ନେପାଳରେ ଦେଉବା ସରକାର

କାଠମାଣ୍ଡୁ, ୧୪ା୭: ନେପାଳୀ କଂଗ୍ରେସ ଅଧ୍ୟକ୍ଷ ଶେର ବାହାଦୁର ଦେଉବା ମଙ୍ଗଳବାର ୫ମ ଥର ପାଇଁ ନେପାଳର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ ୭୪ ବର୍ଷୀୟ ଦେଉବାଙ୍କୁ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିଛନ୍ତି। ବିଦାୟୀ ପ୍ରଧାନମନ୍ତ୍ରୀ କେ. ପି. ଶର୍ମା ଓଲି ଗତ ମେ’ରେ ପାର୍ଲାମେଣ୍ଟ ଭଙ୍ଗ କରିବା ପାଇଁ ନେଇଥିବା ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ସୋମବାର ଖାରଜ କରିଦେଇଥିଲେ। ଏଥିସହ ପାର୍ଲାମେଣ୍ଟ ପୁନଃସ୍ଥାପନ ପାଇଁ ସର୍ବୋଚ୍ଚ ଅଦାଲତ ଅନ୍ତରୀଣ ନିର୍ଦ୍ଦେଶନାମା ଜାରି କରି ବିରୋଧୀ ଦଳ ନେତା ଦେଉବାଙ୍କୁ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିବାକୁ ରାଷ୍ଟ୍ରପତିଙ୍କୁ କହିଥିଲେ। ଦାୟିତ୍ୱ ନେବାର ୩୦ ଦିନ ମଧ୍ୟରେ ଦେଉବାଙ୍କୁ ଗୃହରେ ଆସ୍ଥାଭୋଟ୍‌ ଜିତିବାକୁ ପଡ଼ିବ। ଦେଉବା ୧୯୯୫, ୨୦୦୧, ୨୦୦୪, ଓ ୨୦୧୭ରେ ପ୍ରଧାନମନ୍ତ୍ରୀ ହୋଇଥିଲେ। ନେପାଳ କମ୍ୟୁନିଷ୍ଟ୍‌ ପାର୍ଟିରେ କ୍ଷମତା କନ୍ଦଳ ଯୋଗୁ ଗତବର୍ଷ ଡିସେମ୍ବର ୨୦ରେ ରାଷ୍ଟ୍ରପତି ପାର୍ଲାମେଣ୍ଟ ଭଙ୍ଗ କରିବା ପରେ ଦେଶରେ ରାଜନୈତିକ ସଙ୍କଟ ଦେଖାଦେଇଥିଲା।

Share