Categories: ଜାତୀୟ

ଘନ କୁହୁଡ଼ି ଯୋଗୁ ଦୁର୍ଘଟଣା: ୧୪ ମୃତ

ଜଳପାଇଗୁଡ଼ି, ୨୦।୧: ଘନ କୁହୁଡ଼ି ଯୋଗୁ ରାସ୍ତା ନ ଦେଖା ଯିବାରୁ ପଶ୍ଚିମବଙ୍ଗ ଜଲପାଇଗୁଡ଼ିରେ ଏକାଧିକ ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏହି ଘଟଣାରେ ୧୪ ଜଣଙ୍କ ମୃତ୍ୟୁ ଘଟିଥିବା ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସ୍ଥାନୀୟ ଧୁପଗୁଡ଼ି ଅଞ୍ଚଳରେ ମଙ୍ଗଳବାର ରାତ୍ର ୯ଟା ସମୟରେ ଏକାଧିକ ଗାଡ଼ି ପରସ୍ପର ମଧ୍ୟରେ ପିଟି ହୋଇଥିଲେ। ଘଟଣାସ୍ଥଳରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତଙ୍କର ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ମୃତ୍ୟୁ ଘଟିଛି। ଏହି ଘଟଣାରେ ୧୮ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମାୟାନାଳି ନିକଟରେ ଏକ ଟ୍ରକ୍‌ ଏବଂ ଟାଟା ମ୍ୟାଜିକ୍‌ ମଧ୍ୟରେ ଧକ୍କା ହୋଇଥିଲା। ଦୁଇ ଗାଡ଼ି ପଛରେ ଥିବା ଅନ୍ୟ ଗାଡ଼ି ଗୁଡ଼ିକ ମଧ୍ୟ କୁହୁଡ଼ି ଯୋଗୁ ନିୟନ୍ତ୍ରଣ ହରାଇ ପିଟି ହୋଇଥିବା ପୋଲିସ ପକ୍ଷରୁ କୁହଯାଇଛି। ଘନ କୁହୁଡ଼ି ଯୋଗୁ ଏଠାରେ ୨ ମିଟର ଦୂରରୁ ମଧ୍ୟ ରାସ୍ତା ଦେଖା ଯାଉ ନ ଥିବାରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି।

Share