ଭାରତରେ ବୃଦ୍ଧି ପାଉଛି ଗଣତନ୍ତ୍ର, ଚାଇନା-ପାକିସ୍ତାନରେ ଏକଛତ୍ରବାଦ…

ଜେନେଭା,୧୮।୨ : ଗଣତନ୍ତ୍ର ସୂଚକାଙ୍କରେ ବ୍ୟାପକ ହ୍ରାସ ଘଟି ପାକିସ୍ତାନ ଏକଛତ୍ରବାଦୀ ଶାସନ ଦେଶ ବର୍ଗରେ ପହଞ୍ଚିଥିବାବେଳେ ଚାଇନା ଆହୁରି ପଛରେ ରହିଛି। ୧୬୭ ଟି ଦେଶ ତାଲିକାରେ ୪୧ ତମ ମାନ୍ୟତା ପାଇ ତ୍ରୁଟିପୂର୍ଣ୍ଣ ଗଣତାନ୍ତ୍ରିକ ଦେଶ ବର୍ଗରେ ଭାରତ ଅନ୍ତର୍ଭୁକ୍ତ ହୋଇଛି।

ବ୍ରିଟିଶ ଖବରକାଗଜ ଦ ଇକୋନୋମିଷ୍ଟର ଅନୁସନ୍ଧାନକାରୀ ସଂସ୍ଥା ଇକୋନୋମିକ ଇଣ୍ଟେଲିଜେନ୍ସ ବିଶ୍ୱର ଗଣତନ୍ତ୍ର ଉପରେ ବାର୍ଷିକ ରିପୋର୍ଟ ଡେମୋକ୍ରାସି ଇଣ୍ଡେକ୍ସ ଉପସ୍ଥାପନ କରିଛି। ରିପୋର୍ଟରେ କୁହାଯାଇଛି ୨୦୦୬ ମସିହାରେ ଏହି ରିପୋର୍ଟ ପ୍ରସ୍ତୁତ ହେବା ପରଠାରୁ ବିଶ୍ୱ ସ୍ତରରେ ଗଣତନ୍ତ୍ର ସର୍ବନିମ୍ନ ସ୍ତରରେ ରହିଛି।

ରିପୋର୍ଟରେ ଦର୍ଶାଯାଇଛି ଯେ ବିଶ୍ୱର ଜନସଂଖ୍ୟାର ମାତ୍ର ୮ ପ୍ରତିଶତ ସେହି ଦେଶରେ ବାସ କରନ୍ତି ଯେଉଁଠାରେ ସମ୍ପୂର୍ଣ୍ଣ ଗଣତନ୍ତ୍ର ଅଛି। ଯେତେବେଳେ କି, ୪୦ ପ୍ରତିଶତ ଜନସଂଖ୍ୟା ଏକଛତ୍ରବାଦୀ ଶାସନ ଅଧୀନରେ ଥିବା ଦେଶରେ ବାସ କରୁଛନ୍ତି। ରିପୋର୍ଟରେ, ଦେଶଗୁଡିକ ସମ୍ପୂର୍ଣ୍ଣ ଗଣତନ୍ତ୍ର, ତ୍ରୁଟି ଯୁକ୍ତ ଗଣତନ୍ତ୍ର, ଏକଛତ୍ରବାଦୀ ଶାସନ ଏବଂ ହାଇବ୍ରିଡ ଗଣତନ୍ତ୍ର ଆଦି ଚାରୋଟି ଶ୍ରେଣୀରେ ବିଭକ୍ତ କରାଯାଇଛି।

୨୦୨୨ ତୁଳନାରେ ପାକିସ୍ତାନ ଗଣତନ୍ତ୍ର ସୂଚକାଙ୍କ ମାନ୍ୟତାରେ ୧୧ ସ୍ଥାନକୁ ୧୧୮ ତମ ସ୍ଥାନକୁ ଖସି ଆସିଛି। ନିଜକୁ ବିଶ୍ୱର ପଞ୍ଚମ ବୃହତ୍ତମ ଗଣତନ୍ତ୍ର ବୋଲି କହୁଥିବା ପାକିସ୍ତାନର ସ୍କୋର ୩.୨୫ ରହିଛି ଯାହା ଏକଛତ୍ରବାଦୀ ଶାସନ ବର୍ଗରେ ରହିଛି। ଏଥି ସହିତ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷମତାକୁ ଆସିବା ପରଠାରୁ ଗଣତନ୍ତ୍ର କ୍ଷେତ୍ରରେ ୨୦୧୯ ଠାରୁ ଭାରତର ସ୍କୋର କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହି ତାଲିକାରେ ନରୱେ ଶୀର୍ଷରେ ରହିଛି। ଏହା ପରେ ନ୍ୟୁଜିଲାଣ୍ଡ, ଆଇସଲାଣ୍ଡ ଏବଂ ସ୍ବିଡେନ ରହିଛନ୍ତି।

Share