ବିଭାଗୀୟ ତଦନ୍ତ ଆରମ୍ଭ

ବେଲପଡା,୨୬।୩ (ଡି.ଏନ.ଏ.): ବଲାଙ୍ଗୀର ଜିଲା ବେଲପଡା ଥାନା ଅନ୍ତର୍ଗତ କଦଳୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବାଲକୃଷ୍ଣ ଶବର ଚତୁର୍ଥ ଶ୍ରେଣୀ ଛାତ୍ରୀ ଅନୁ ନାଗଙ୍କୁ ଗୁରବାର ମାଡ଼ ମାରିଥିଲେ। ଏଥିରେ ଛାତ୍ରୀ ଅନୁଙ୍କ ଡାହାଣ ହାତ ଭାଙ୍ଗି ଯାଇଥିବା ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ ଧରିତ୍ରୀରେ ଖବର ପ୍ରକାଶ ପରେ ଶିକ୍ଷା ବିଭାଗ ତରଫରୁ ତତ୍ପରତା ପ୍ରକାଶ ପାଇଛି l ଘଟଣାର ତଦନ୍ତ ପାଇଁ ଶନିବାର ବେଲପଡା ଶିକ୍ଷା ବିଭାଗର ଏବିଇଓମାନେ ଅନୁ ନାଗଙ୍କ ଘରରେ ପହଞ୍ଚି ଘଟଣା ବିଷୟରେ ପଚାରି ବୁଝିଥିଲେ। ଛାତ୍ରୀ ଜଣକ ଅଧିକାରୀମାନଙ୍କ ସମ୍ମୁଖରେ ପ୍ରଧାନଶିକ୍ଷକ ଶବରଙ୍କ ଆଚରଣ ସମ୍ପର୍କରେ କହିଥିଲେ। ଘଟଣା ଦିନ ମୋତେ ଓଡ଼ିଆ ମିନିଙ୍ଗ ପଚାରିଥିଲେ। ମୁଁ ନ କହିପାରିବାରୁ ରାଗି ଯାଇ ମୋ ବାମ ହାତରେ ଏକ ବାଉଁଶ ବାଡ଼ିରେ ପିଟିଥିଲେ ବୋଲି କହିଥିଲେ। ପରେ ତଦନ୍ତକାରୀ ଦଳ ସ୍କୁଲକୁ ଯାଇ ଶିକ୍ଷକ ଓ ଛାତ୍ରୀଛାତ୍ରଙ୍କୁ ଘଟଣା ସମ୍ପର୍କରେ ପଚାରି ଥିଲେ। ଶନିବାର ପ୍ରଧାନଶିକ୍ଷକ ସ୍କୁଲରେ ଛୁଟି ଦରଖସ୍ତ ଦେଇ ଅନୁପସ୍ଥିତ ରହିଥିଲେ। ତଦନ୍ତରେ ଏବିଡିଓ ଜଗବନ୍ଧୁ ମାଝି,ଏବିଇଓ ଚତୁର୍ଭୁଜ ମିର୍ଦ୍ଧା, ଏବିଇଓ ରଘୁନାଥ ମହରାଙ୍କ ସହ କଦଳୀ ସ୍କୁଲର ସିଆରସସି ପ୍ରଦୀପ ସିଂ ବାବୁ, କପାଣି ସିଆରସିସି ରଞ୍ଜନ ମେହର,ଥୁଡିବାହାଲ ସିଆରସିସି, ବିପି ସିଂ ନାଏକ ଓ ପ୍ରମୋଦ ଥାନାପତି ପ୍ରମୁଖ ସାମିଲ ହୋଇଥିଲେ।
ସୂଚନାଯୋଗ୍ୟ ଯେ, ପ୍ରଧାନଶିକ୍ଷକ ଶବର ପ୍ରାୟ ଦିନ ସ୍କୁଲକୁ ବିଳମ୍ବରେ ଆସିଥାନ୍ତି ବୋଲି ଛାତ୍ରୀଛାତ୍ର ଓ ଅଭିଭାବାକମାନେ ତଦାନ୍ତକରୀ ଅଧିକାରୀମାନଙ୍କୁ କହିଥିଲେ। ଅନୁଙ୍କୁ ମାଡ଼ ମାରିବା ଦିନଠାରୁ ଆଉ ସ୍କୁଲକୁ ଆସୁ ନ ଥିବା ଓ ମାଡ଼ ଖାଇ ହାତ ଭାଙ୍ଗିଯିବା ପରେ ଛାତ୍ରୀ ମଧ୍ୟ ସ୍କୁଲକୁ ଆସି ପରୀକ୍ଷା ଦେଇପାରୁ ନ ଥିବା ଜଣାଯାଇଛି। ପୂର୍ବରୁ ମଧ୍ୟ ଶବର ସାମାନ୍ୟ କଥାରେ ଛାତ୍ରୀଛାତ୍ରଙ୍କୁ ମାଡ଼ ମାରୁଥିବା ନେଇ ସ୍କୁଲ ପରିଚାଳନା କମିଟି ଓ ଗ୍ରାମବାସୀଙ୍କ ମଧ୍ୟରେ ସଭା ହୋଇଛି ଓ ପ୍ରଧାନଶିକ୍ଷକ ଭୁଲ ମାଗିଛନ୍ତି ବୋଲି କମିଟି ସଦସ୍ୟ ଅଧିକାରୀଙ୍କୁ କହିଥିବା ଜଣାପଡିଛଇ।