Categories: ଜାତୀୟ

ସ୍କୁଲ ୟୁନିଫର୍ମରେ ମଲ୍‌-ରେଷ୍ଟୁରାଣ୍ଟ୍‌-ସିନେମା ହଲ-ପାର୍କରେ ପ୍ରବେଶ ମନା…

ଲକ୍ଷ୍ନୌ, ୩୧।୭ : ସ୍କୁଲ ୟୁନିଫର୍ମରେ ଆସୁଥିବା ଛାତ୍ରୀଛାତ୍ରଙ୍କୁ ପାଇଁ ଏବେ ମଲ୍‌,ରେଷ୍ଟୁରାଣ୍ଟ୍‌,ସିନେମା ହଲ, ପାର୍କରେ ପ୍ରବେଶ ମନା କରାଯାଇଛି। ଉତ୍ତରପ୍ରଦେଶର କୁଶୀନଗରର ଡିଆଇଓଏସ ଏନେଇ ମଲ, ରେଷ୍ଟୁରାଣ୍ଟ, ସିନେମା ହଲ ଏବଂ ପାର୍କ ସଞ୍ଚାଳକମାନଙ୍କୁ ନିବେଦନ କରିଛନ୍ତି। ଏହାକୁ ଉଲ୍ଲଂଘନ କରୁଥିବା ସଞ୍ଚାଳକମାନଙ୍କ ବିରୋଧରେ ଶିଶୁ ସୁରକ୍ଷା ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦିଆଯାଇଛି। ୟୁନିଫର୍ମରେ ଆସୁଥିବା ଛାତ୍ରୀଛାତ୍ରଙ୍କୁ ପ୍ରବେଶ ଅନୁମତି ନଦେବାକୁ କଡ଼ା ନିର୍ଦ୍ଦେଶ ଜାରି ହୋଇଛି।

ଜିଲା ବିଦ୍ୟାଳୟ ନୀରିକ୍ଷକ ରବିନ୍ଦ୍ର ସିଂ ସୂଚନା ଦେଇଛନ୍ତି ଯେ ଉତ୍ତରପ୍ରଦେଶ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଡକ୍ଟର ଶୁଚିତା ଚତୁର୍ବେଦୀ ସଦସ୍ୟ ଶିଶୁଙ୍କ ଅଧିକାରର ଉଲ୍ଲଂଘନ ତଥା ସୁରକ୍ଷା ଅଧିକାର ଆୟୋଗର ନିୟମ ଅନୁଯାୟୀ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ଶିଶୁ ଅଧିକାର ଅଧିନିୟମ, ୨୦୦୫ ଅନ୍ତର୍ଗତ ଶିଶୁ ଅଧିକାରର ଉଲ୍ଲଂଘନର ଅନୁସନ୍ଧାନ କରିବାକୁ ତାଙ୍କର ସମ୍ପୂର୍ଣ୍ଣ ଅଧିକାର ଅଛି ବୋଲି ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି।

ଏହି କ୍ରମରେ ପାର୍କ, ମଲ, ରେଷ୍ଟୁରାଣ୍ଟ, ସିନେମା ହଲ ଇତ୍ୟାଦି ବିଭିନ୍ନ ସାର୍ବଜନୀନ ସ୍ଥାନଗୁଡିକର ସଞ୍ଚାଳକମାନଙ୍କୁ ବିଦ୍ୟାଳୟ ସମୟରେ ସ୍କୁଲ ୟୁନିଫର୍ମରେ କୌଣସି ଛାତ୍ରୀଛାତ୍ରଙ୍କୁ ପ୍ରବେଶ ଅନୁମତି ନଦେବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି। ଡିଆଇଓଏସ କହିଛି ଯେ ବିଦ୍ୟାଳୟରେ ପଢୁୁଥିବା ଛାତ୍ରୀଛାତ୍ରମାନେ ସ୍କୁଲ ସମୟରେ ବିଦ୍ୟାଳୟକୁ ନ ଯାଇ ପାର୍କ, ମଲ, ରେଷ୍ଟୁରାଣ୍ଟ ଇତ୍ୟାଦିକୁ ଯିବା ଯୋଗୁଁ ବିଭିନ୍ନ ଅପ୍ରୀତିକର ଘଟଣା ଘଟିବାର ଆଶଙ୍କା ରହିଛି।

ଏହାର ଉଲ୍ଲଂଘନ କଲେ ଏଥିପାଇଁ ଦାୟୀ ସମ୍ପୃକ୍ତ ସଂସ୍ଥାର ନିର୍ଦ୍ଦେଶକ ରହିବେ ବୋଲି ନିର୍ଦ୍ଦେଶରେ କୁହାଯାଇଛି।

 

Share