ଅକ୍ଟୋବର ଯାଏ ଡେଙ୍ଗୁ ସତର୍କତା

ଭୁବନେଶ୍ୱର,୧୧।୭(ଅଭିଜିତ ଦାସ):ରାଜ୍ୟରେ ଏବେ ଡେଙ୍ଗୁ ବ୍ୟାପି ଚାଲିଛି। ମୌସୁମୀ ପରେ ୧୬ ଜିଲାରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧା ଜିଲା ଶୀର୍ଷରେ ରହିଛି। ରାଜ୍ୟରେ ୨୫୦ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାବେଳେ ୧୩୪ଜଣ ରୋଗୀ କେବଳ ଖୋର୍ଦ୍ଧାରେ ବାହାରିଛନ୍ତି। ବଢୁଥିବା ଡେଙ୍ଗୁ ରୋଗୀ ସଂଖ୍ୟାକୁ ନେଇ ସ୍ବାସ୍ଥ୍ୟ ବିଭାଗ ଚିନ୍ତା ପ୍ରକଟ କରିଛି। ପୂର୍ବରୁ ସେପ୍ଟେମ୍ବର ଯାଏ ସତର୍କ ରହିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଥିବାବେଳେ ବର୍ତ୍ତମାନର ସ୍ଥିତିକୁ ଦେଖି ଅକ୍ଟୋବର ପର୍ଯ୍ୟନ୍ତ ଡେଙ୍ଗୁର ସତର୍କତା ଜାରି କରାଯାଇଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ବର୍ତ୍ତମାନ ସମୟରେ ଡେଙ୍ଗୁ ଋତୁଭିତ୍ତିକ ରୋଗ ହୋଇ ରହିନାହିଁ। ବର୍ଷ ସାରା ଅନେକ ସ୍ଥାନରୁ ଡେଙ୍ଗୁ ରୋଗୀଙ୍କ ରିପୋର୍ଟ ମଧ୍ୟ ଆସୁଛି। ରାଜ୍ୟରେ ପୂର୍ବରୁ ୪୦ଟି ସ୍ଥାନରେ ଡେଙ୍ଗୁ ରୋଗୀଙ୍କ ପରୀକ୍ଷା କରାଯାଉଥିବାବେଳେ ଏବେ ୪୨ଟି ସ୍ଥାନରେ ପରୀକ୍ଷଣ କେନ୍ଦ୍ର କରାଯାଉଛି। ତେବେ ରାଜ୍ୟରେ ଅଧିକରୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଥିଲେ ବି ସଂକ୍ରମଣ ହାର ବହୁତ କମ୍‌ ରହିଛି। ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ୧୨,୮୦୦ ନମୁନା ଟେଷ୍ଟ ହୋଇଥିବାବେଳେ ୨୫୦ଜଣ ଡେଙ୍ଗୁ ପଜିଟିଭ ଚିହ୍ନଟ କରାଯାଇଛି। ଡେଙ୍ଗୁରେ କୌଣସି ରୋଗୀଙ୍କ ମୃତ୍ୟୁ ହୋଇନାହିଁ। ଭୟଭୀତ ନ ହୋଇ ଅକ୍ଟୋବର ମାସ ଯାଏ ସଚେତନ ରହିବାକୁ ସେ ପରାର୍ମଶ ଦେଇଛନ୍ତି।

Share