ବସ୍ତିରୁ ଆରମ୍ଭ ହେବ ଉଚ୍ଛେଦ

ଅନୁଗୋଳଅଫିସ, ୭।୬ ଅନୁଗୋଳ ଜିଲା ତାଳଚେର ପୌରାଞ୍ଚଳରେ ସରକାରୀ ଜାଗାରେ ଘର କରିଥିବା ଲୋକଙ୍କ ଅଟ୍ଟାଳିକାକୁ ପ୍ରଶାସନ ମାଟିରେ ମିଶାଇ ଦେଲା। ଏପରି କି ଦୁଇ ମହଲା ଓ ତିନି ମହଲା ଘର ଗୁଡ଼ିକ ଉପରେ ବୁଲଡୋଜର ଚାଲିଲା। ତାଳଚେର ପରେ ଅନୁଗୋଳ ପାଳି ପଡ଼ିବ ବୋଲି ସହରରେ ଆଲୋଚନା ହେଉଛି। ଏ ନେଇ ପୌର ପ୍ରଶାସନ ସରକାରୀ ଜାଗା ମାଡ଼ିବସିଥିବା ଲୋକଙ୍କ ତାଲିକା ପ୍ରସ୍ତୁତି ଆରମ୍ଭ କରିଦେଲାଣି। ପ୍ରଥମେ ବସ୍ତିରୁ ଉଚ୍ଛେଦ ଆରମ୍ଭ ହେବ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି।
ଅନୁଗୋଳ ପୌରାଞ୍ଚଳରେ ୨୦୧୮ ମସିହାରେ ଜାଗା ମିଶନରେ ସରକାରୀ ବସ୍ତିଗୁଡ଼ିକ ସର୍ଭେ କରାଯାଇଥିଲା। ଏହି ସର୍ଭେ ପରେ ଜାଗା ମିଶନରେ ଥିବା ନିୟମକୁ ଅନୁଧ୍ୟାନ କରାଯାଇ ସେମାନଙ୍କୁ ଜାଗା ପ୍ରଦାନ କରାଯାଇଥିଲା। କିନ୍ତୁ ଅଧିକ ସରକାରୀ ଜାଗା ପାଇବା ଆଶାରେ ଅନୁଗୋଳ ପୌରାଞ୍ଚଳରେ ବାସ କରୁଥିବା ବହୁ ଲୋକ ଜାଗା ଜବର ଦଖଲ କରି ରଖିଛନ୍ତି। ଏହି ଜାଗାଗୁଡ଼ିକୁ ପୌରପାଳିକା ପକ୍ଷରୁ ପ୍ରଥମେ ଉଚ୍ଛେଦ କରାଯିବ ବୋଲି ଯୋଜନା ହେଉଛି। ସରକାରୀ ଜାଗାକୁ କେତେକ ସ୍ଥାନରେ ସରକାରୀ ବାବୁମାନେ ମାଡ଼ିବସିଛନ୍ତି। ତାହାକୁ ମଧ୍ୟ ଉଚ୍ଛେଦ କରିବାକୁ ପୌରପାଳିକା ତାଲିକା ପ୍ରସ୍ତୁତ କରୁଥିବା କୁହାଯାଉଛି। ସେହିପରିି କେତେଜଣ ସମ୍ଭ୍ରନ୍ତଶ୍ରେଣୀର ଲୋକ ସରକାରୀ ଜାଗା ନିଜ ଅକ୍ତିଆରରେ ରଖିଛନ୍ତି। ତାଙ୍କୁ ଉଚ୍ଛେଦ କରିବା ତ ଦୂରର କଥା, ନୋଟିସ୍‌ଟିଏ ବି ଆଜି ପର୍ଯ୍ୟନ୍ତ ପଠାଯାଇ ନାହିଁ। ତେଣୁ ଅନୁଗୋଳ ଜିଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ତାଳଚେରରେ ଜବରଦଖଲ ଉଚ୍ଛେଦ ହେବା ପରେ ଏବେ ଅନୁଗୋଳ ସହରବାସୀଙ୍କ ଛାତିରେ ଛନକା ପଶିଛି। ପୌରାଞ୍ଚଳରେ ଥିବା ସରକାରୀ ଜବରଦଖଲ ଜାଗାକୁ ପ୍ରଶାସନ ନିଜ ଅକ୍ତିଆରକୁ ଆଣିବ ବୋଲି ପୌର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲିକ ସୂଚନା ଦେଇଛନ୍ତି। ଯେଉଁ ବ୍ୟକ୍ତି ହୁଅନ୍ତୁ ନା କାହିଁକି, ସରକାରୀ ଜାଗା ଅକ୍ତିଆର କରିଥିଲେ ଉଚ୍ଛେଦ କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

Share