Advertisement

ପିଓକେରେ ଚାଇନା-ପାକିସ୍ତାନ ବିରୋଧରେ ପ୍ରଦର୍ଶନ

ଇସଲାମାବାଦ୍‌, ୭।୭: ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ ସ୍ଥିତି ଏବେ ଖରାପ ହେବାରେ ଲାଗିଛି। ସ୍ଥାନୀୟ ନୀଲମ୍‌ ଏବଂ ଝେଲମ୍‌ ନଦୀ ଉପରେ ଚାଇନା କମ୍ପାନୀ ଦ୍ୱାରା ନିର୍ମିତ ହେଉଥିବା ଜଳବିଦ୍ୟୁତ୍‌ ଯୋଜନାକୁ ଲୋକେ ବିରୋଧ କରିଛନ୍ତି। ଏନେଇ ପ୍ରଦର୍ଶନ ଜାରି ରହିଛି। ଏହି ଜଳ ବିଦ୍ୟୁତ୍‌ ଯୋଜନା ଦ୍ୱାରା ପରିବେଶ ଉପରେ ନକାରାତ୍ମକ ପ୍ରଭାବ ପଡ଼ିବ ବୋଲି ଲୋକେ କହିଛନ୍ତି। ମୁଜାଫରବାଦ୍‌ରେ ଏହା ବିରୋଧରେ ଲୋକେ ଏକଜୁଟ ହୋଇଛନ୍ତି। ଖୋହାଲାଠାରେ ୨୪୦ କୋଟି ଡଲାର ବ୍ୟୟରେ ୧,୧୨୪ ମେଗାଓ୍ବାଟ କ୍ଷମତା ବିଶିଷ୍ଟ ଜଳ ବିଦ୍ୟୁତ୍‌ ପ୍ରକଳ୍ପର ନିର୍ମାଣ ଚାଇନାର ଥ୍ରୀ ଗୋର୍ଜେସ୍‌ କର୍ପୋରେଶନ ପକ୍ଷରୁ କରାଯାଉଛି। ଏହି ଜଳ ବିଦ୍ୟୁତ୍‌ ଯୋଜନା ଚାଇନା-ପାକିସ୍ତାନ ଇକୋନୋମିକ୍‌ କରିଡୋରର ଅଂଶ ବିଶେଷ ବୋଲି କୁହାଯାଉଛି। ଖୋହାଲା ଜଳ ବିଦ୍ୟୁତ୍‌ ଯୋଜନା ବେଆଇନ ଭାବେ କରାଯାଉଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଏହି ଅଞ୍ଚଳ ବିବାଦୀୟ ହୋଇଥିବାବେଳେ ଚାଇନା-ପାକିସ୍ତାନ କେଉଁ ଆଇନର ପ୍ରୟୋଗ କରି ଏଭଳି କରୁଛନ୍ତି, ଏନେଇ ପ୍ରଶ୍ନ ଉଠିଛି। ପୂର୍ବରୁ ୨୦୧୮ରେ ଏହି ଜଳ ବିଦ୍ୟୁତ୍‌ ଯୋଜନା ଲାଗି ପ୍ରସ୍ତୁତ ହୋଇଥିବା ୨୦ କିମି ଲମ୍ବ କେନାଲ ଡିଜାଇନିଂକୁ ଲୋକେ ବିରୋଧ କରିଥିଲେ। ଏହି କେନାଲ ମୁଜାଫରବାଦ୍‌ ମଧ୍ୟ ଦେଇ ପ୍ରବାହିତ ହେବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share