Categories: ଜାତୀୟ

‘ଭବନ ନୁହେଁ, ଲୋକଙ୍କ ଦ୍ୱାରା ଗଣତନ୍ତ୍ର ଚାଲେ’

ନୂଆଦିଲ୍ଲୀ, ୨୯ା୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ନୂତନ ପାର୍ଲାମେଣ୍ଟ ଭବନ ଉଦ୍‌ଘାଟନ ଉତ୍ସବକୁ କଂଗ୍ରେସ ସମେତ ୨୧ ବିରୋଧୀ ଦଳ ବର୍ଜନ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଉଦ୍‌ଘାଟନରୁ ବାଦ୍‌ ଦିଆଯିବା ଘଟଣାରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି। ଭବନ ଦ୍ୱାରା ନୁହେଁ, ବରଂ ଲୋକମାନଙ୍କ ଦ୍ୱାରା ଗଣତନ୍ତ୍ର ଚାଲିଥାଏ ବୋଲି ସେ କହିଛନ୍ତି। ରାଷ୍ଟ୍ରପତିଙ୍କଠାରୁ ନୂଆ ପାର୍ଲାମେଣ୍ଟ ଭବନ ଉଦ୍‌ଘାଟନ ଅଧିକାର ଛଡ଼ାଇ ନିଆଗଲା ବୋଲି ଖାର୍ଗେ ଟୁଇଟ୍‌ କରିଛନ୍ତି।
ଉଦ୍‌ଘାଟନକୁ ମୋଦି ରାଜ୍ୟାଭିଷେକ ବିବେଚନା କରୁଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି। ପାର୍ଲାମେଣ୍ଟ ଜନସାଧାରଣଙ୍କ ସ୍ବର ବୋଲି ସେ କହିଛନ୍ତି। ଏକଚ୍ଛତ୍ରବାଦୀ ପ୍ରଧାନମନ୍ତ୍ରୀ ସଂସଦୀୟ ପ୍ରକ୍ରିୟାକୁ ଘୃଣା କରିଥାନ୍ତି ବୋଲି କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ଅଭିଯୋଗ କରିବା ସହ ରାଷ୍ଟ୍ରପତି ମୁର୍ମୁଙ୍କୁ ଉଦ୍‌ଘାଟନ ଉତ୍ସବକୁ ଡକା ନ ଯିବା ନେଇ ଭାଜପାକୁ ସମାଲୋଚନା କରିଛନ୍ତି। ପାର୍ଲାମେଣ୍ଟ ଭବନ ଉଦ୍‌ଘାଟନରେ ବିଭିନ୍ନ ରୀତିନୀତି ସମ୍ପନ୍ନ ହେବାରୁ ଯାହା ଜଣାପଡ଼ୁଛି, ଦେଶ ବହୁ ଦଶନ୍ଧି ପଛକୁ ଫେରାଇ ନିଆଯାଇଛି ବୋଲି ଏନ୍‌ସିପି ଅଧ୍ୟକ୍ଷ ଶରଦ ପାଓ୍ବାର କହିଛନ୍ତି। ସେହିପରି ବାମଦଳଗୁଡ଼ିକ ଉଦ୍‌ଘାଟନ ଉତ୍ସବକୁ ରାଜ୍ୟାଭିଷେକ ସହ ତୁଳନା କରିଛନ୍ତି। ଏହା ଦ୍ୱାରା ଦେଶର ଜନସାଧାରଣଙ୍କୁ ପ୍ରଜା ଭାବେ ପଦାବନତ କରାଯାଇଥିବା ସିପିଆଇ(ଏମ୍‌) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ କହିଛନ୍ତି। ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ବିରୋଧୀ ଦଳ ଅନୁପସ୍ଥିତିରେ ନୂଆ ଭାରତ ଘୋଷଣା କରାଯାଇଛି। ନୂଆ ଭାରତ ରାଜା ଓ ପ୍ରଜାର ଭାରତ ବୋଲି ୟେଚୁରୀ କହିଛନ୍ତି।

Share