ବାଂଲାଦେଶରେ ମନ୍ଦିର ଭଙ୍ଗାରୁଜା ଜାରି

ଢାକା, ୧୮।୧୦: ବାଂଲାଦେଶରେ ଦୁର୍ଗାପୂଜା ବେଳେ ଇସ୍‌ଲାମ ଧର୍ମ ପ୍ରତି ଅସମ୍ମାନ କରାଯାଇଥିବା ବାର୍ତ୍ତା ପ୍ରଚାର ହେବାରୁ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ସହ ମନ୍ଦିର ଭଙ୍ଗାରୁଜା ଓ ହିଂସାକାଣ୍ଡ ଜାରି ରହିଛି। ଏହାର ପ୍ରତିବାଦରେ ସଂଖ୍ୟାଲଘୁମାନଙ୍କ ପକ୍ଷରୁ ଦେଶବ୍ୟାପୀ ଅନଶନ ଡାକରା ଦିଆଯାଇଛି। ଜଣେ ହିନ୍ଦୁ ଦେବତାଙ୍କ ଆଣ୍ଠୁ ଉପରେ କୋରାନ ରଖାଯାଇଥିବାର ଫଟୋ ପ୍ରସାରିତ ହେବା ପରେ ଏହାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା। ସଂଖ୍ୟାଗରିଷ୍ଠ ମୁସଲମାନମାନେ କେତେକ ସ୍ଥାନରେ ଦୁର୍ଗାପୂଜା ପେଣ୍ଡାଲ ଭଙ୍ଗାରୁଜା କରିଥିଲେ। ଏହି ହିଂସା ପ୍ରାୟ ୧୨ଟି ଜିଲାକୁ ବ୍ୟାପିଥିଲା। ବୁଧବାର ହାଜିଗଞ୍ଜସ୍ଥିତ ଏକ ହିନ୍ଦୁ ମନ୍ଦିର ଭଙ୍ଗାରୁଜା କରୁଥିବା ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡ଼ାଇବା ପାଇଁ ପୋଲିସ ଗୁଳିଚାଳନା କରିବାରୁ ୪ ଜଣଙ୍କ ମୃତ୍ୟୁ ଘଟିଥିଲା। ଶୁକ୍ରବାର ଦୁର୍ଗାପୂଜାର ଶେଷ ଦିନରେ ବେଗୁମଗଞ୍ଜ ସହରରେ ହିନ୍ଦୁମାନେ ଭସାଣି ଶୋଭାଯାତ୍ରା ବାହାର କରିବା ଲାଗି ପ୍ରସ୍ତୁତ ହେଉଥିବାବେଳେ ୨୦୦ରୁ ଊର୍ଦ୍ଧ୍ୱ ମୁସଲମାନ ସେଠାରେ ପହଞ୍ଚତ୍ ଏକ ମନ୍ଦିର ଉପରେ ଆକ୍ରମଣ କରିବା ସହ ୨ ଜଣ ହିନ୍ଦୁଙ୍କୁ ହତ୍ୟା କରିଥିଲେ। ଶନିବାର ରାଜଧାନୀ ଢାକାଠାରୁ ୧୫୭ କିଲୋମିଟର ଦୂର ଫେନିଠାରେ ଏକ ହିନ୍ଦୁ ମନ୍ଦିର ଓ କେତେକ ଦୋକାନ ଭଙ୍ଗାଯିବା ସହ ଲୁଟ୍‌ପାଟ ହୋଇଛି। ସଂଘର୍ଷ ବେଳେ ଫେନି ଥାନା ଭାରତପ୍ରାପ୍ତ ଅଧିକାରୀଙ୍କ ସମେତ ୪୦ ଜଣ ଆହତ ହୋଇଥିଲେ। ଉତ୍ତେଜନା ଲାଗି ରହିଥିବାରୁ ଉକ୍ତ ଅଞ୍ଚଳରେ ଅତିରିକ୍ତ ପୋଲିସ ଓ ଅର୍ଦ୍ଧସାମରିକ ଯବାନ ନିୟୋଜିତ କରାଯାଇଛି। ଏହାର ପ୍ରତିବାଦରେ ଦେଶବ୍ୟାପୀ ଅନଶନ ଡାକରା ଦିଆଯାଇଛି। ୨୩ ତାରିଖରୁ ଅନଶନରେ ବସିବା ଲାଗି ଚିଟାଗଙ୍ଗସ୍ଥିତ ବାଂଲାଦେଶ ହିନ୍ଦୁ ବୌଦ୍ଧ ଖ୍ରୀଷ୍ଟିଆନ ଏକତା ପରିଷଦ ପକ୍ଷରୁ ଘୋଷଣା କରାଯାଇଛି।

 

Share