Categories: ଜାତୀୟ

ଦେଓଘର ରେସକ୍ୟୁ ଅପରେଶନରେ ସାମିଲ ଯବାନଙ୍କ ସହ କଥା ହେଲେ ମୋଦି, କହିଲେ ଦୁର୍ଘଟଣାରୁ ବହୁତ କିଛି ଶିକ୍ଷା ମିଳିଲା

ନୂଆଦିଲ୍ଲୀ,୧୪ ।୪: ପ୍ରଧାନମନ୍ତ୍ରୀ ନରନ୍ଦ୍ର ମୋଦି ଝାଡ଼ଖଣ୍ଡର ଦେଓଘର ରୋପୱେ ଦୁର୍ଘଟଣା ପରେ ଏହାର ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିବା ବାୟୁସେନା, ସେନା, ଏନଡିଆରଏଫ୍‌, ଆଇଟିବିପି ଓ ସ୍ଥାନୀୟ ପ୍ରଶାସନର ଅଧିକରୀ ତଥା ସାମଜିକ ସଂସ୍ଥାର ସଦସ୍ୟଙ୍କ ସହ କଥା ହୋଇଛନ୍ତି । ରୋପୱେ ଦୁର୍ଘଟଣା ପରେ ପାଖାପାଖି ୪୬ ଘଣ୍ଟାର ଅପରେଶନରେ ୫୬ ଜଣ ପର୍ଯ୍ୟଟକଙ୍କ ଜୀବନ ବଞ୍ଚାଇ ହୋଇଥିଲା ।
ମୋଦି ଏହି ରେସକ୍ୟୁ ଅପରେଶନରେ ସାମିଲ ସମସ୍ତ ସଦସ୍ୟଙ୍କ ସହ କଥା ହୋଇ କହିଥିଲେ ଆପଣମାନଙ୍କ ସାହସ ଓ ଧୈର୍ଯ୍ୟକୁ ସାରା ଦେଶ ପ୍ରଶଂସା କରୁଛି । ଆପଣମାନଙ୍କ ପାଇଁ ଆମେ କେତେଜଣ ଦେଶବାସୀଙ୍କୁ ବଞ୍ଚାଇ ପାରିଲୁ । ଏହାସବୁ ବାବା ବୈଦନାଥଙ୍କ କୃପା । ହେଲେ ଦୁଃଖର କଥା କେତେଜଣଙ୍କୁ ଆମେ ବଞ୍ଚାଇ ପାରିଲୁ ନାହିଁ ଆଉ କେତେଜଣ ଆହତ ବି ହୋଇଗଲେ । ମୃତାହତ ପରିବାରଙ୍କ ପ୍ରତି ମୋର ସମବେଦନା ତଥା ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୋଦି ।
ମୋଦି ଆହୁରି ମଧ୍ୟ କହିଥିଲେ ସାରା ଦେଶ ଆପଣମାନଙ୍କ ଦ୍ୱାରା କରାଯାଇଥିବା ଅପରେଶନକୁ ଦେଖୁଥିଲା, ଚିନ୍ତିତ ବି ଥିଲା ହେଲେ ଏହା କେତେ କଷ୍ଟସାଧ୍ୟ ଥିଲା ତାହା ସହଜରେ ଅନୁମାନ କରାଯାଉଥିଲା । ଏହାକୁ ନେଇ ଦେଶବାସୀ ଗର୍ବ କରନ୍ତି ଯେ ଆମ ନିକଟରେ ଆପଣମାନଙ୍କ ଭଳି ବୀର ତଥା କୁଶଳ ଫୋର୍ସ ରହିଛନ୍ତି ଯେଉଁମାନେ ସବୁ ପରିସ୍ଥିତିର ସାମ୍ନା କରି ଦେଶବାସୀଙ୍କୁ ସୁରକ୍ଷିତ ରଖିପାରିବେ । ଏହି ଦୁର୍ଘଟଣାରୁ ଆମକୁ ଅନେକ କିଛି ଶିକ୍ଷା ମିଳିଛି । ଆପଣମାନଙ୍କ ଅନୁଭବ ଭବିଷ୍ୟତରେ ଅନେକ କାମରେ ଆସିବ ।

Share