ବାଂଲାଦେଶରେ ଡେଙ୍ଗୁ ଆତଙ୍କ: ଗତ ୨୪ ଘଣ୍ଟାରେ ୧୦ ମୃତ…

ଢାକା,୨।୮ : ବାଂଲାଦେଶରେ ଡେଙ୍ଗୁ ସଂକ୍ରମଣ ଯୋଗୁ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ସାରା ଦେଶରେ ଆହୁରି ଦଶ ଜଣ ଡେଙ୍ଗୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି, ଯାହା ଫଳରେ ଚଳିତ ବର୍ଷ ମୋଟ ମୃତ୍ୟୁ ସଂଖ୍ୟା ୨୬୧ରେ ପହଞ୍ଚିଛି।

ବାଂଲାଦେଶର ସ୍ଥାନୀୟ ଖବରକାଗଜ ଢାକା ଟ୍ରିବ୍ୟୁନ ଅନୁଯାୟୀ, ସ୍ବାସ୍ଥ୍ୟ ସେବା ନିର୍ଦ୍ଦେଶାଳୟ (ଡିଜିଏଚଏସ) ରିପୋର୍ଟ କରିଛି ଏହି ସମୟ ମଧ୍ୟରେ ଭାଇରାଲ ଜ୍ୱରରେ ପୀଡିତ ୨୫୮୪ ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଡିଜିଏଚଏସ କହିଛି ନୂତନ ରୋଗୀଙ୍କ ମଧ୍ୟରୁ ୧୧୩୧ ଜଣଙ୍କୁ ଢାକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ଅନ୍ୟମାନଙ୍କୁ ବାଂଲାଦେଶର ରାଜଧାନୀ ବାହାରେ ଥିବା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ୯୨୬୪ ଡେଙ୍ଗୁ ଆକ୍ରାନ୍ତ ବାଂଲାଦେଶର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସେଥିମଧ୍ୟରୁ ୪୮୬୯ ଡେଙ୍ଗୁ ଢାକା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସ୍ବାସ୍ଥ୍ୟ ସେବା ନିର୍ଦ୍ଦେଶାଳୟ (ଡିଜିଏଚଏସ) ଏପର୍ଯ୍ୟନ୍ତ ୫୪,୪୧୬ ଡେଙ୍ଗୁ ଆକ୍ରାନ୍ତଙ୍କୁ ପଞ୍ଜିକୃତ କରିଛି ଏବଂ ଚଳିତ ବର୍ଷ ୪୪,୮୯୧ ଜଣ ଲୋକ ସୁସ୍ଥ ହୋଇଛନ୍ତି।

ସମଗ୍ର ଦେଶରେ ଡେଙ୍ଗୁ ରୋଗ ବୃଦ୍ଧି ପାଉଥିବା ବେଳେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଡେଙ୍ଗୁକୁ ରୋକିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆୱାମୀ ଲିଗ ସାଧାରଣ ସମ୍ପାଦକ ଓବାଇଡୁଲ କାଦିର ଏହି ନିର୍ଦ୍ଦେଶନାମା କାର୍ଯ୍ୟକାରୀ କରିବାକୁ ପାର୍ଟି କର୍ମଚାରୀଙ୍କ ସମେତ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

ସ୍ବାସ୍ଥ୍ୟ ସେବା ନିର୍ଦ୍ଦେଶାଳୟ (ଡିଜିଏଚଏସ) କହିଛି ଜୁଲାଇରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଜୁନ ତୁଳନାରେ ସାତ ଗୁଣ ଅଧିକ। ଜୁନ ମାସରେ ଡେଙ୍ଗୁ ରୋଗୀଙ୍କ ମୋଟ ସଂଖ୍ୟା ୫,୦୭୫, ଯାହା ଜୁଲାଇ ୩୦ ପର୍ଯ୍ୟନ୍ତ ୩୮,୪୨୯କୁ ବୃଦ୍ଧି ପାଇଛି।

Share