ପୁଣି ଥରେଇଲା ଦାରିଙ୍ଗବାଡି

ଦାରିଙ୍ଗବାଡି,୨୨।୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ସୋମବାର ବହୁ ସମୟ ଧରି ବର୍ଷା ହୋଇଛି। ଫଳରେ କୋହଲା ପାଗ ସାଙ୍ଗକୁ ଘନ କୁହୁଡି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଏପରିକି ଅଞ୍ଚଳରେ ଦିନ ତମାମ ଶୀତ ଅନୁଭୂତ ହୋଇଛି। କୁହୁଡି ବିଳମ୍ବିତ ରାତିରୁ ସକାଳ ୧୦ଟା ପର୍ଯ୍ୟନ୍ତ ରହିଥିଲା। ଫଳରେ ଗାଡ଼ି ଚଳାଚଳରେ ବାଧା ସୃଷ୍ଟି ହୋଇଥିଲା।

ଏପରିକି ଦିନ ଏବଂ ରାତିରେ ତାପମାତ୍ରା ଏକ ପ୍ରକାର ସମାନ ରହିଛି। ଅପହଞ୍ଚ ଓ ଅଧିକ ଜଙ୍ଗଲ ରହିଥିବା ଗାଁଗୁଡିକରେ ପାରଦ ୧୦ ଡିଗ୍ରୀ ତଳେ ରହିଥିବା କୁହାଯାଇଛି। ସନ୍ଧ୍ୟା ପରଠାରୁ ଲୋକେ ନିଆଁ ଲଗାଇ ବସିଥିବା ବେଳେ କାମ ଧନ୍ଦା କିମ୍ବା ଜରୁରୀ କାର୍ଯ୍ୟ ନ ଥିଲେ ଲୋକେ ଘରୁ ପଦାକୁ ବାହାରୁ ନ ଥିବା ଦେଖିବାକୁ ମିଳିଛି।

Share