୭ ଜିଲାରେ ଘନକୁହୁଡ଼ି: ୧୫ ଡିଗ୍ରୀ ତଳେ ୧୪ ସହର

ଭୁବନେଶ୍ୱର,୧୭ା୧(ବ୍ୟୁରୋ): ରାଜ୍ୟରେ ସାମାନ୍ୟ ଶୀତ ବଢିଛି। ୧୪ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫.୮ ଡିଗ୍ରୀ ସେଲସିୟସ ଥିବା ବେଳେ ଝାରସୁଗୁଡା ୭.୬, କେନ୍ଦୁଝର ୯.୯, ସୁନ୍ଦରଗଡ଼ ୮.୫, ଭବାନୀପାଟଣା ୧୦.୫, ବଲାଙ୍ଗୀର ୧୦, ଅନୁଗୋଳ ୧୧, ହୀରାକୁଦ ୧୧.୫, କୋରାପୁଟ ୧୧.୬, ଟିଟିଲାଗଡ଼ ୧୧.୫, ବୌଦ୍ଧ ୧୨, ନୟାଗଡ଼ ୧୪.୩ ଏବଂ ତାଳଚେରରେ ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ବୌଦ୍ଧ ଏବଂ ଗଞ୍ଜାମ ଜିଲାରେ ଘନକୁହୁଡ଼ି ହେବ। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି କଟକ, କେନ୍ଦ୍ରାପଡ଼ା, ଭଦ୍ରକ, କୋରାପୁଟ, ମାଲକାନଗିରି, ରାୟଗଡ଼ା ଏବଂ କଳାହାଣ୍ଡି ଜିଲାର କେତେକ ସ୍ଥାନରେ କୁହୁଡି ହେବାର ସମ୍ଭାବନା ରହିଛି। ଘନକୁହୁଡିକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ରିଲିଫ କମିଶନର (ଏସ୍‌ଆର୍‌ସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲାପାଳ,ଏସ୍‌ପିଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଜାତୀୟ ରାଜପଥଗୁଡ଼ିକରେ ଯାନବାହନ ଯାତାୟାତକୁ ପରିଚାଳନା କରିବା ପାଇଁ ପରାମର୍ଶ ଦିଆଯାଇଛି।

Share