Categories: ଖେଳ

ବ୍ରାଜିଲ, ଇଟାଲୀର ବିଦାୟ

ହାମିଲଟନ୍‌,୩ା୮(ପି.ଟି.): ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଅନୁଷ୍ଠିତ ମହିଳା ଫୁଟବଲ ବିଶ୍ୱକପରେ ବୁଧବାର କିଛି ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ବ୍ରାଜିଲ ଓ ଇଟାଲୀ ପରି ଶକ୍ତିଶାଳୀ ଦଳ ଟୁର୍ନାମେଣ୍ଟରୁ ବାଦ ପଡିଥିବା ବେଳେ ପ୍ରଥମ ଥର ପାଇଁ ନକ୍‌ଆଉଟରେ ପ୍ରବେଶ କରି ଇତିହାସ ରଚିଛନ୍ତି ଦକ୍ଷିଣ ଆଫ୍ରିକା ଓ ଜାମାଇକା। ଆର୍ଜେଣ୍ଟିନାକୁ ପରାସ୍ତ କରିଥିବା ସୁଇଡେନ୍‌ ଆମେରିକା ସହିତ ଏହାର ରାଉଣ୍ଡ ଅଫ୍‌-୧୬ ମୁକାବିଲା ଖେଳିବ।
ରାଉଣ୍ଡ ଅଫ୍‌-୧୬ରେ ଦକ୍ଷିଣ ଆଫ୍ରିକା, ଜାମାଇକା: ପ୍ରଥମ ଥର ପାଇଁ ବିଶ୍ୱକପର ରାଉଣ୍ଡ ଅପ୍‌ ୧୬(ନକ୍‌ଆଉଟ୍‌)ରେ ପ୍ରବେଶ କରିଛନ୍ତି ଦକ୍ଷିଣ ଆଫ୍ରିକା ଓ ଜାମାଇକା। ଦକ୍ଷିଣ ଆଫ୍ରିକା ୩-୨ରେ ଇଟାଲୀକୁ ପରାସ୍ତ କରିଥିବା ବେଳେ ବ୍ରାଜିଲ ସହିତ ୦-୦ରେ ମ୍ୟାଚ୍‌ ଅମୀମାଂସିତ ରଖି ନକ୍‌ଆଉଟକୁ ଉନ୍ନୀତ ହୋଇଛି ଜାମାଇକା। ୪ଥର ବିଶ୍ୱକପ୍‌ ଖେଳି ସାରିଥିବା ଇଟାଲୀକୁ ଅନ୍ତିମ ଗ୍ରୁପ ମ୍ୟାଚ୍‌ରେ ୩-୨ରେ ପରାସ୍ତ କରିଛି ଦକ୍ଷିଣ ଆଫ୍ରିକା। ଇଞ୍ଜୁରୀ ଟାଇମରେ ଥେମ୍ବି କେଗ୍ଲାଟାନା ଦକ୍ଷିଣ ଆଫ୍ରିକା ପକ୍ଷରୁ ନିର୍ଣ୍ଣାୟକ ଗୋଲ ସ୍କୋର କରିଥିଲେ। ଇଟାଲୀ ପକ୍ଷରୁ ଆରିଆନା କାରୁସୋ (୧୧ ଓ ୭୪ ମିନିଟ) ଡବଲ୍‌ ଗୋଲ୍‌ ଦେଇଥିଲେ। ମ୍ୟାଚ୍‌ର ୧୧ତମ ମିନିଟରେ ଆରିଆନା ପ୍ରଥମ ଗୋଲ ସ୍କୋର କରି ଇଟାଲୀକୁ ୧-୦ରେ ଆଗୁଆ କରିଥିଲେ। ୩୨ ତମ ମିନିଟରେ ଡିଫେଣ୍ଡର ବେନେଡେଟ୍ଟା ଓର୍ସିଙ୍କ ଆତ୍ମଘାତୀ ଗୋଲ୍‌ ବଳରେ ମ୍ୟାଚ୍‌ ସମାନ୍ତର ସ୍ଥିତିକୁ ଆସିଥିଲା। ଦ୍ୱିତୀୟାର୍ଦ୍ଧରେ ହିଲଦା ମାଗାୟା୬୭ ତମ ମିନିଟରେ ଗୋଲ ଦେଇ ଦକ୍ଷିଣ ଆଫ୍ରିକାକୁ ଆଗୁଆ କରିଥିଲେ। ତେବେ ଏହାର ୭ ମିନିଟ ପରେ ଇଟାଲୀ ପକ୍ଷରୁ ଆରିଆନା ଆଉ ଏକ ଗୋଲ ସ୍କୋର କରିଥିଲେ। ମ୍ୟାଚ୍‌ ଡ୍ର ଆଡକୁ ଯାଉଥିବା ବେଳେ ଥେମ୍ବି କେଗ୍ଲାଟାନା ଗୋଲ ସ୍କୋର କରିବା ସହିତ ଦକ୍ଷିଣ ଆଫ୍ରିକାକୁ ନକ୍‌ ଆଉଟରେ ପହଞ୍ଚାଇ ଥିଲେ। ଅନ୍ୟ ପକ୍ଷରେ ବ୍ରାଜିଲ ସହିତ ମ୍ୟାଚ୍‌କୁ ୦-୦ରେ ଡ୍ର ରଖି ରାଉଣ୍ଡ ଅଫ୍‌ ୧୬ରେ ପ୍ରବେଶ କରିଛି ଜାମାଇକା। ୩ ମ୍ୟାଚ୍‌ରୁ ୧ ବିଜୟ ଓ ୨ ଡ୍ର ସହିତ ୫ ପଏଣ୍ଟ ଅର୍ଜନ କରି ଜାମାଇକା ଯୋଗ୍ୟତା ଅର୍ଜନ କରିଛି।
ସୁଇଡେନ୍‌ ନକ୍‌ଆଉଟରେ: ଗ୍ରୁପ୍‌ ଜିରେ ଥିବା ସୁଇଡେନ୍‌ ଏହାର ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ଆର୍ଜେଣ୍ଟିନାକୁ ୨-୦ରେ ପରାସ୍ତ କରି ନକ୍‌ଆଉଟରେ ପ୍ରବେଶ କରିଛି। ୩ଟି ଯାକ ମ୍ୟାଚରେ ବିଜୟ ହାସଲ କରିବା ସହିତ ଦଳ ଆମେରିକା ସହିତ ଏହାର ପ୍ରି କ୍ୱାର୍ଟର ଫାଇନାଲ ମ୍ୟାଚ୍‌ ଖେଳିବ। ବର୍ଷା ହୋଇଥିବା ମ୍ୟାଚ୍‌ରେ ସୁଇଡେନ୍‌ ପକ୍ଷରୁ ଉଭୟ ଗୋଲ ମ୍ୟାଚ୍‌ର ଦ୍ୱିତୀୟାର୍ଦ୍ଧରେ ସ୍କୋର ହୋଇଥିଲା। ରେବେକା ବ୍ଲୋମକୋଭିଷ୍ଟ ୬୬ ମିନିଟରେ ଓ ଏଲିନ୍‌ ରବେନ୍‌ସନ୍‌ ୯୦ ମିନିଟରେ ଗୋଲ ଦେଇ ଦଳକୁ ବିଜୟୀ କରିଥିଲେ।
ଡିଆନିଙ୍କ ହ୍ୟାଟ୍ରିକ୍‌: ଚଳିତ ବିଶ୍ୱକପର ଦ୍ୱିତୀୟ ହ୍ୟାଟ୍ରିକ୍‌ ଅର୍ଜନ କରିଛନ୍ତି ଫ୍ରାନ୍ସର କାଡିଡିଆଟୋଉ ଡିଆନି। ଫ୍ରାନ୍ସ ୬-୩ ଗୋଲରେ ପାନାମାକୁ ପରାସ୍ତ କରିବା ସହିତ ଗ୍ରୁପ୍‌ ଏଫ୍‌ର ଏକ ନମ୍ବର ସ୍ଥାନରେ ରହି ନକ୍‌ଆଉଟରେ ପ୍ରବେଶ କରିଛି। ଡଆନି(୨୮, ୩୭ ଓ ୫୨ ମିନିଟ)ରେ ୩ ଗୋଲ୍‌ ସ୍କୋର କରିଥିବା ବେଳେ ମାଏଲେ ଲାର୍କର(୨୧ ମିନିଟ), ଲି ଲେ ଗାରେକ୍‌(୪୫+୫ ମିନିଟ) ଓ ଭିକି ବେକୋ(୯୦+୧୦ ମିନିଟ)ରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଅନ୍ୟପକ୍ଷରେ ପାନାମ ପକ୍ଷରୁ ମାର୍ଟା କକ୍ସ(୨ ମିନିଟ), ୟୋମିରା ପିଞ୍ଜନ(୬୪ ମିନିଟ) ଓ ଲିନେଥ୍‌ ସେଡେନୋ(୮୭ ମିନିଟ) ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ମାର୍ଟା କକ୍ସ ମ୍ୟାଚର ଦ୍ୱିତୀୟ ମିନିଟରେ ସ୍କୋର କରିବା ସହିତ ଟୁର୍ନାମେଣ୍ଟର ଦ୍ରୁତତମ ଗୋଲ ରେକର୍ଡ ନିଜ ନାମରେ କରିଥିଲେ।

Share