ଚାଷୀ ଆତ୍ମହତ୍ୟାକୁ ଅସ୍ବୀକାର

ବିଚିତ୍ର ବିଶ୍ୱାଳ

 

୨୦୧୦ରେ ଅମୀର୍‌ ଖାନ୍‌ ଅଭିନୀତ ‘ପିପ୍‌ଲି ଲାଇଭ୍‌’ ନାମକ ଏକ ହିନ୍ଦୀ ଚଳଚ୍ଚିତ୍ର ଆସିଥିଲା, ଯାହାର କାହାଣୀର ମୁଖ୍ୟଭାଗରେ ଥିଲା ଚାଷୀ ଆତ୍ମହତ୍ୟା ଓ ତାହାକୁ ସ୍ବୀକାର ନ କରିବାର ସରକାରଙ୍କ ନିର୍ଲଜ୍ଜ ପ୍ରୟାସ। ସେତେବେଳେ ବହୁଚର୍ଚ୍ଚିତ ହୋଇଥିଲା ଚଳଚ୍ଚିତ୍ରଟି। ଇତିମଧ୍ୟରେ ବାରବର୍ଷ ବିତିଯାଇଛି। ସେହି ଚଳଚ୍ଚିତ୍ରର କାହାଣୀ ପାଖରେ ଚାଷୀ ଆତ୍ମହତ୍ୟା ଅଟକି ଯାଇନାହଁି କିମ୍ବା ସରକାର ଚାଷୀ ଆତ୍ମହତ୍ୟାକୁ ଅସ୍ବୀକାର କରିବାର ଗାଲୁଆମି ବନ୍ଦ ହୋଇନାହଁି। ଦେଶରେ ଚାଷୀ ଆତ୍ମହତ୍ୟା ଆହୁରି ବଢ଼ିଛି ଓ ସରକାର ମଧ୍ୟ ପୂର୍ବ ତୁଳନାରେ ଅଧିକ ଉଦାସୀନ ହୋଇଛନ୍ତି ଏଭଳି ଏକ ବିପତ୍ତି ପ୍ରତି। ବିଶିଷ୍ଟ ଲେଖକ ଓ ସାମ୍ବାଦିକ ପି. ସାଇନାଥଙ୍କ ମତରେ ଚାଷୀ ଆତ୍ମହତ୍ୟା କେବଳ ଏକ ଆର୍ଥିକ ପ୍ରସଙ୍ଗ ନୁହେଁ, ଏହା ଆମ ସଭ୍ୟତାକୁ ଏକ ପ୍ରଶ୍ନ। ଆମେ ଏପରି ଏକ ସମାଜରେ ବାସ କରୁଛେ, ଯେଉଁଠି ଆମକୁ ଖାଇବାକୁ ଦେଉଥିବା ଲୋକ ଜୀବନ ବୋଝ ବୋହି ନ ପାରି ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛି! ପି. ସାଇନାଥଙ୍କ ଏହି ପ୍ରଶ୍ନ ଆଜି ଆମକୁ ଲଜ୍ଜିତ କରୁନି। ଏହା ଆଜିର ସମୟରେ ବଡ଼ ଦୁର୍ଭାଗ୍ୟ। ସରକାର ଚାଷୀ ଆତ୍ମହତ୍ୟାକୁ ଅସ୍ବୀକାର କରିବା ସହ ନେତା, ମନ୍ତ୍ରୀମାନେ ଆତ୍ମହତ୍ୟା କରିଥିବା ଚାଷୀ ବିଷୟରେ ଅନେକ ଅରୁଚିକର ମନ୍ତବ୍ୟ ଦେଉଛନ୍ତି। କୌଣସି ସମସ୍ୟାକୁ ଗ୍ରହଣ କଲେ ସିନା ତା’ସମାଧାନ ରାସ୍ତା ବାହାରିପାରିବ। କିନ୍ତୁ ସମସ୍ୟାକୁ ଗ୍ରହଣ ନ କଲେ ସମସ୍ୟା ବଢ଼ିବ ପଛେ କମିବ ନାହଁି, ଯାହା ବର୍ତ୍ତମାନ ଚାଷୀ ଆତ୍ମହତ୍ୟା କ୍ଷେତ୍ରରେ ଦେଖାଯାଉଛି।
ଆମ ଦେଶରେ ପଞ୍ଜାବର ଚାଷ ଓ ଚାଷୀଙ୍କୁ ସବୁଠାରୁ ସମୃଦ୍ଧ ଭାବେ ଗଣାଯାଏ। କିନ୍ତୁ ଦୁର୍ଭାଗ୍ୟର ବିଷୟ, ଚାଷୀ ଆତ୍ମହତ୍ୟା କ୍ଷେତ୍ରରେ ପଞ୍ଜାବ ବହୁ ଆଗରେ ଅଛି। ଏହା ସରକାରଙ୍କ ଚାଷ ନୀତି ଓ ଚାଷୀ କଲ୍ୟାଣ ଯୋଜନାର ସୁଫଳକୁ ସୂଚାଉଛି। ପଞ୍ଜାବ କୃଷି ବିଶ୍ୱବିଦ୍ୟାଳୟ ଦ୍ୱାରା ପଞ୍ଜାବରେ ଚାଷୀ ଆତ୍ମହତ୍ୟା ଉପରେ ସଂସଦରେ ସାଂସଦ ସୁରେଶ ଦାନୋର୍‌କାଙ୍କ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର୍‌ ଚାଷୀ ଆତ୍ମହତ୍ୟାର ପରିସଂଖ୍ୟାନକୁ ବାଏଁ ବାଏଁ ଉଡ଼େଇ ଦେଇଛନ୍ତି। ପଞ୍ଜାବ କୃଷି ବିଶ୍ୱବିଦ୍ୟାଳୟର ଅଧ୍ୟୟନ ଅନୁସାରେ ଚାଷୀ ଆତ୍ମହତ୍ୟାର ପରିସଂଖ୍ୟାନ ଓ କେନ୍ଦ୍ର ସରକାରଙ୍କ ନ୍ୟାଶନାଲ କ୍ରାଇମ୍‌ ରେକର୍ଡ ବ୍ୟୁରୋର ଚାଷୀ ଆତ୍ମହତ୍ୟା ତଥ୍ୟ ପରିସଂଖ୍ୟାନ ଭିତରେ ଅନେକ ପ୍ରଭେଦ ରହୁଛି। ଘଟଣାର ଗମ୍ଭୀରତାକୁ ନ ବୁଝି ଭାଜପା ସାଂସଦ ନିଶିକାନ୍ତ ଦୁବେ ଅତ୍ୟନ୍ତ ଅପରିପକ୍ୱ ବୟାନ ଦେଇ କହିଛନ୍ତି ଯେ, ମୋଦି କ୍ଷମତାକୁ ଆସିବା ପରଠାରୁ ଭାରତରେ ଆଦୌ ଚାଷୀ ଆତ୍ମହତ୍ୟା ହୋଇନାହଁି। ତା’ହେଲେ ପଞ୍ଜାବ ସରକାରଙ୍କ ପୃଷ୍ଠପୋଷକତାରେ ପଞ୍ଜାବ କୃଷି ବିଶ୍ୱବିଦ୍ୟାଳୟର ଅଧ୍ୟୟନର ତଥ୍ୟ ଯାହା କହୁଛି ତାହା କ’ଣ? ଏହି ଅଧ୍ୟୟନ ତ କୌଣସି ଘରୋଇ ସଂସ୍ଥା କରିନାହାନ୍ତି। ଗୋଟିଏ ସରକାରୀ ବିଶ୍ୱବିଦ୍ୟାଳୟର ତଥ୍ୟ ଇଏ। ଏପରି ବାସ୍ତବତାକୁ ଜାଣି ଜାଣି ଏଡ଼ାଇ ଯାଉଥିବା ନେତାମାନଙ୍କର ଚାଷ ଓ ଚାଷୀ ପ୍ରତି ଥିବା ମନୋଭାବ ସ୍ପଷ୍ଟ ବାରିହୋଇପଡ଼ୁଛି।
ପଞ୍ଜାବରେ ଚାଷୀ ଆତ୍ମହତ୍ୟା ଉପରେ ପଞ୍ଜାବ ବିଶ୍ୱବିଦ୍ୟାଳୟ ଓ ନ୍ୟାଶନାଲ କ୍ରାଇମ୍‌ ରେକର୍ଡ ବ୍ୟୁରୋର ଅଧ୍ୟୟନ ଭିତରେ ଏକାଧିକ ମୌଳିକ ପାର୍ଥକ୍ୟ ଅଛି। ଏନ୍‌ସିଆର୍‌ବିର ତଥ୍ୟ ସଂଗ୍ରହ ପ୍ରକ୍ରିୟାରେ ଅନେକ ତ୍ରୁଟି ରହିଛି, ଯାହାଫଳରେ ଚାଷୀ ଆତ୍ମହତ୍ୟାର ପରିସଂଖ୍ୟାନ କମ୍‌ ଦେଖାଯାଉଛି। ପଞ୍ଜାବ କୃଷି ବିଶ୍ୱବିଦ୍ୟାଳୟର ଅଧ୍ୟୟନ ଅନୁସାରେ ୨୦୦୦ରୁ ୨୦୧୮ ମଧ୍ୟରେ ପଞ୍ଜାବର ୬ଟି ଜିଲାରେ ୯୨୯୧ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି। କିନ୍ତୁ ଏନ୍‌ସିଆର୍‌ବିର ରିପୋର୍ଟ ଅନୁସାରେ କୃଷିମନ୍ତ୍ରୀ ତୋମାର କହିଛନ୍ତି ଯେ ସମଗ୍ର ରାଜ୍ୟରେ ଏହି ସମୟସୀମା ମଧ୍ୟରେ ମାତ୍ର ୧୮୦୫ ଚାଷୀ ଆତ୍ମହତ୍ୟା କରିଛନ୍ତି। ପଞ୍ଜାବ କୃଷି ବିଶ୍ୱବିଦ୍ୟାଳୟର ଅଧ୍ୟୟନ ଅନୁସାରେ ୨୦୧୪ରେ ପଞ୍ଜାବର ୬ଟି ଜିଲାରେ ୪୭୪ ଜଣ ଚାଷୀ ଆତ୍ମହତ୍ୟା କରିଥିବା ବେଳେ ୨୦୧୫ରେ ୫୩୭, ୨୦୧୬ରେ ୨୮, ୨୦୧୭ରେ ୩୦୮ ଓ ୨୦୧୮ରେ ୩୯୫ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି। କିନ୍ତୁ ଏନ୍‌ସିଆର୍‌ବି ତଥ୍ୟ ଅନୁସାରେ ସମଗ୍ର ପଞ୍ଜାବରେ ୨୦୧୪ରେ ମାତ୍ର ୬୪ ଜଣ ଚାଷୀ ଆତ୍ମହତ୍ୟା କରିଥିବା ବେଳେ ୨୦୧୫ରେ ୧୦୦, ୨୦୧୬ରେ ୨୩୨, ୨୦୧୭ରେ ୨୪୩ ଓ ୨୦୧୮ରେ ୨୨୯ ଜଣ ଚାଷୀ ଆତ୍ମହତ୍ୟା କରଛନ୍ତି। ଉଭୟ ଅଧ୍ୟୟନର ତଥ୍ୟ ସଂଗ୍ରହ ପ୍ରକ୍ରିୟାରେ ଥିବା ପ୍ରଭେଦକୁ ବୁଝିଗଲେ ଜାଣିହେବ, କେଉଁଥିପାଇଁ ଏନ୍‌ସିଆର୍‌ବିର ତଥ୍ୟରେ ଚାଷୀ ଆତ୍ମହତ୍ୟାର ସଂଖ୍ୟା କମ୍‌ ଦେଖାଯାଉଛି ତଥା ସତ୍ୟର ନିକଟବର୍ତ୍ତୀ ନୁହେଁ। ପଞ୍ଜାବ ବିଶ୍ୱବିଦ୍ୟାଳୟ ଦ୍ୱାରା କରାଯାଇଥିବା ଅଧ୍ୟୟନରେ ଏକ ବିସ୍ତୃତ ପ୍ରଶ୍ନପତ୍ର ମାଧ୍ୟମରେ ଆତ୍ମହତ୍ୟା କରିଥିବା ପରିବାର ସହିତ ଆଲୋଚନା କରାଯାଇଥିଲା। ଆତ୍ମହତ୍ୟାର ଭିନ୍ନ ଭିନ୍ନ କାରଣ ସମ୍ପର୍କରେ ପରିବାର ସଦସ୍ୟମାନଙ୍କ ସହିତ ପୁଙ୍ଖାନୁପୁଙ୍ଖ ପ୍ରଶ୍ନ ଉତ୍ତର ହୋଇଥିଲା। ଗାଁର ମୁଖିଆ ଓ ସରପଞ୍ଚ ମଧ୍ୟ ଏହି ତଥ୍ୟ ସଂଗ୍ରହ ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିଲେ ଓ ତଥ୍ୟର ସତ୍ୟାସତ୍ୟକୁ ନେଇ ଭିନ୍ନ ଭିନ୍ନ ସ୍ତରରେ ଯାଞ୍ଚ କରାଯାଇଥିଲା। ସେହି ସମାନ ୬ଟି ଜିଲାରେ କୃଷି ଶ୍ରମିକ ଆତ୍ମହତ୍ୟାକୁ ନେଇ ପଞ୍ଜାବ କୃଷି ବିଶ୍ୱବିଦ୍ୟାଳୟ ଏକ ଅଲଗା ଅଧ୍ୟୟନ କରିଥିଲା। ଏହା ଅନୁସାରେ ୨୦୦୦ରୁ ୨୦୧୮ ମଧ୍ୟରେ ୭୩୦୩ କୃଷି ଶ୍ରମିକ ଆତ୍ମହତ୍ୟା କରଥିଲେ। ଅର୍ଥାତ୍‌ ପଞ୍ଜାବର ୬ଟି ଜିଲାରେ ସମୁଦାୟ ୧୬,୫୯୪ ଜଣ କୃଷି ସଙ୍କଟ ଯୋଗୁ ଆତ୍ମହତ୍ୟା କରିଛନ୍ତି।
ପ୍ରଥମତଃ ଏନ୍‌୍‌ସିଆର୍‌ବି କେବଳ ଥାନା ରେକର୍ଡରୁ ଆତ୍ମହତ୍ୟାର ପରିସଂଖ୍ୟାନ ସଂଗ୍ରହ କରିଛି। କିନ୍ତୁ ଦେଶରେ ଭିନ୍ନ ଭିନ୍ନ ସାମାଜିକ ଓ ସାଂସ୍କୃତିକ କାରଣରୁ ଅନେକ ଆତ୍ମହତ୍ୟା ତଥ୍ୟ ଥାନା ରେକର୍ଡକୁ ଆସିପାରେନାହଁି। ଭିନ୍ନ ଭିନ୍ନ କାରଣରୁ ଆତ୍ମହତ୍ୟା କରିଥିବା ଲୋକର ପରିବାର ଆତ୍ମହତ୍ୟା ବିଷୟରେ ଥାନାରେ ଜଣାଇ ନ ଥାନ୍ତି। ଏପରି କି ଅଧିକାଂଶ କ୍ଷେତ୍ରରେ ପୋଲିସର ବ୍ୟବହାର ଲୋକମାନଙ୍କ ପ୍ରତି ଏପରି ହୋଇଥାଏ ଯେ, ପରିବାର ଲୋକେ ଥାନାକୁ ନ ଆସି ଗାଁରେ ଶବ ସଂସ୍କାର କରିଥାନ୍ତି। ଏପରି କ୍ଷେତ୍ରରେ ଏନ୍‌ସିଆର୍‌ବିକୁ ସମସ୍ତ ତଥ୍ୟ ନ ମିଳିବା ସ୍ବାଭାବିକ। ଏତଦ୍‌ବ୍ୟତୀତ ‘ଚାଷୀ’ର ସଂଜ୍ଞାକୁ ନେଇ ଭିନ୍ନ ଭିନ୍ନ ଅବଧାରଣା ଥିବାରୁ ଅନେକ ଆତ୍ମହତ୍ୟାକୁ ଏନ୍‌ସିଆର୍‌ବି ଚାଷୀ ଆତ୍ମହତ୍ୟା ଭାବେ ମାନେନାହଁି। କୃଷି ଶ୍ରମିକ ବା ଭାଗଚାଷୀଙ୍କୁ ବି ଏହା ଚାଷୀର ମାନ୍ୟତା ଦିଏନାହଁି। ଏନ୍‌ସିଆର୍‌ବି ଚାଷ କରୁଥିବା ମହିଳାମାନଙ୍କୁ ଚାଷୀରେ ଗଣେ ନାହଁି। କେନ୍ଦ୍ର ସରକାର ମଧ୍ୟ ଠିକ୍‌ ଏକାପରି ଭାବନ୍ତି। ମହିଳା ଚାଷୀ ଆତ୍ମହତ୍ୟାକୁ ଏନ୍‌୍‌ସିଆର୍‌ବି ଚାଷୀ ଆତ୍ମହତ୍ୟା ରୂପେ ଗଣନା କରୁନାହଁି। ତେଣୁ ଏନ୍‌ସିଆର୍‌ବିର ଅଧ୍ୟୟନରେ ଚାଷୀ ଆତ୍ମହତ୍ୟାର ଅସଲ ସଂଖ୍ୟା ଜଣାପଡ଼ୁନାହଁି। ଏହାର ସୁଯୋଗ ନେଇ କୃଷିମନ୍ତ୍ରୀ ସାରା ଦେଶକୁ ବିଭ୍ରାନ୍ତ କରିବାରେ ଲାଗିଛନ୍ତି ଓ ହଜାର ହଜାର ସଂଖ୍ୟାରେ ଚାଷୀ ଆତ୍ମହତ୍ୟା ସତ୍ତ୍ୱେ କେନ୍ଦ୍ର ସରକାର ଚାଷୀମାନଙ୍କୁ ମିଛ ଗୋଲାପି ଚିତ୍ର ଦେଖାଉଛନ୍ତି।
ପଞ୍ଜାବ ହେଉଛି ଭାରତର ଏକ କୃଷିସମୃଦ୍ଧ ରାଜ୍ୟ। ପଞ୍ଜାବର ଯଦି ଏପରି ଅବସ୍ଥା ତେବେ ଅନ୍ୟ ରାଜ୍ୟଗୁଡ଼ିକର ଅବସ୍ଥା କ’ଣ ହୋଇଥିବ ତାହା ସହଜେ ଅନୁମେୟ। ଆମ ଦେଶର କୃଷି ସଙ୍କଟକୁ ବୟାନ କରିବା ପାଇଁ ଏହି ତଥ୍ୟ କ’ଣ ଯଥେଷ୍ଟ ନୁହେଁ! ଏପରି ପରିସ୍ଥିତିରେ ରୋଗକୁ ଅଣଦେଖା ନ କରି ତୁରନ୍ତ ଚିକିତ୍ସା କରିବା ପରି ଆତ୍ମହତ୍ୟାର ବାସ୍ତବତାକୁ ସ୍ବୀକାର କରି ଚାଷ ଓ ଚାଷୀଙ୍କ କଲ୍ୟାଣ ପାଇଁ ସରକାର ତୃଣମୂଳସ୍ତରରୁ କାମ ଆରମ୍ଭ କରିବା ଉଚିତ୍‌।
ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର
ମୋ: ୯୪୩୮୪୬୮୪୭୪


Enter your email to get our daily news in your inbox.

All Right Reserved By Dharitri.Com

କୃତଜ୍ଞତାର ସ୍ବର

ବୁଝିଲ ବନ୍ଧୁ, ଈଶ୍ବରଙ୍କ ଆଶୀର୍ବାଦରୁ ଆମେ ଏ ଜୀବନ ପ୍ରାପ୍ତ ହେଇଛେ ସତ, ହେଲେ ଆମ ଜୀବନରେ ଆମ ମା’ବାପା, ଭାଇ ବନ୍ଧୁ, ପୃଥିବୀ, ଆକାଶ,...

ଆଚାର୍ଯ୍ୟ, ଅବଧାନ ଓ ଶିକ୍ଷକ

ବୈଦିକ ଯୁଗରେ ଅରଣ୍ୟରେ ଥିବା ଋଷିମାନଙ୍କର ଆଶ୍ରମଗୁଡ଼ିକ ଥିଲା ବିଦ୍ୟାଦାନର କେନ୍ଦ୍ର। ଧନୀ, ଗରିବ, ରାଜପୁତ୍ର ସମସ୍ତେ ସେଠାରେ ଏକତ୍ର ବିଦ୍ୟାଗ୍ରହଣ କରୁଥିଲେ। ସନ୍ଦିପନୀ ଉଭୟ...

ସମ୍ପ୍ରସାରଣର ଶାସନ

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରୁ ଅବସର ପରେ ବରିଷ୍ଠ ସିଭିଲ ସର୍ଭାଣ୍ଟଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଆସୁଛି। ମୋଦି ସରକାର କ୍ଷମତାକୁ ଫେରିବାର ସପ୍ତାହକ ପରେ...

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

ଟ୍ରମ୍ପ୍‌ ଓ କପ୍‌ ସମ୍ମିଳନୀ

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ବକୁରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୯) ଉପରେ କଳାବାଦଲ ଛାଇ ଦେଇଛି। ଏକଥା...

ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ...

ଦୁର୍ନୀତିର ବଳୟ

ଆଜି ଘରେ, ବାହାରେ, ରାଜ୍ୟରେ, ଦେଶ ଭିତରେ ଓ ଦେଶ ବାହାରେ ‘ଦୁର୍ନୀତି’ ତା’ର କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ଶପଥ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri