କୋରାପୁଟରେ ଡେଙ୍ଗୁ ଆତଙ୍କ : ୨୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ, ଜଣେ ମହିଳା ମୃତ

ନାରାୟଣପାଟଣା,୨୩ା୮(ରାଜକିଶୋର ଜେନା): କୋରାପୁଟ ଜିଲା ନାରାୟଣପାଟଣା ବ୍ଲକ୍‌ରେ ବର୍ତ୍ତମାନ ଡେଙ୍ଗୁ ଆତଙ୍କ ଖେଳାଇଛି। ଗତ କିଛିଦିନ ମଧ୍ୟରେ ବ୍ଲକ୍‌ରେ ଏକାଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଡେଙ୍ଗୁରେ ଆକ୍ରାନ୍ତ ହୋଇ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ସେ ହେଲେ ବାଉରିସାହିର ସରସ୍ବତୀ (୪୮)। ଡେଙ୍ଗୁରେ ଆକ୍ରାନ୍ତ ହୋଇ ଆନ୍ଧ୍ରର ପାର୍ବତୀପୁରମ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ତାଙ୍କ ସମ୍ପର୍କୀୟମାନେ କହିଛନ୍ତି।

ବିଶେଷକରି ବ୍ଲକ୍‌ର ନ୍ୟୁ କଲୋନି, ମେନ୍‌ରୋଡ୍‌ ଓ ବାଉରିସାହିରେ ଡେଙ୍ଗୁର ପ୍ରଭାବ ଦେଖିବାକୁ ମିଳିଛି। ଡେଙ୍ଗୁ ଚିହ୍ନଟ ପାଇଁ ବ୍ଲକ୍‌ ଅଞ୍ଚଳରେ ସେପରି କୌଣସି ସୁବିଧା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଗୁଡିକରେ ନ ଥିବାରୁ ଅଞ୍ଚଳବାସୀ ଆନ୍ଧ୍ର ଉପରେ ନିର୍ଭର କରୁଛନ୍ତି।

ରୋଗୀଙ୍କ ସ୍ଥିତିକୁ ନେଇ ତାଙ୍କୁ କୋରାପୁଟ ସ୍ଥାନାନ୍ତର କରାଯାଉଥିବା ବେଳେ ଏହା ଦୂର ହେଉଥିବାରୁ ଅନେକେ ଆନ୍ଧ୍ର ଅଭିମୁଖେ ଯାଉଛନ୍ତି। ନ୍ୟୁ କଲୋନି ନାଳ ଏବଂ କଣ୍ଡିଆ ସାହିଠାରୁ ବାଉରିସାହି ମଧ୍ୟରେ ଥିବା ନାଳ ମଇଳା ପାଣି ନିଷ୍କାସନ ହୋଇ ନ ପାରିବା ଡେଙ୍ଗୁର କାରଣ ସାଜିଛି ବୋଲି କୁହାଯାଉଛି।

ଗତ ୧୫ ଦିନ ମଧ୍ୟରେ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ବେସରକାରୀ ଭାବେ କୁହାଯାଉଛି। ପ୍ରଶାସନ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

Share