ଡେଙ୍ଗୁ ହଟ୍‌ସ୍ପଟ୍‌ ଭୁବନେଶ୍ୱର

ଭୁବନେଶ୍ୱର,୩।୭ (ବନ୍ଦନା ସେଠୀ): ରାଜ୍ୟରେ କାୟା ମେଲାଉଛି ଡେଙ୍ଗୁ। ଆଉ ଡେଙ୍ଗୁର ହଟ୍‌ସ୍ପଟ୍‌ ପାଲଟିଛି ରାଜଧାନୀ ଭୁବନେଶ୍ୱର। ଜୁଲାଇ ୧ ସୁଦ୍ଧା ରାଜ୍ୟରୁ ୧୭୫ଜଣ ଡେଙ୍ଗୁରୋଗୀ ଚିହ୍ନଟ ହୋଇଥିବାବେଳେ ସେଥିରୁ ସର୍ବାଧିକ ୯୨ଜଣ ଭୁବନେଶ୍ୱରରୁ ରହିଥିଲେ। ତେବେ ରବିବାର ସୁଦ୍ଧା ଭୁବନେଶ୍ୱରରେ ଶତକ ଛୁଇଁଛି ସଂକ୍ରମଣ। ଅଧିକାଂଶ ସଂକ୍ରମିତ ନୟାପଲ୍ଲୀ, ପୋଖରୀପୁଟ ଏବଂ ସାଲିଆସାହିରୁ ଚିହ୍ନଟ ହୋଇଛନ୍ତି। ପ୍ରଥମେ ଆଇଆର୍‌ସି ଭିଲେଜରୁ ଏକାଧିକ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଧୀରେ ଧୀରେ ସହରର ସମସ୍ତ ଓ୍ବାର୍ଡକୁ ସଂକ୍ରମଣ ବ୍ୟାପିଗଲାଣି। ଘରେ ଘରେ ଜ୍ୱର ରୋଗୀ ଦେଖିବାକୁ ମିଳିଲେଣି। ଏହାକୁ ନେଇ ଚିନ୍ତା ଓ ଭୟରେ ରହିଛନ୍ତି ରାଜଧାନୀବାସୀ।
ଡେଙ୍ଗୁ ବାହକ ଏଡିଶ୍‌ ମଶା ସାଧାରଣତଃ ନାଳ, ନର୍ଦ୍ଦମା ଏବଂ ଅପରିଷ୍କାର ପରିବେଶରେ ବଂଶ ବିସ୍ତାର କରୁଥିବାବେଳେ ଏହାକୁ ଖୋରାକ୍‌ ଯୋଗାଉଛି ସହରର ବାତାବରଣ। ଯୁଆଡେ ଚାହିଁବ କୁଢକୁଢ ଆବର୍ଜନାରେ ଭର୍ତ୍ତି ହୋଇଛି ସହର। ଏହାସହିତ ଅଧିକାଂଶ ଡ୍ରେନ୍‌ର ଅବସ୍ଥା ଶୋଚନୀୟ ହୋଇପଡିଥିଲେ ବି ଏହା ଉପରେ ବିଏମ୍‌ସିର ନିଘା ନାହିଁ। କେତୋଟି ମାତ୍ର ସ୍ଥାନରେ ସଫାସୁତୁରା କରି, ମଶାତେଲ ପକାଇ ବିଏମ୍‌ସି ନିଜର ପ୍ରଚାର କରିବାରେ ବ୍ୟସ୍ତ ଥିବାବେଳେ ସହରର ବାସ୍ତବ ଚିତ୍ର କିଛି ଭିନ୍ନ କଥା କହୁଛି। ପ୍ରତିବର୍ଷ ଡେଙ୍ଗୁ ସଂକ୍ରମଣରେ ଭୁବନେଶ୍ୱର ଆଗରେ ରହୁଛି। ମାତ୍ର ବିଏମ୍‌ସି ଏଯାଏ ଡେଙ୍ଗୁମୁକ୍ତ ସହର ପାଇଁ ସେପରି ସଫଳ, ଦୃଢ଼ ତଥା ସୁବ୍ୟବସ୍ଥିତ ପଦକ୍ଷେପ ଗ୍ରହଣ କରିପାରି ନ ଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

Share