ଡେଙ୍ଗୁ ଆତଙ୍କ: ପହଞ୍ଚିଲା ପ୍ରଶାସନିକ ଟିମ୍‌

ଆର.ଉଦୟଗିରି,୫।୯(ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ବ୍ଲକରେ ଡେଙ୍ଗୁ ଆତଙ୍କ ଦେଖାଦେଇଛି। କିଛିଦିନ ତଳେ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇ ଅଞ୍ଚଳର କିଛି ଲୋକଙ୍କ ମୃତ୍ୟୁ ଘଟିଛି। ଏହି ଖବର ପାଇ ଗଜପତି ଜିଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ରୋମାଞ୍ଚଳ ଖମାରୀ ମୋହନା ବ୍ଲକ ଗସ୍ତ କରି ଡାକ୍ତରୀ ଦଳ ସହ ଆଲୋଚନା କରି ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି। ଏହି ଅବସରରେ ମୋହନା ଡାକ୍ତର ଏବଂ ବିଡିଓ କିଶୋର ଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ରହି ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ।

ପରବର୍ତ୍ତୀ ସମୟରେ ଜିଲା ପରିଷଦ ଅଧ୍ୟକ୍ଷ ଗବାରା ତିରୁପତି ରାଓ ମୋହନା ବ୍ଲକ ଗସ୍ତ କରି ଜିଲା ଏବଂ ବ୍ଲକ ପ୍ରଶାସନ ସହ ଆଲୋଚନା କରି ଏକ ଡାକ୍ତରୀ ଦଳ ଭୁବନେଶ୍ୱରରୁ ମଗାଇ ସ୍ଥିତି ଅନୁଧ୍ୟାନ କରି ପଦକ୍ଷେପ ନେଉଥିବା କହିଛନ୍ତି। ଜିଲା ପରିଷଦ ଅଧ୍ୟକ୍ଷ ରାଓଙ୍କ ଏହି ସମୀକ୍ଷା ସମୟରେ ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ସବରଙ୍କ ସହ ବହୁ ଦଳୀୟ କର୍ମୀ ଉପସ୍ଥିତ ରହି ଅବସ୍ଥା ସମ୍ପର୍କରେ ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

Share