତି ଉକ୍ତ ସାଂସଦ ବା ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବେ। ଏହାର ଅର୍ଥ, ଭୋଟରମାନେ ଚୟନ କରିଥିବା ଲୋକଟିକୁ ଦଳ ବିତାଡିତ କରିପାରିବ। ଏ ପରିସ୍ଥିତିରେ ଲୋକର ସ୍ବାର୍ଥ ବା ଭୋଟରର ଭୂମିକା କିଏ ପଚାରୁଛି? ଦଳପତି ତ ନିଷ୍ପତ୍ତି ନେଉଛନ୍ତି କିଏ ପ୍ରାର୍ଥୀ ହେବ, ପୁଣି ସିଏ ଏମ୍ଏଲ୍ଏ ବା ଏମ୍ପି ପଦରେ ତିଷ୍ଠି ରହିପାରିବ କି ନାହିଁ ତାହା ଦଳପତି ଥୟ କରିବେ: ଏ କି ପ୍ରକାରର ଲୋକ-ପ୍ରତିନିଧି!
୧୯୫୬ର ରିପ୍ରେଜେଣ୍ଟେସନ ଅଫ୍ ପିପୁଲସ୍ ଆକ୍ଟରେ ପଲିଟିକାଲ୍ ପାର୍ଟି ଶବ୍ଦ ବ୍ୟବହାର ହୋଇ ନ ଥିଲା। ୧୯୯୬ର ଆକ୍ଟ ସଂଖ୍ୟା୨୧ ସ୍ପଷ୍ଟ କରିଦେଲା ଯେ ପ୍ରାର୍ଥୀଟି କୌଣସି ସ୍ବୀକୃତିପ୍ରାପ୍ତ ଦଳର ନ ହୋଇଥିଲେ, ତା’ ନିର୍ବାଚନମଣ୍ଡଳୀର ୧୦ ଜଣ ଭୋଟରଙ୍କୁ ଯୋଗାଡ଼ କରିବାକୁ ପଡ଼ିବ ପ୍ରସ୍ତାବକ ହେବାକୁ। ଅର୍ଥାତ୍ ସେ ନିଜ ବାସସ୍ଥଳୀର ନିର୍ବାଚନମଣ୍ଡଳୀରୁ ହିଁ ପ୍ରାର୍ଥୀ ହୋଇପାରିବ। କିନ୍ତୁ ୧୯୮୯ ଜୁନ୍ ୧୫ରେ ପାର୍ଟ ୪ଏ -ରେଜିଷ୍ଟ୍ର୍ର୍ରେସନ୍ ଅଫ ପଲିଟିକାଲ୍ ପାର୍ଟିଜ୍- ନାମରେ ଏକ ଅଧ୍ୟାୟ ରିପ୍ରେଜେଣ୍ଟେସନ୍ ଅଫ୍ ପିପୁଲସ୍ ଆକ୍ଟରେ ଯୋଡ଼ାଗଲା, ସେକ୍ସନ୍ ୨୯ଏ ଅନୁଯାୟୀ ନିଜକୁ ପଲିଟିକାଲ୍ ପାର୍ଟି ବୋଲାଉଥିବା ସଂଗଠନ ବା ନାଗରିକମାନଙ୍କ ଯେକୌଣସି ସଂଗଠନ ରାଜନୈତିକ ପାର୍ଟି ହିସାବରେ ଇଲେକ୍ସନ କମିଶନଙ୍କ ନିକଟରେ ରେଜଷ୍ଟ୍ରି କରିବେ। ୨୦୦୩ର ଆକ୍ଟ ନମ୍ବର ୪୬ ଏହି ଲୋକପ୍ରତିନିଧି ଆଇନରେ ଗୋଟିଏ ସେକ୍ସନ ‘୨୯ବି’ ଭର୍ତ୍ତି କଲା, ଯାହା ଫଳରେ ପ୍ରତି ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳ ସାଧାରଣ ଲୋକଙ୍କଠାରୁ ଓ ବେସରକାରୀ କମ୍ପାନୀଙ୍କଠାରୁ ଚାନ୍ଦା ନେଇପାରିବେ।
୪ ବର୍ଷ ଆଗରୁ ୧୯୮୫ରେ ଆଣ୍ଟିଡିଫେକ୍ସନ୍ ଆକ୍ଟ (ଦଳ ବଦଳ ନିରୋଧ ଆଇନ) ପାରିତ ହୋଇଥିଲେ ବି ତାକୁ ସାମ୍ବିଧାନିକ ସ୍ବୀକୃତି ମିଳି ନ ଥିଲା। ସମ୍ବିଧାନ ୫୨ତମ ସଂଶୋଧନ ଆଇନ ସମ୍ବିଧାନରେ ୧୦ମ ସ୍କିଡୁଲ୍ ଯୋଡ଼ିଦେଲା, ତହିଁରେ ଆର୍ଟିକ୍ଲ ୧୦୨(୨) ଓ ୧୯୧(୨) କହେ ଯେ ସାଂସଦ ଓ ବିଧାୟକ ପଦ ରକ୍ଷା କରିବାକୁ ହେଲେ ରାଜନୈତିକ ଦଳ ପ୍ରତିନିଧିଙ୍କୁ ଦଳରୁ ବିତାଡ଼ିତ କରିବା କଥା ନୁହେଁ। ଏ ଏକ ନୂଆ ଅଯୋଗ୍ୟତା ସର୍ତ୍ତ। ଦଳପତିଙ୍କ କଥାରେ ନ ଚାଲିଲେ ବିଧାୟକ ବା ସାଂସଦ ପଦ ଚାଲିଯାଇପାରେ, ‘ଲୋକପ୍ରତିନିଧି’ ଶବ୍ଦରୁ ‘ଲୋକ’ ଉଡ଼ିଗଲା। ୧୯୮୫ ମାର୍ଚ୍ଚରୁ ‘ଲୋକ’ପ୍ରତିନିଧି ଆଇନଟା ବସ୍ତୁତଃ ‘ରାଜନୈତିକ ଦଳ’ ପ୍ରତିନିଧି ଆଇନ ହୋଇଗଲା। ୧୦ମ ସ୍କିଡୁଲ୍ଟା ସମ୍ବିଧାନ ଭିତରେ ଏକ ସମ୍ବିଧାନ (ମା’ କଙ୍ଗାରୁ ପେଟରେ ପିଲା କଙ୍ଗାରୁ ରହିଲା ଭଳି) ହୋଇରହିଲା। ସମ୍ବିଧାନର ବ୍ୟାଖ୍ୟା ଉପଧାରା (ଇଣ୍ଟର୍ପ୍ରିଟେସନ୍ କ୍ଲଜ୍) ଯଥେଷ୍ଟ ବୋଲି ମନେକରାଗଲା ନାହିଁ, ୧୦ମ ସ୍କିଡୁଲରେ ଏକ ସ୍ବତନ୍ତ୍ର ବ୍ୟାଖ୍ୟା ଉପଧାରା ବି ରହିଲା। ଲୋକ ପ୍ରତିନିଧି ଆଇନକୁ ୨୦୦୩ର ଆକ୍ଟ ୪୦ ଦ୍ୱାରା ସଂଶୋଧିତ କରାଗଲା, ଲୋକ ସଭା ବା ରାଜ୍ୟ ସଭା ପାଇଁ ପ୍ରାର୍ଥୀର ବାସସ୍ଥାନ ‘ରାଜ୍ୟ ବା ୟୁନିୟନ୍ ଟେରିଟୋରୀରେ’ ହେବାର ଆବଶ୍ୟକତା ରହିଲା ନାହିଁ, ‘ଭାରତରେ’ ହୋଇଗଲା। ରାଜ୍ୟର ବିଧାନସଭା ପାଇଁ ପ୍ରାର୍ଥୀ ସମ୍ପୃକ୍ତ ନିର୍ବାଚନମଣ୍ଡଳୀର ବାସିନ୍ଦା ହେବା ଦରକାର ନାହିଁ, ସେ ରାଜ୍ୟର ଯେ କୌଣସି ନିର୍ବାଚନମଣ୍ଡଳୀର ଭୋଟର୍ ହୋଇଥାଇପାରେ। ଲୋକ ସଭା ବା ରାଜ୍ୟ ସଭାର ସଦସ୍ୟ ହେବାଲାଗି ସମ୍ପୃକ୍ତ ରାଜ୍ୟର ଅଧିବାସୀ ହେବା ଦରକାର ନାହିଁ। ତେଣୁ ରାଜ୍ୟର ବାସିନ୍ଦା ନ ହୋଇ ମଧ୍ୟ ଆଗରୁ ପୁଞ୍ଜ ଓ ଏବେ ବୈଷ୍ଣବ ରାଜ୍ୟ ସଭାରେ ଓଡ଼ିଶାର ପ୍ରତିନିଧି!
ନିର୍ବାଚନ କାହିଁକି ହୁଏ? ଗଣତନ୍ତ୍ରରେ ନିର୍ବାଚିତ ବ୍ୟକ୍ତି ଲୋକଙ୍କ ପାଖରେ ଉତ୍ତରଦାୟୀ, ସେ ଲୋକଙ୍କ ନିକଟକୁ ଯାଇ ଆଉ ଥରେ ପ୍ରତିନିଧିତ୍ୱ କରିବାକୁ ମାଣ୍ଡେଟ୍ (ଆଦେଶ) ମାଗେ, ଜନାଦେଶ ନ ପାଇଲେ ସେ ବିଧାୟକ ବା ସାଂସଦ ପଦବୀରେ ରହିପାରିବେ ନାହିଁ। ସେଇଥିପାଇଁ ତ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ନିର୍ବାଚନ ହୋଇଥାଏ। ମୋଟ ଆସନର ଅଧାରୁ ବେଶି ଆସନ ହାସଲ କରିଥିବା ଦଳର ନେତା ଦେଶର ଶାସନଭାର ସମ୍ଭାଳେ। ତେଣୁ ଦଳର ନେତା ତାଙ୍କ ନିର୍ବାଚନମଣ୍ଡଳୀଟିକୁ ନିଜ ଆୟତ୍ତରେ ରଖିବା ଲାଗି ସେଠାକାର ଲୋକଙ୍କୁ ଖୁସି କରି ରଖୁଥିଲେ। ପରିବର୍ତ୍ତିତ ଆଇନ ଅନୁଯାୟୀ ଦଳର ନେତା ବିଧାନସଭା ପାଇଁ ରାଜ୍ୟର ଯେ କୌଣସି ନିର୍ବାଚନମଣ୍ଡଳୀରୁ, ସଂସଦ ପାଇଁ ଦେଶର ଯେ କୌଣସି ସାଂସଦୀୟ ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇପାରିବେ। ଲୋକଙ୍କ ପସନ୍ଦ ଦରକାର ନାହିଁ, ଯେଉଁ ନିର୍ବାଚନମଣ୍ଡଳୀରେ ତାଙ୍କ ଦଳର ସମର୍ଥକଙ୍କ ସଂଖ୍ୟା ବେଶି ଥିବ ବୋଲି ଭାବିବେ ସେଠି ପ୍ରାର୍ଥୀ ହେବେ। ‘ଦି ଜଙ୍ଗଲ୍ ବୁକ୍’ର ଲେଖକ କିପ୍ଲିଙ୍ଗ୍ଙ୍କ ଭାଷାରେ ଦଳଗତ ଶାସନ କେବଳ ‘ଜଙ୍ଗଲ ଆଇନ’ ଅନୁସରଣ କରେ। ଗଧିଆ ଦଳରେ ମୁଖ୍ୟ ଜନ୍ତୁଟି – ଆଲ୍ଫା ମେଲ୍ ବା ଆଲ୍ଫା ଫିମେଲ୍ – ଅଧୀନରେ ସବୁ ଗଧିଆ କାମ କରନ୍ତି, ସବୁ ଗଧିଆ ମୁଖ୍ୟ ଗଧିଆର ଇଙ୍ଗିତରେ ଚାଲନ୍ତି, ମୁଖ୍ୟ ଗଧିଆର କାରବାର ଦଳର ନୈତିକତା ତିଆରି କରେ। ମଣିଷ ସମାଜରେ କିପ୍ଲିଙ୍ଗ୍ଙ୍କ ଉଲ୍ଲିଖିତ ଜଙ୍ଗଲ ଆଇନ କାମ କରୁଛି: ଦଳ ଲୋକଙ୍କଠାରୁ ଊର୍ଦ୍ଧ୍ୱରେ ଓ ଦଳପତି ଦଳଠାରୁ ଊର୍ଦ୍ଧ୍ୱରେ, ତେଣୁ ଦଳପତି ଦେଶର ହର୍ତ୍ତାକର୍ତ୍ତା।
ମନେପକାନ୍ତୁ, ସୁଇଜରଲାଣ୍ଡ ଭଳି ଗଣତନ୍ତ୍ରରେ ଲୋକେ ଚାହିଁଲେ ତାଙ୍କ ପ୍ରତିନିଧିଙ୍କୁ ରିକଲ୍ କରିପାରନ୍ତି, ପ୍ରତ୍ୟାହାର ବା ରିକଲ୍ ହୋଇଥିବା ବ୍ୟକ୍ତି ଆଉଥରେ ନିର୍ବାଚନ ରଣାଙ୍ଗନରେ ଉଭା ହୋଇପାରେ। କିନ୍ତୁ ଆମ ଦେଶରେ ଲୋକେ ନୁହେଁ, ଦଳପତି ହିଁ ପ୍ରତିନିଧିକୁ ପ୍ରତ୍ୟାହାର କରିପାରିବେ, ଦଳରୁ ତଡ଼ା ଖାଇଲେ ରାଜନୈତିକ ମୃତ୍ୟୁ ଘଟେ, ଦଳପତି ତ ସମ୍ପୃକ୍ତ ବ୍ୟକ୍ତିଙ୍କ ନାଁ ଆଉ ସୁପାରିସ୍ କରିବେ ନାହିଁ ସେ ପ୍ରାର୍ଥୀ ହେବ କିପରି? ତେଣୁ ବିଧାୟକ ବା ସାଂସଦ ନିର୍ବାଚନମଣ୍ଡଳୀର ଲୋକଙ୍କୁ ନୁହେଁ, ଦଳର ମୁଖ୍ୟଙ୍କୁ ତୋଷାମଦ କରି, ପ୍ରାର୍ଥନା କରି, ସନ୍ତୁଷ୍ଟ କରିବ। ଦଳକୁ ପୂରାପୂରି ନିୟନ୍ତ୍ରଣ କରିରଖିଥିଲେ ବୋଲି ଇନ୍ଦିରା ଗାନ୍ଧୀ ୧୯୭୫ରୁ ୧୯୭୭ ଯାଏ ୧୯ ମାସର ଜରୁରୀ ପରିସ୍ଥିତି ଜାରି କରିପାରିଲେ, ପ୍ରେସିଡେଣ୍ଟ ଫଖୃଦ୍ଦିନ୍ ଅଲି ଅହମ୍ମଦ ବି ରାଜି ହୋଇବାକୁ ବାଧ୍ୟ ଥିଲେ, କାରଣ ଗାନ୍ଧୀଙ୍କ ପରିଚାଳିତ ସାଂସଦମାନେ ସମ୍ବିଧାନ ସଂଶୋଧନ କରି ମନ୍ତ୍ରିମଣ୍ଡଳର ସୁପାରିସ୍କୁ ରାଷ୍ଟ୍ରପତି ଗ୍ରହଣ କରିବାକୁ ବାଧ୍ୟ ବୋଲି ସମ୍ବିଧାନରେ ଲେଖାଇନେଇଥିଲେ। ଏପରି କଥା ଘଟିଲା ଯେତେବେଳେ ଏମ୍ପିମାନେ ଲୋକପ୍ରତିନିଧି ଥିଲେ, କିନ୍ତୁ ଏବେ ତ ସେମାନେ ଦଳ-ପ୍ରତିନିଧି। ଆମ ଦେଶ ଫାସିଷ୍ଟ ଷ୍ଟେଟ୍ର ବହୁତ ପାଖାପାଖି। ଗୋଡ଼ାଣିଆ ସଂଖ୍ୟାଗରିଷ୍ଠତା ଥିଲେ ଶକ୍ତିଶାଳୀ ନେତାଙ୍କ ହେର୍ଫେର୍ ଫଳରେ ଆଭ୍ୟନ୍ତରୀଣ ବିଶୃଙ୍ଖଳା (ଇଣ୍ଟରନାଲ୍ ଡିଷ୍ଟର୍ବାନ୍ସ) ସୃଷ୍ଟି ହୋଇପାରେ, ଆର୍ଟିକ୍ଲ ୩୫୨ ଅଧୀନରେ ଜରୁରୀ ପରିସ୍ଥିତି ଘୋଷଣା କରିବା ଲାଗି ତାକୁ କାରଣ ଦର୍ଶାଇବା ସମ୍ଭବ।
sahadevas@yahoo.com