ବିରୋଧ ସତ୍ତ୍ୱେ ଦିଘି ଗ୍ରାମରେ ଉଚ୍ଛେଦ

ତାଳଚେର,୮।୬(ନି.ପ୍ର.) – ତାଳଚେର ବ୍ଲକ ଦିଘି ଗ୍ରାମଦେଇ ଫ୍ଲାଏ ଓଭର ବ୍ରିଜ ଯିବାକୁ ଥିବାରୁ ମଙ୍ଗଳବାର ସେଠାରେ ଉଚ୍ଛେଦ କାର୍ଯ୍ୟ କରାଯାଇଛି। ସକାଳେ ତାଳଚେର ପ୍ରଶାସନ ଗ୍ରାମରେ ପହଞ୍ଚିବା ପରେ ଗ୍ରାମବାସୀଙ୍କ ଉଚ୍ଛେଦ ନ କରିବାକୁ ଅନୁରୋଧ କରିଥିଲେ। କିନ୍ତୁ ପ୍ରଶାସନ ପୋଲିସ ବାହିନୀ ଉପସ୍ଥିତିରେ ଉଚ୍ଛେଦ ପ୍ରକିୟା ଆରମ୍ଭ କରିବାରୁ ଏହାକୁ ଗ୍ରାମବାସୀ ତୀବ୍ର ବିରୋଧ କରିଥିଲେ। ଫଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସ ୧୪ ଗ୍ରାମବାସୀଙ୍କୁ ଗିରଫ ପରେ କୋର୍ଟଚାଲାଣ କରିଥିଲା। ଏହି ଉଚ୍ଛେଦ ପ୍ରକିୟା ସମୟରେ ତାଳଚେର ଏସ୍‌ଡିପିଓ ଏସ. ସ୍ବାତୀ କୁମାରୀ, ଉପଜିଲାପାଳ ବିଶ୍ୱରଞ୍ଜନ ରଥ, ତହସିଲଦାର ମନ୍ମଥ ନାୟକ, ବିଭିନ୍ନ ଥାନାର ଅଧିକାରୀ ଓ ବ୍ୟାପକ ପୋଲିସ ଫୋର୍ସ ଉପସ୍ଥିତ ଥିଲେ।
ପ୍ରକାଶ ଯେ, ରାଜ୍ୟ ସରକାର ଓ ପୂର୍ବତଟ ରେଲଓ୍ବେର ମିଳିତ ସହଯୋଗରେ ତାଳଚେର ଥର୍ମାଲ ନିକଟ ତଥା ଦିଘି ଗ୍ରାମ ନେଇ ଫ୍ଲାଏ ଓଭର ବ୍ରିଜ ନିର୍ମାଣ କରାଯାଉଛି। ଏହି ପ୍ରସଙ୍ଗରେ ଗ୍ରାମବାସୀଙ୍କ ସହ ପ୍ରଶାସନର ବହୁବାର ଆଲୋଚନା ହୋଇସାରିଛି। ତେବେ ସରକାରୀ ନିୟମ ଅନୁଯାୟୀ କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କୁ ବଜାର ମୂଲ୍ୟର ୪ ଗୁଣା ଅନୁସାରେ କ୍ଷତିପୂରଣ ପ୍ରଦାନ, ନିଯୁକ୍ତି ଓ ଥଇଥାନ କରିବାକୁ ଗ୍ରାମବାସୀ ଅଡ଼ି ବସିଥିଲେ। ଉତ୍ତରାଞ୍ଚଳ ରାଜସ୍ବ କମିଶନରଙ୍କ କାର୍ଯ୍ୟାଳୟ ତରଫରୁ ଅନୁଗୋଳ ଜିଲାପାଳଙ୍କୁ ଗତ ୪ ଏପ୍ରିଲରେ ଏକ ପତ୍ର ଲେଖାଯାଇ ଗ୍ରାମବାସୀଙ୍କ ଦାବି ଉପରେ ଧ୍ୟାନ ଦେବାକୁ କୁହାଯାଇଥିଲା। ଏହାସତ୍ତ୍ୱେ ପୂର୍ବ ସୂଚନା ନ ଦେଇ ଗ୍ରାମବାସୀଙ୍କୁ ଉକ୍ତ ସ୍ଥାନରୁ ଉଚ୍ଛେଦ କରାଯାଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଉପଜିଲାପାଳ କହିଛନ୍ତି, ଏହା କୌଣସି ଉଚ୍ଛେଦ ପ୍ରକ୍ରିୟା ନୁହେଁ। ୨୦୧୫ରୁ ଏଥିପାଇଁ ଜମି ଅଧିଗ୍ରହଣ ହୋଇସାରିଛି। ୧୦ କ୍ଷତିଗ୍ରସ୍ତ ପରିବାର ମଧ୍ୟରୁ ୬ ପରିବାର ଟଙ୍କା ନେଇ ସାରିଥିବାବେଳେ ୪ ପରିବାର ଟଙ୍କା ନେଉନାହାନ୍ତି। ସେମାନଙ୍କ ଟଙ୍କା ବ୍ୟାଙ୍କରେ ଜମା ରହିଛି। ଗ୍ରାମବାସୀ ଅଧିକ କ୍ଷତିପୂରଣ ଦାବି କରିଥିଲେ। ପୋଲିସ ୧୪ ଜଣଙ୍କୁ ଅଟକ ରଖିଥିଲା। କୋର୍ଟ ନିର୍ଦ୍ଦେଶ ଦେଲେ ଅଧିକ କ୍ଷତିପୂରଣ ଦିଆଯିବାରେ ଅସୁବିଧା ନାହିଁ ବୋଲି ଉପଜିଲାପାଳ ରଥ ପ୍ରକାଶ କରିଛନ୍ତି।