କଟକରେ ବଢୁଛି ଡେଙ୍ଗୁ ସଂକ୍ରମଣ

କଟକ ଅଫିସ,୩୦ା୮: କଟକ ମହାନଗର ନିଗମ(ସିଏମ୍‌ସି) ଅଞ୍ଚଳରେ ଦିନକୁ ଦିନ ଡେଙ୍ଗୁ ସଂକ୍ରମଣ ବଢିବାରେ ଲାଗିଛି ା ସହରରେ ବର୍ତ୍ତମାନ ଡେଙ୍ଗୁ ସଂକ୍ରମିତଙ୍କ ସଂଖ୍ୟା ୩୮ରେ ପହଞ୍ଚିଛି। କଟକ ଜଗତ୍‌ପୁର, ଶଙ୍କରପୁର, ମର୍କତନଗର, ମଙ୍ଗଳାବାଗ, ଯୋବ୍ରା ଅଞ୍ଚଳରୁ ଡେଙ୍ଗୁରୋଗୀ ଚିହ୍ନଟ ହୋଇଛନ୍ତି। ଜଗତ୍‌ପୁର ଅଞ୍ଚଳରୁ ଚିହ୍ନଟ ହୋଇଥିବା ସର୍ବାଧିକ ୭ ଜଣ ଡେଙ୍ଗୁରୋଗୀଙ୍କର ଭୁବନେଶ୍ୱର ଲିଙ୍କ୍‌ ରହିଛି। ଗତ ଏକମାସ ମଧ୍ୟରେ ସହରରେ ୨୭ ରୋଗୀ ଚିହ୍ନଟ ହୋଇଥିବା ସିଏମ୍‌ସି ପକ୍ଷରୁ ସୂଚନା ମିଳିଛି ା
ସହରରେ ଦିନକୁ ଦିନ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବାରେ ଲାଗିଛି। ଅନେକ ସ୍ଥାନରେ ଆବର୍ଜନା ଗଦା ହେଉଥିବାବେଳେ ବିଭିନ୍ନ ୱାର୍ଡରେ ସପ୍ତାହରୁ ଅଧିକ ଦିନ ଧରି ବର୍ଷାଜଳ ଜମି ରହୁଛି। ଏଥିଯୋଗୁ ସେଠାରେ ଏଡିସ୍‌ ମଶା ବଂଶବିସ୍ତାର କରୁଥିବାରୁ ଡେଙ୍ଗୁ ବ୍ୟାପୁଥିବା ଅଭିଯୋଗ ହେଉଛି। ହେଲେ ଏ ଦିଗରେ ସିଏମ୍‌ସି ପକ୍ଷରୁ ପ୍ରତିକାର ବ୍ୟବସ୍ଥା କରାଯାଉନାହିଁ। ଏ ସମ୍ପର୍କରେ ନଗର ସ୍ବାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ର କହିଛନ୍ତି, ଡେଙ୍ଗୁ ନିରାକରଣ ପାଇଁ ସିଏମ୍‌ସି ପକ୍ଷରୁ ପଦକ୍ଷେପ ନିଆଯାଉଛି। ବୁସ୍‌ କଟିଂ ସହ ଲୋକମାନଙ୍କୁ ସଚେତନ କରାଯାଉଛି। ଏଥିସହ ପ୍ରତ୍ୟେକ ଶନିବାର ଡେଙ୍ଗୁ ପ୍ରବଣ ଅଞ୍ଚଳରେ ସଚେତନ ଶୋଭାଯାତ୍ରା କରାଯାଉଛି।

Share