
ଦେବଗଡ,୨।୪(ଶଶାଙ୍କ ଶେଖର ଝାଙ୍କର):ରାଉରକେଲାସ୍ଥିତ ବୀର୍ସା ମୁଣ୍ଡା ହକି ଷ୍ଟାଡିୟମ ଠାରେ ଗତ ୨୬ରୁ ୩୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ରାଜ୍ୟ ସ୍ତରୀୟ ଅସ୍ମିତା ହକି ପ୍ରତିଯୋଗୀତାରେ କୃତିତ୍ୱ ଅର୍ଜନ କରିଥିବା ଦେବଗଡ ଜିଲାର ସବ-ଜୁନିଅର ବାଳିକା ହକି ଦଳକୁ ଜିଲା ବିଜେଡି ଏବଂ ଜିଲା କ୍ରୀଡା ବିଭାଗ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। କୃତି ସବଜୁନିଅର ବାଳିକା ହକି ଦଳ ଆଜି ଦେବଗଡରେ ପହଂଚିବାପରେ ଜିଲା ବିଜେଡି ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।
ଜିଲା ଯୁବ ବିଜେଡି ସଭାପତି ପ୍ରତାପ ଦେବ,ବାରକୋଟ ବ୍ଲକ ବିଜେଡି ସଭାପତି ହୀରାଲାଲ ସାହୁ,ବରିଷ୍ଠ ବିଜେଡି ନେତା ମାନସ କୁମାର ପ୍ରଧାନ ଓ ଶରତ ମେହେରଙ୍କ ନେତୃତ୍ୱରେ ବହୁ ବିଜେଡି ଓ ଯୁବ ବିଜେଡି ନେତା ଓ କର୍ମୀ ଏହି ଦଳକୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସୱଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ସେହିପରି ଏହି ଦଳକୁ ଦେବଗଡ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲା କ୍ରୀଡା ବିଭାଗ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଦେବଗଡ ଜିଲା କ୍ରୀଡା ଅଧିକାରୀ ତାପସ ରଞ୍ଜନ ମହାନ୍ତ ଓ ଜିଲା କ୍ରୀଡା ସଂସଦର ସମ୍ପାଦକ ଧିରେନ୍ଦ୍ର କୁମାର ନାୟକ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।
ସୂଚନାଯୋଗ୍ୟ ଯେ, ଉପରୋକ୍ତ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଦେବଗଡ ଜିଲାର ସବ ଜୁନିଅର ବାଳିକା ହକି ଦଳ ପ୍ରଥମ ମ୍ୟାଚରେ ଢେଙ୍କାନାଳ ଜିଲା ହକି ଦଳକୁ ୬-୪ ଗୋଲ, ଦ୍ୱିତୀୟ ମ୍ୟାଚରେ କଳାହାନ୍ଡି ଦଳକୁ ୧୧-୦ ଗୋଲରେ ପରାସ୍ତ କରିଥିଲା। ତେବେ ଲିଗ ପର୍ଯ୍ୟାୟ ତୃତୀୟ ମ୍ୟାଚରେ ସୁନ୍ଦରଗଡ ଦଳଠାରୁ ୬-୦ ଗୋଲରେ ପରାସ୍ତ ହୋଇଥିଲା। ନକ ଆଉଟ ଷ୍ଟେଜରେ ଏସଏମଏସ ହକି ଏକାଡେମୀକୁ ୫-୦ ଗୋଲରେ ପରାସ୍ତ କରି ପ୍ରତିଯୋଗିତାରେ ତୃତୀୟ ସ୍ଥାନ ଅଧିକାର କରିବାସହ ଏକ ଲକ୍ଷ ଟଙ୍କାର ପୁରସ୍କାର ହାସଲ କରିଥିଲା। ସେହିପରି ଖେଳାଳି ସୀମା ଏକ୍କା ଶ୍ରେଷ୍ଠ ମଧ୍ୟକ୍ରମ ଖେଳାଳି ବିବେଚିତ ହୋଇଥିବା ବେଳେ ଦଳର ପ୍ରଶିକ୍ଷକ ସୁଧିର କୁଜୁର ଶ୍ରେଷ୍ଠ ପ୍ରଶିକ୍ଷକ ବିବେଚିତ ହୋଇ ଜିଲା ପାଇଁ ଗୌରବ ଆଣିଥିଲେ । ଆଜିର ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସୁନାମଧନ୍ୟ ହକି ପ୍ରଶିକ୍ଷକ ବେଲାସ ଏକ୍କା, ଦୀପକ ଏକ୍କା ଓ ବିନୟ ସୁରୀନ ପ୍ରମୁଖ ଉପସ୍ଥିତ ଥିଲେ।