ପୁନରୁଦ୍ଧାର ହେଲା, ଗେଟ୍‌ ଲାଗିଲାନି

ଲୋଇସିଂହା,୨୫।୮(ଡି.ଏନ.ଏ.): ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ପଟୁଆପାଲି ପଞ୍ଚାୟତ ଅନ୍ତର୍ଗତ ବଙ୍ଗାବାହାଲ ଗଁାରେ ରହିଛି ଦେହେରୀ କଟାଁ। ୨୦ଏକର ପରିମିତ ଏହି ଜଳାଶୟର ପୁନରୁଦ୍ଧାର ଚଳିତ ବର୍ଷ ୨୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କରାଯାଇଛି। ହେଲେ ବନ୍ଧର ଜଳ ନିଷ୍କାସନ ପଥରେ ଗେଟ ଏଯାଏ ଲଗାଯାଇନାହିଁ । ଫଳରେ ଜଳାଶୟର ପାଣି ନିଷ୍କାସନ ପଥ ଦେଇ ଅଯଥାରେ ବାହାରକୁ ଚାଲି ଯାଉଛି। ବିଭାଗୀୟ ଅପାରଗତାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

ବଙ୍ଗାବାହଲ ଗାଁମୁଣ୍ଡରେ ଥିବା ଦେହେରୀ କଟାଁ ବଲାଙ୍ଗୀର କ୍ଷୁଦ୍ର ଜଳସେଚନ ବିଭାଗ ଅଧୀନରେ ରହିଛି। ଚଳିତ ବର୍ଷ ବିଭାଗ ପକ୍ଷରୁ ପ୍ରାୟ ୨୦ଲକ୍ଷ ଟଙ୍କା ପୁନରୁଦ୍ଧାରରେ ଖର୍ଚ୍ଚ କରାଯାଇଥିଲେ ହେଁ ଅନୁଦାନ ମୁତାବକ କାମ ହୋଇ ନ ଥିବା ଗ୍ରାମବାସୀ କହିଛନ୍ତି। ପ୍ରକଳ୍ପର ନିଷ୍କାସନ ପଥରେ ଏକ ଗେଟ ଲାଗିବାକୁ ଥିଲା । ହେଲେ ଠିକାଦାର ଗେଟ ନ ଲଗାଇ ଚାଲି ଯାଇଛନ୍ତି। ଏବେ ଲଘୁଚାପଜନିତ ବର୍ଷା ଲାଗିରହିଛି । ବର୍ଷା ହେବା ଫଳରେ ପ୍ରକଳ୍ପରେ ପାଣି ସଂରକ୍ଷିତ ହେବାରେ ଲାଗିଛି। ହେଲେ ଗେଟ ଲାଗି ନ ଥିବାରୁ ବର୍ଷା ପାଣି ସଂରକ୍ଷିତ ନ ରହି ନିଷ୍କାସନ ପଥରେ ବୋହି ଯାଉଛି। ଏଥିଯୋଗୁ ଆଗାମୀ ଦିନରେ ବର୍ଷା କମିଗଲେ ଦେହୁରୀ କଟାଁ ଶୁଖିଲା ପଡିବ। ବିଳମ୍ବିତ ଚାଷ ହୋଇଥିବାରୁ ପରିବର୍ତ୍ତୀ ସମୟରେ ବର୍ଷା ନ ହେଲେ ପ୍ରକଳ୍ପ ତଳମୁଣ୍ଡରେ ଥିବା ଚାଷଜମି ପ୍ରଭାବିତ ହେବା ନିଶ୍ଚିତ। ଗେଟ ପାଇଁ ଚାଷ ଓ ଚାଷୀ କ୍ଷତିଗ୍ରସ୍ତ ହେବେ ବୋଲି ବଙ୍ଗାବାହାଲ ଗ୍ରାମର ଚାଷୀ ଅଭିଯୋଗ କରିଛନ୍ତି। ବର୍ଷା ସରିଲା ପରେ ପ୍ରକଳ୍ପରେ ଗେଟ ଲାଗିବ କି ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି।