Categories: ଖେଳ

ଦେଓଧର ଟ୍ରଫି: ପରାଗଙ୍କ ଶତକରେ ଫାଇନାଲରେ ପୂର୍ବାଞ୍ଚଳ

ପୁଡୁଚେରୀ,୨ା୮(ପି.ଟି.): ରିୟାନ୍‌ ପରାଗଙ୍କ ଶତକ ଓ ମଣିଶଙ୍କର ମୁରା ସିଂଙ୍କ ୫ ଉଇକେଟ ସଫଳତା ବଳରେ ପଶ୍ଚିମାଞ୍ଚଳକୁ ୧୫୭ ରନ୍‌ରେ ପରାସ୍ତ କରି ଦେଓଧର ଟ୍ରଫିର ଫାଇନାଲରେ ପ୍ରବେଶ କରିଛି ପୂର୍ବାଞ୍ଚଳ। ପ୍ରଥମେ ବ୍ୟାଟିଂ କରି ରିୟାନ ପରାଗଙ୍କ ଶତକ, ଉତ୍କର୍ଷ ସିଂ ଓ କୁମାର କୁଶାଗ୍ରଙ୍କ ଅର୍ଦ୍ଧଶତକ ବଳରେ ପୂର୍ବାଞ୍ଚଳ ୫୦ ଓଭରରେ ୭ ଉଇକେଟ ହରାଇ ୩୧୯ ରନ୍‌ କରିଥିଲା। ଜବାବରେ ପଶ୍ଚିମାଞ୍ଚଳ ମାତ୍ର ୧୬୨ ରନ୍‌ରେ ଅଲଆଉଟ ହୋଇଥିଲା। ମଣିଶଙ୍କର ମୁରା ସିଂ ୫ ଉଇକେଟ ନେଇ ବିପର୍ଯ୍ୟୟ ଘଟାଇଥିଲେ।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ପୂର୍ବାଞ୍ଚଳ ପକ୍ଷରୁ ଅଭିମନ୍ୟୁ ଈଶ୍ୱରନ୍‌(୩୮) ଓ ଉତ୍କର୍ଷ ସିଂ (୫୦) ଓପନିଙ୍ଗ ଯୋଡିରେ ୫୮ ରନ୍‌ ଯୋଡିଥିଲେ। ଅର୍ଜନ ନାଗ୍ବସ୍ବଲାଙ୍କ ବଲରେ ଈଶ୍ୱରନ୍‌ ଆଉଟହେବା ପରେ ବିରାଟ ସିଂ (୪୨)ଙ୍କୁ ସାଥୀ କରି ଦଳୀୟ ସ୍କୋର ୧୨୩ରେ ପହଞ୍ଚାଇଥିଲେ ଉତ୍କର୍ଷ। ୫୨ ବଲ୍‌ ଖେଳି ୭ ଚୌକା ଓ ୧ ଛକା ସହିତ ୫୦ ରନ୍‌ କରି ସେ ପ୍ୟାଭିଲିୟନ ଫେରିଥିଲେ। ପରବର୍ତ୍ତୀ ୨୦ ରନ୍‌ ମଧ୍ୟରେ ବିରାଟ ଓ ରିଷଭ ଦାସ ୬ ରନ୍‌ କରି ଆଉଟ ହୋଇଥିଲେ। ଅଧିନାୟକ ସୌରଭ ତିଓ୍ବାରୀ ମାତ୍ର ୧୩ ରନ୍‌ କରି ପଞ୍ଚମ ଖେଳାଳି ଭାବରେ ଆଉଟ ହୋଇଥିଲେ। ତେବେ ରିୟାନ ପରାଗ ଆଉ ଏକ ଦ୍ରୁତ ଶତକ ହାସଲ କରିଥିଲେ। ଚଳିତ ଟୁର୍ନାମେଣ୍ଟରେ ଦ୍ୱିତୀୟ ଶତକ ହାସଲ କରିଥିବା ରିୟାନ ଷଷ୍ଠ ଉଇକେଟରେ କୁମାର କୁଶାଗ୍ର(୫୩)ଙ୍କ ସହିତ ୧୫୦ ରନ୍‌ ଯୋଡିଥିଲେ। କୁଶାଗ୍ର ୪୭ ବଲ୍‌ ଖେଳି ୪ ଚୌକା ମାରିଥିଲେ। ଅନ୍ୟ ପକ୍ଷରେ ପରାଗ ୬୮ ବଲ୍‌ ଖେଳି ୬ ଚୌକା ଓ ୫ ଛକା ମାରିଥିଲେ। ପଶ୍ଚିମାଞ୍ଚଳ ପକ୍ଷରୁ ସାମ୍ସ ମୁଲାନୀ ୩ ଉଇକେଟ ନେଇଥିବା ବେଳେ ଅତୀତ ସେଠ୍‌ ଓ ଅର୍ଜନ ନାଗ୍ବସ୍ବଲା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
୩୨୦ ରନ୍‌ର ପିଛା କରୁଥିବା ପଶ୍ଚିମାଞ୍ଚଳ ପକ୍ଷରୁ ହାର୍ଭିକ ଦେଶାଇ ୯୨ ରନ୍‌ କରିଥିବା ବେଳେ ୭ ଜଣ ଖେଳାଳି ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ଦଳ ୩୪ ଓଭରରେ ସମସ୍ତ ଉଇକେଟ ହରାଇ ୧୬୨ ରନ୍‌ କରିଥିଲା। ଦେଶାଇ ୯୨ ବଲ ଖେଳି ୧୩ ଚୌକା ଓ ୨ ଛକା ମାରିଥିଲେ। ମଣିଶଙ୍କର ମୁରା ସିଂ ୫ ଉଇକେଟ ନେଇଥିବା ବେଳେ ଉତ୍କର୍ଷ ସିଂ ୩ ଉଇକେଟ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆକାଶ ଦୀପ୍‌ ଓ ଶାହବାଜ ଅହମଦ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ପୂର୍ବାଞ୍ଚଳ ୫୦ ଓଭରରେ ୩୧୯/୭( ରିୟାନ୍‌ ପରାଗ-୧୦୨, କୁମାର କୁଶାଗ୍ର-୫୩, ଉତ୍କର୍ଷ ସିଂ-୫୦, ସାମ୍ସ ମୁଲାନୀ-୩/୪୫, ଅତୀତ ସେଠ୍‌-୧/୫୯, ଅର୍ଜନ ନାଗ୍ବସ୍ବଲା-୧/୬୮)। ପଶ୍ଚିମାଞ୍ଚଳ ୩୪ ଓଭରରେ ୧୬୨/୧୦(ହାର୍ଭିକ୍‌ ଦେଶାଇ-୯୨, ଅତୀତ ସେଠ୍‌-୧୮, ସମର୍ଥ ବ୍ୟାସ-୧୨, ମଣିଶଙ୍କର ମୁରା ସିଂ-୫/୨୮, ଉତ୍କର୍ଷ ସିଂ-୩/୧୬, ଶାହବାଜ ଅହମଦ-୧/୨୪)।

Share