ଶୈଳଶ୍ରୀବିହାର, ନୀଳାଦ୍ରିବିହାରରେ ଘରେ ଘରେ ଜ୍ୱର; ନିୟନ୍ତ୍ରଣକୁ ଆସୁନି…

ଭୁବନେଶ୍ୱର, ୧।୮ (ବ୍ୟୁରୋ): ରାଜଧାନୀରେ ତୀବ୍ର ବେଗରେ ବ୍ୟାପୁଛି ଡେଙ୍ଗୁ। ସହରରୁ ଦିନକୁ ୨୦ରୁ ୩୦ଜଣ ରୋଗୀ ଚିହ୍ନଟ ହେଉଥିବାବେଳେ ଶନିବାର ଗୋଟିଏ ଦିନରେ ଆଉ ୫୮ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଫଳରେ ଏଠାରେ ଡେଙ୍ଗୁ ରୋଗୀ ସଂଖ୍ୟା ୫୮୮ରେ ପହଞ୍ଚତ୍ଛି। ପ୍ରତିବର୍ଷ ବସ୍ତି ଅଞ୍ଚଳରେ ଡେଙ୍ଗୁ ଚିହ୍ନଟ ହେଉଥିବାବେଳେ ଚଳିତ ବର୍ଷ କଲୋନୀ ଓ ଭିଆଇପି ଅଞ୍ଚଳରେ ମଧ୍ୟ ଡେଙ୍ଗୁ ପ୍ରକୋପ ଦେଖିବାକୁ ମିଳୁଛି। ଇତିମଧ୍ୟରେ ସହରର ଅଧିକାଂଶ ଅଞ୍ଚଳରୁ ରୋଗୀ ଚିହ୍ନଟ ହୋଇଥିବାବେଳେ ଉତ୍ତର ଭୁବନେଶ୍ୱରରେ ସ୍ଥିତି ଜଟିଳ ରହିଛି। ଶେଷକରି ନୀଳାଦ୍ରିବିହାର, ଶୈଳଶ୍ରୀ ବିହାର, ଚନ୍ଦ୍ରଶେଖରପୁରର ବିଭିନ୍ନ ବସ୍ତି ଓ କଲୋନୀରେ ଘରେ ଘରେ ଜ୍ୱର ବ୍ୟାପିଥିବା ସୂଚନା ମିଳିଛି। କରୋନା ଆତଙ୍କ ଥମି ନ ଥିବାବେଳେ ଡେଙ୍ଗୁକୁ ନେଇ ସ୍ମାର୍ଟସିଟିବାସୀଙ୍କ ଚିନ୍ତା ବଢ଼ିଛି।

ଅପରପକ୍ଷେ ଆରମ୍ଭରୁ ଅବହେଳା କରିଥିବା ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଏବେ ଡେଙ୍ଗୁ ନିରାକରଣ ପାଇଁ ଜୋର୍‌ଦାର ଉଦ୍ୟମ ଚଳାଇଛି। ବିଏମ୍‌ସି ପକ୍ଷରୁ ୯ଟି ଟିମ୍‌ ସହରର ୩ ଜୋନ୍‌ରେ ବୁଲି ବୁଲି ଲୋକଙ୍କୁ ସଚେତନ କରୁଛି। ଶନିବାର ସକାଳ ୫ଟା ୩୦ରୁ ଏହି ଟିମ୍‌ ବିଭିନ୍ନ ଅଞ୍ଚଳ ବୁଲି ପରିମଳ କାର୍ଯ୍ୟର ତଦାରଖ କରିଥିଲା। ସକାଳ ୮ଟାରେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ନୀଳାଦ୍ରିବିହାର ଏଟିଏମ୍‌ ଛକ ଅଞ୍ଚଳ, ତାରିଣୀ ବସ୍ତି, ଡମଣା ହାଟ, ଆଇଡି ମାର୍କେଟ ନିକଟ ଗାନ୍ଧୀ ବସ୍ତି, ରେଣ୍ଟାଲ କଲୋନୀ ବସ୍ତି ଅଞ୍ଚଳ, ମାଳିସାହି ଅଞ୍ଚଳ, ଶହୀଦନଗର ଓ ସଂଲଗ୍ନ ବସ୍ତି ଅଞ୍ଚଳ, କୁଲି ବସ୍ତି ଅଞ୍ଚଳଗୁଡିକରେ ସଚେତନତା କରାଯାଇଥିଲା। ନମୁନା ପରୀକ୍ଷା, ଆକ୍ରାନ୍ତଙ୍କ ଚିକିତ୍ସା, ଘରୋଇ ଅଭ୍ୟାସ, ନିକଟସ୍ଥ ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ରଗୁଡିକରେ ଡେଙ୍ଗୁ ଜ୍ୱରର ଲକ୍ଷଣ ଜାଣିବା ଭଳି ବିଭିନ୍ନ ଗୋଷ୍ଠୀ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମରେ ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ, ଡେପୁଟି କମିଶନର ପରିମଳ ଶୁଭେନ୍ଦୁ କୁମାର ସାହୁ, ଡେପୁଟି କମିଶନର ରାଜସ୍ବ ଶ୍ରୀମନ୍ତ ମିଶ୍ର, ଏଡିୟୁପିଏଚ୍‌ଓ ଡ. ଅନ୍ତର୍ଯ୍ୟାମୀ ମିଶ୍ର, ସିଟି ହେଲଥ୍‌ ଅଫିସର ଡ. ବସନ୍ତ କୁମାର ମିଶ୍ର, ଜୋନାଲ ଡେପୁଟି କମିଶନର ପୁରନ୍ଦର ନନ୍ଦା, ଅଂଶୁମାନ ରଥ, ରବିନାରାୟଣ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ।

Share