ଡେନମାର୍କରେ ଇଜିପ୍ଟ-ତୁର୍କୀ ଦୂତାବାସ ସମ୍ମୁଖରେ କୁରାନ ଜଳାଇଲେ ପ୍ରଦର୍ଶନକାରୀ…

କୋପେନହେଗେନ,୨୬।୭ : କୁରାନକୁ ଅସମ୍ମାନ କରିବା ପ୍ରସଙ୍ଗ ଜାରି ରହିଛି। ଇସଲାମ ବିରୋଧୀ ଏକ ଦଳ ଡେନମାର୍କର କୋପେନହେଗେନସ୍ଥିତ ଇଜିପ୍ଟ ଏବଂ ତୁର୍କୀ ଦୂତାବାସ ସମ୍ମୁଖରେ କୁରାନର ନକଲକୁ ପୋଡି ଦେଇଛନ୍ତି। ଏହାପୂର୍ବରୁ ଗତ ସପ୍ତାହରେ ଡେନମାର୍କ ଏବଂ ସ୍ବିଡେନରେ ଘଟିଥିବା ଘଟଣାକୁ ନେଇ ମୁସଲମାନ ଦେଶ ଅସନ୍ତୋଷ ବ୍ୟକ୍ତ କରିଥିଲେ।

ମୁସଲମାନମାନଙ୍କର ପବିତ୍ର ଧର୍ମଗ୍ରନ୍ଥ କୁରାନ ପୋଡିବା ଘଟଣାରେ ଡେନମାର୍କ ଏବଂ ସ୍ବିଡେନ ଉଦବେଗ ପ୍ରକାଶ କରିଛନ୍ତି। କିନ୍ତୁ ଏହା ମଧ୍ୟ କହିଛନ୍ତି ଅଭିବ୍ୟକ୍ତିର ସ୍ବାଧୀନତା ଆଇନ ଅନୁଯାୟୀ ଦିଆଯାଇଥିବା ଅଧିକାର ଯୋଗୁ ସେମାନଙ୍କୁ ସୁରକ୍ଷା ଦିଆଯାଇପାରିବ ନାହିଁ। ଗତ ସପ୍ତାହରେ ଇରାକରେ ବିକ୍ଷୋଭକାରୀମାନେ କୁରାନ ପୋଡ଼ିବା ପ୍ରତିବାଦରେ ବାଗଦାଦରେ ଥିବା ସ୍ବିଡେନ ଦୂତାବାସରେ ଭଙ୍ଗାରୁଜା କରିବା ସହିତ ନିଆଁ ଲଗାଇ ଦେଇଥିଲେ।

ପ୍ରଦର୍ଶନକାରୀମାନେ ନିଜକୁ ଡେନମାର୍କ ଦେଶପ୍ରେମୀ ବୋଲି କହିବା ସହିତ, କୋପେନହେଗେନରେ କୁରାନ ପୋଡି ଦେଇଥିଲେ। ଗତ ମାସରେ ସ୍ବିଡେନରେ ଏଭଳି ଦୁଇଟି ଘଟଣା ଘଟିଥିଲା, ଯାହା ପରେ ମୁସଲମାନ ଦେଶମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଇରାକରେ ହିଂସାତ୍ମକ ପ୍ରଦର୍ଶନ ପରେ ଇରାନ ଏବଂ ଲେବାନନରେ ପ୍ରଦର୍ଶନ କରାଯାଇଥିଲା।

ଏନେଇ ଇରାକର ବୈଦେଶିକ ମନ୍ତ୍ରୀ କହିଛନ୍ତି ତଥାକଥିତ ଅଭିବ୍ୟକ୍ତିର ସ୍ବାଧୀନତା ନାମରେ କୁରାନ ଭଳି ପବିତ୍ର ଧର୍ମଗ୍ରନ୍ଥ ଜାଳିବା ଘଟଣାକୁ ୟୁରୋପୀୟ ଦେଶମାନେ ବିଚାର କରିବା ଉଚିତ।

Share