ରାଜଧାନୀରେ ଡେଙ୍ଗୁ ସଂକ୍ରମଣ ୨୬ଶହ ପାର୍‌

ଭୁବନେଶ୍ୱର, ୧୨।୯ (ବନ୍ଦନା ସେଠୀ):ସେପ୍ଟେମ୍ବରରେ ଡେଙ୍ଗୁ ସଂକ୍ରମଣ ପିକ୍‌ରେ ପହଞ୍ଚତ୍ବ ବୋଲି ସ୍ବାସ୍ଥ୍ୟ ବିଭାଗ ଯେଉଁ ଆକଳନ କରିଥିଲା ଏବେ ତାହା ହିଁ ହୋଇଛି। ମାସ ଆରମ୍ଭରୁ ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ ସ୍ଥିତି ବିଗିଡିବାରେ ଲାଗିଛି। ଦୈନିକ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେଉଥିବା ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ସ୍ବାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି। ସହରର ୩ ସ୍ଥାନରେ ଡେଙ୍ଗୁ ଟେଷ୍ଟିଂ ଚାଲୁ ରହିଥିବାବେଳେ ଦୈନିକ ପ୍ରାୟ ହଜାରେ ନମୁନା ପରୀକ୍ଷଣ ହେଉଛି। ସେଥିରୁ ୯୦ରୁ ଊଦ୍ଧର୍‌ବ ପଜିଟିଭ ଚିହ୍ନଟ ହେଉଛନ୍ତି। ୧ରୁ ୯ ତାରିଖ ଭିତରେ ସହରରୁ ମୋଟ ୯୧୭ ରୋଗୀ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଭୁବନେଶ୍ବରର ସ୍ଥାୟୀ ବାସିନ୍ଦା ୫୫୯ଜଣ ହୋଇଥିବାବେଳେ ଅନ୍ୟ ଜିଲାରୁ ଭୁବନେଶ୍ବର ଆସି ଚିହ୍ନଟ ହୋଇଥିବା ରୋଗୀ ସଂଖ୍ୟା ୩୦୭ ରହିଛି। ସେହିପରି ଭୁବନେଶ୍ୱର ଉପକଣ୍ଠ ଅଞ୍ଚଳରୁ ୫୧ ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ ନୟାପଲ୍ଲୀରୁ ସର୍ବାଧିକ ୧୪୬ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଚାର୍ଯ୍ୟବିହାରରୁ ୧୧୬ ଓ ବାକି ସଂକ୍ରମିତ ସହରର ଅନ୍ୟ ଓ୍ବାର୍ଡରୁ ବାହାରିଛନ୍ତି। ଏପଟେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରରେ ଡେଙ୍ଗୁ ରୋଗୀ ସଂଖ୍ୟା ୨୬ଶହ ପାର କରିଛି। ଲଗାଣ ବର୍ଷା ଯୋଗୁ ଅଗଷ୍ଟ ମାସର ପ୍ରଥମାର୍ଦ୍ଧରେ ଡେଙ୍ଗୁ ସଂକ୍ରମଣ ଅଧିକ ରହିଥିଲା। ମାତ୍ର ମାସର ଶେଷ ସପ୍ତାହ ବେଳକୁ ପାଗ ଶୁଖିଲା ଥିବାରୁ ଡେଙ୍ଗୁ ପ୍ଲାଟୋ ଷ୍ଟେଜ୍‌କୁ ଚାଲି ଆସିଥିଲା। ଏବେ ପୁଣି ସଂକ୍ରମଣରେ ବୃଦ୍ଧି ଘଟିବା ଚିନ୍ତା ବଢ଼ାଇଛି। ଏପଟେ ଡେଙ୍ଗୁ ସଂକ୍ରମଣକୁ ରୋକିବାରେ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ଫେଲ୍‌ ମାରିଥିବା କୁହାଯାଉଛି। ଫଳରେ ଭୁବନେଶ୍ୱର ପାଇଁ ଖୋର୍ଦ୍ଧା ଜିଲା ସବୁବେଳେ ରାଜ୍ୟର ହଟ୍‌ସ୍ପଟ୍‌ ହୋଇ ରହିଛି। ଅପରପକ୍ଷେ ଭୁବନେଶ୍ୱରରେ ନୟାପାଲ୍ଲୀ, ଆଇଆର୍‌ସି ଭିଲେଜ, ଜୟଦେବ ବିହାର, ଚନ୍ଦ୍ରଶେଖରପୁର, ପୁରୁଣା ଭୁବନେଶ୍ୱର, ଭୀମଟାଙ୍ଗୀ ଓ ଅନ୍ୟ କେତେକ ଅଞ୍ଚଳ ଡେଙ୍ଗୁ ହଟସ୍ପଟ ପାଲଟିଛି। ବିଏମ୍‌ସି ଘାସ କଟା, ମଶାଧୂଆଁ ଛାଡ଼ିବା, ଓ୍ବାର୍ଡଓ୍ବାରି ଘର ଘର ଅଭିଯାନ କରିବା ଉପରେ ଗୁରୁତ୍ୱ ଦେଉଥିବା କହୁଥିଲେ ମଧ୍ୟ ତାହା ସମୁଦ୍ରକୁ ଶଙ୍ଖେ ସଦୃଶ ହେଉଛି। ଫଳରେ ସଂକ୍ରମଣ କମିବା ପରିବର୍ତ୍ତେ ବଢ଼ି ଚାଲିଛି।

ଆଜିଠାରୁ ୭ ଦିନ ଘର ଘର ବୁଲିବେ ଡାକ୍ତର

ଭୁବନେଶ୍ୱରରେ ଡେଙ୍ଗୁ ସ୍ଥିତିକୁ ନେଇ ସମୀକ୍ଷା କରିବା ସହ ଗୋଷ୍ଠୀ ସଚେତନତା କାର୍ଯ୍ୟକ୍ରମ ଜାରି ରଖିବାକୁ କମିଶନର ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି। ସୋମବାର ଭିଡିଓ କନ୍‌ଫରେନ୍ସିଂ ଯୋଗେ ଏହି ବୈଠକ କରି ରୋଗୀ ସଂଖ୍ୟା ଅଧିକ ଥିବା ଅଞ୍ଚଳରେ ବିଶେଷ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ। ଘାସ କାଟିବା ଓ ନିୟମିତ ସଫେଇ କରିବା, ଘରୁ ଜ୍ୱର ରୋଗୀ ବାହାରିଲେ ସେମାନେ କିପରି ସରକାରୀ ଚିକିତ୍ସାଳୟରେ ରିପୋର୍ଟ କରିବେ ଏବଂ ସେମାନଙ୍କର ନିଶ୍ଚିତ ଭାବେ ରକ୍ତ ପରୀକ୍ଷା ହେବ ତାହାକୁ ନଜର ରଖିବାକୁ ସମସ୍ତ ଅଧିକାରୀଙ୍କୁ କୁହାଯାଇଛି। ସେହିପରି ମଙ୍ଗଳବାର ଠାରୁ ୭ ଦିନ ପର୍ଯ୍ୟନ୍ତ ସ୍ଥଳ ବିଶେଷରେ ଘର ଘର ସଂପର୍କ କାର୍ଯ୍ୟକ୍ରମରେ ଡାକ୍ତରମାନେ ସାମିଲ ହେବାକୁ କମିଶନର ନିର୍ଦ୍ଦେଶ ଦେଇଥିଲେ। ଶହୀଦନଗର, ନୟାପଲ୍ଲୀ, ପଟିଆ, ଆଚାର୍ଯ୍ୟବିହାର ଏବଂ ୟୁନିଟ-୯ ଅଞ୍ଚଳରେ ମଙ୍ଗଳବାର ଏହି କାର୍ଯ୍ୟକ୍ରମକୁ ବିଶେଷ ଭାବେ କରାଯିବାକୁ ସ୍ଥିର ହୋଇଛି। ଏହିପରି ଭାବେ ବିଭିନ୍ନ ଅଞ୍ଚଳ ଚିହ୍ନଟ କରି ଟିମ୍‌ ବିଏମ୍‌ସି ଏବଂ ସ୍ବାସ୍ଥ୍ୟ ବିଭାଗର ସମନ୍ବୟ ପଦକ୍ଷେପ ଗୋଷ୍ଠୀ ସହଭାଗିତାକୁ ଆଗେଇ ନିଆଯିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁ, ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଅନ୍ତର୍ଯ୍ୟାମୀ ମିଶ୍ର, ନଗର ସ୍ବାସ୍ଥ୍ୟ ଅଧିକାରୀ ଡା. ଦୀପକ କୁମାର ବିଶୋଇ, ସହରାଞ୍ଚଳ ସ୍ବାସ୍ଥ୍ୟ ମିଶନର ଚିକିତ୍ସା ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

Share