ନୂଆଦିଲ୍ଲୀ, ୨୯ା୩: ଖଲିସ୍ତାନୀ ସମର୍ଥକ ଅମ୍ରିତପାଲ୍ ସିଂ ପଞ୍ଜାବରୁ ଫେରାର୍ ହେବାର ୭ ଦିନରୁ ଅଧିକ ବିତିଯାଇଥିବାବେଳେ ପୋଲିସ ହାତ ଏବେ ସୁଦ୍ଧା ଖାଲି। ମଙ୍ଗଳବାର ରାଜଧାନୀ ଦିଲ୍ଲୀରୁ ଅମ୍ରିତପାଲ୍ଙ୍କ ଏକ ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି। ତାଙ୍କ ମୁଣ୍ଡରେ ପଗଡ଼ି ନ ଥିବାବେଳେ ସନ୍ଗ୍ଲାସ୍ ସାଙ୍ଗକୁ ଡେନିମ୍ ରଙ୍ଗର ଜ୍ୟାକେଟ୍ ପିନ୍ଧି ରାସ୍ତାରେ ଚାଲିକରି ଯାଉଥିବାର ଫୁଟେଜ୍ ଦେଖିବାକୁ ମିଳିଛି। ସହଯୋଗୀ ପପଲପ୍ରୀତ ମଧ୍ୟ ତାଙ୍କ ସହ ଥିବା ଜଣାପଡ଼ିଛି। ପରିଚୟ ଲୁଚାଇବା ପାଇଁ ଦୁହେଁ ମାସ୍କ ପିନ୍ଧିଛନ୍ତି। ଉକ୍ତ ଫୁଟେଜ୍ ମାର୍ଚ୍ଚ ୨୧ ତାରିଖର। ହରିୟାଣାର କୁରୁକ୍ଷେତ୍ର ଦେଇ ଦୁହେଁ ଦିଲ୍ଲୀ ଆସିଥିବା ସନ୍ଦେହ କରାଯାଉଛି। ତେବେ ସିସିଟିଭି ଫୁଟେଜ ଅମ୍ରିତପାଲ୍ଙ୍କୁ ଧରିବାରେ ପୋଲିସକୁ ସାହାଯ୍ୟ କରିବ। ଓ୍ବାରିସ୍ ପଞ୍ଜାବ ଡେ’ କଠୋରପନ୍ଥୀ ସଙ୍ଗଠନ ସାମାଜିକକର୍ମୀ ସ୍ବର୍ଗତ ଦୀପ ସିଦ୍ଧୁଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା। ବର୍ତ୍ତମାନ ସମୟରେ ଅମ୍ରିତପାଲ ସଙ୍ଗଠନର ନେତୃତ୍ୱ ନେଇଥିବାବେଳେ ଯୁବପିଢ଼ିଙ୍କୁ ହିଂସାକାଣ୍ଡ ଭିଆଇବା ଏବଂ ବନ୍ଧୁକ ଚାଳନା ପ୍ରଶିକ୍ଷଣ ଦିଆଯାଉଥିବା ପୋଲିସ କହିଛି।