Categories: ଖେଳ

ଆୟୋଜକ ନ୍ୟୁଜିଲାଣ୍ଡର ବିଦାୟ

ଡୁନେଡିନ୍‌/ସିଡ୍‌ନୀ, ୩୧ା୭ (ଏପି): ଚଳିତ ଫିଫା ମହିଳା ଫୁଟ୍‌ବଲ ବିଶ୍ୱକପ୍‌ର ଗ୍ରୁପ୍‌ ‘ଏ’ରେ ରବିବାର ନ୍ୟୁଜିଲାଣ୍ଡ ଓ ସୁଇଜରଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଏକ ମ୍ୟାଚ ଗୋଲ୍‌ଶୂନ୍ୟ ଭାବେ ଶେଷ ହୋଇଛି। ଏଥି ସହିତ ନ୍ୟୁଜିଲାଣ୍ଡ ଟୁର୍ନାମେଣ୍ଟ ଇତିହାସରେ ପ୍ରଥମ ଦଳ ଭାବେ ଗ୍ରୁପ୍‌ ପର୍ଯ୍ୟାୟରୁ ବିଦାୟ ନେଇଛି। ଅନ୍ୟପକ୍ଷରେ ସୁଇଜରଲାଣ୍ଡ ଗୋଟିଏ ବିଜୟ ଓ ୨ଟି ଡ୍ର ସହ ୫ ପଏଣ୍ଟ ଅର୍ଜନ କରି ଗ୍ରୁପ୍‌ ଏ’ର ଶୀର୍ଷରେ ରହିବା ସହ ପ୍ରି-କ୍ୱାର୍ଟରଫାଇନାଲକୁ ଉନ୍ନୀତ ହୋଇଛି। ଦଳ ବର୍ତ୍ତମାନ ଗ୍ରୁପ୍‌ ସି’ର ସ୍ପେନ କିମ୍ବା ଜାପାନକୁ ଭେଟିବ।

ସିଡ୍‌ନୀ ଫୁଟବଲ ଷ୍ଟାଡିୟମରେ କଲମ୍ବିଆ ଶେଷ ମୁହୂର୍ତ୍ତରେ ଏକ ଗୋଲ ସ୍କୋର ୨ଥର ବିଶ୍ୱ ଚାମ୍ପିୟନ ଜର୍ମାନୀକୁ ୨-୧ ଗୋଲ୍‌ରେ ପରାସ୍ତ କରି ଟୁର୍ନାମେଣ୍ଟରେ ଏକ ବିପର୍ଯ୍ୟୟ ସୃଷ୍ଟି କରିଛି। କଲମ୍ବିଆ ପକ୍ଷରୁ ଲିଣ୍ଡା କାଲ୍‌ସେଡୋ ଖେଳର ୫୨ତମ ମିନିଟ୍‌ରେ ଗୋଲ ସ୍କୋର କରି ତାଙ୍କ ଦଳକୁ ୧-୦ରେ ଅଗ୍ରଣୀ କରାଇଥିଲେ। ମାତ୍ର ୮୯ତମ ମିନିଟ୍‌ରେ ଆଲେଜାଣ୍ଡ୍ରା ପପ୍‌ଙ୍କ ଜରିଆରେ ଏକ ଗୋଲ୍‌ ସ୍କୋର କରି ଜର୍ମାନୀ ମ୍ୟାଚକୁ ୧-୧ ସ୍ତରକୁ ନେଇ ଆସିଥିଲା। ପରବର୍ତ୍ତୀ ସମୟରେ ଖେଳର ୯୦+୭ତମ ସମୟରେ ମାନୁଏଲା ଭେନେଗାସ୍‌ଙ୍କ ଗୋଲ୍‌ ଯୋଗୁ କଲମ୍ବିଆ ବିଜୟ ଲାଭ କରିଥିଲା।

ଏହି ବିଜୟ ଦ୍ୱାରା କଲମ୍ବିଆ ଗ୍ରୁପ୍‌ ‘ଏଚ୍‌’ରେ ଖେଳିଥିବା ଦୁଇଟି ମ୍ୟାଚର ୬ ପଏଣ୍ଟ ଅର୍ଜନ କରି ଷ୍ଟାଣ୍ଡିଂରେ ପ୍ରଥମ ସ୍ଥାନ ଅଧିକାର କରିଛି। ରବିବାର ଖେଳାଯାଇଥିବା ଅନ୍ୟ ଏକ ମ୍ୟାଚରେ ନରଓ୍ବେ ୬-୦ ଗୋଲ୍‌ରେ ଫିଲିପାଇନ୍ସକୁ ପରାସ୍ତ କରି ନକ୍‌ଆଉଟରେ ପ୍ରବେଶ କରିଛି। ଦଳ ପକ୍ଷରୁ ସୋଫି ରୋମନ ହଗ୍‌ ୩ଟି ଗୋଲ୍‌ ସ୍କୋର କରିଥିବା ବେଳେ କାରୋଲିନ୍‌ ଗ୍ରାହାମ ହାନସେନ୍‌ ଓ ଗୁରୋ ରେଲ୍‌ଟନ ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ତେବେ ଗ୍ରୁପ୍‌ ଏ’ରେ ଏହି ଦଳ ସୁଇଜରଲାଣ୍ଡ ପଛକୁ ଦ୍ୱିତୀୟ ସ୍ଥାନରେ ରହିଛି। ସେହିପରି ଅନ୍ୟ ଏକ ମ୍ୟାଚରେ ମରକ୍କୋ ୧-୦ ଗୋଲ୍‌ରେ ଦକ୍ଷିଣ କୋରିଆକୁ ପରାସ୍ତ କରି ଚଳିତ ବିଶ୍ୱକପ୍‌ରେ ଏହାର ପ୍ରଥମ ବିଜୟ ହାସଲ କରିଛି। ଦଳ ପକ୍ଷରୁ ବିଜୟସୂଚକ ଗୋଲ୍‌ଟିକୁ ଇବିତ୍‌ସାମ ଜ୍ରାଦି ଖେଳର ୬ଷ୍ଠ ମିନିଟ୍‌ରେ ସ୍କୋର କରିଥିଲେ।

Share