Categories: ଜାତୀୟ

‘ଗଣତନ୍ତ୍ରର ହତ୍ୟା ହେବାକୁ ଦିଆଯିବ ନାହିଁ’

ନୂଆଦିଲ୍ଲୀ,୬।୨: ଚଣ୍ଡିଗଡ଼ ମେୟର ନିର୍ବାଚନ ବିବାଦ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ମେୟର ନିର୍ବାଚନର ବାଲଟ ପେପର, ଭିଡିଓଗ୍ରାଫି ସମେତ ସମ୍ପୂର୍ଣ୍ଣ ନିର୍ବାଚନ ପ୍ରକ୍ରିୟାର ରେକର୍ଡ ମଗାଇଛନ୍ତି। ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କ ରେଜିଷ୍ଟ୍ରାର ଜେନେରାଲଙ୍କ ଜରିଆରେ ସେଗୁଡ଼ିକୁ ଦାଖଲ କରିବା ପାଇଁ କୁହାଯାଇଛି। ୭ ତାରିଖରେ ଚଣ୍ଡିଗଡ଼ ମ୍ୟୁନିସିପାଲ କର୍ପୋରେଶନର ପ୍ରଥମ ବୈଠକ ହେବାକୁ ଥିବାବେଳେ ଅଦାଲତ ଏହାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ପୌର ନିଗମରେ ଏଏପି-କଂଗ୍ରେସ ମେଣ୍ଟର ୨୦ କାଉନସିଲର ଥିବାବେଳେ ୧୬ ଖଣ୍ଡ ଭୋଟ ପାଇଥିବା ଭାଜପା ପ୍ରାର୍ଥୀ ମନୋଜ ସୋଙ୍କରଙ୍କୁ ବିଜୟୀ ଘୋଷଣା କରାଯାଇଥିଲା। ମୋଟ ୩୬ ଭୋଟ ପଡ଼ିଥିବାବେଳେ ସେଥିରୁ ୮ଟି ଭୋଟକୁ ନିର୍ବାଚନ କର୍ତ୍ତୃପକ୍ଷ ନାକଚ କରିଦେଇଥିଲେ। ଏଏପି-କଂଗ୍ରେସ ମେଣ୍ଟ ପ୍ରାର୍ଥୀ କୁଲଦୀପ ସିଂ ୧୨ ଖଣ୍ଡ ଭୋଟ ପାଇ ହାରିଯାଇଥିଲେ। ରିଟର୍ନିଂ ଅଫିସର ମେଣ୍ଟର ୮ଟି ଭୋଟକୁ ନାକଚ କରିଥିବାରୁ ଏହାକୁ ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇ ସାନି ନିର୍ବାଚନ ଦାବି କରାଯାଇଥିଲା। ହାଇକୋର୍ଟ ଏହା ଉପରେ କୌଣସି ପଦକ୍ଷେପ ନେବାକୁ ମନା କରିଦେବା ପରେ ଏଏପି କାଉନସିଲର କୁଲଦୀପ ସିଂ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।
ରିଟର୍ନିଂ ଅଫିସର (ଆର୍‌ଓ) ବାଲଟଗୁଡ଼ିକୁ ବିକୃତ କରିଥାଇପାରନ୍ତି, ତେଣୁ ତାହାର ତଦନ୍ତ ହେବା ଆବଶ୍ୟକ ବୋଲି ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି। ଏହା ଗଣତନ୍ତ୍ରର ଉପହାସ। ଆର୍‌ଓ ଗଣତନ୍ତ୍ରର ହତ୍ୟା କରିଛନ୍ତି। ସେ ଯାହା କରିଛନ୍ତି, ସେଥିରେ ଆମେ ସ୍ତବ୍ଧ। ଏହା କ’ଣ ନିର୍ବାଚନ ପରିଚାଳନାର ମାର୍ଗ କି ବୋଲି ସିଜେଆଇ ପ୍ରଶ୍ନ କରିଛନ୍ତି। ବାଲଟ ତଳଭାଗରେ ଛକି ଚିହ୍ନ ଥିବା ଦେଖି ସେହି ସମୟରେ ଆର୍‌ଓ ବାଲଟଗୁଡ଼ିକୁ ବିକୃତ କରିଥିବେ। ଆମେ ଗଣତନ୍ତ୍ରକୁ ଏଭଳି ଭାବରେ ମାରିଦେବାକୁ ଦେବୁ ନାହିଁ। ଦେଶରେ ଏକମାତ୍ର ଦୃଢ଼ ଶକ୍ତି ହେଲା ଗଣତନ୍ତ୍ରର ସ୍ବଚ୍ଛତା ବୋଲି ସିଜେଆଇ କହିଛନ୍ତି। ଖଣ୍ଡପୀଠରେ ସିିଜେଆଇଙ୍କ ସମେତ ଜଷ୍ଟିସ୍‌ ଜେ.ବି. ପର୍‌ଡିଓ୍ବାଲା ଏବଂ ମନୋଜ ମିଶ୍ରା ରହିଛନ୍ତି।
ମେୟର ନିର୍ବାଚନରେ ଜାଲିଆତି ହୋଇଥିବା ଏଏପି ଏବଂ କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଥିଲା। ନିର୍ବାଚନକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଏଏପି ଆବାହକ ଅରବିନ୍ଦ କେଜ୍‌ରିଓ୍ବାଲ ଅସାମ୍ବିଧାନିକ ଓ ବେଆଇନ କହିବା ସହ ଏଭଳି କାର୍ଯ୍ୟକୁ ଦେଶଦ୍ରୋହ କହିଥିଲେ। ନିର୍ବାଚନକୁ ଭାଜପା ଲୁଟ୍‌ କରୁଥିବା ସେ ଅଭିଯୋଗ କରିଥିଲେ। ମେୟର ନିର୍ବାଚନରେ ବିବାଦକୁ ନେଇ ସମାଲୋଚନା ଜୋର୍‌ ଧରିବା ସହ ଦିଲ୍ଲୀରେ ଉଭୟ ଗୋଷ୍ଠୀ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

Share