ବନ୍ଧକ ରଖାଯାଇଥିବା ଲୋକଙ୍କ ଅବସ୍ଥା ଦୟନୀୟ: ତୁରନ୍ତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ ଦାବି…

ଜେରୁଜେଲମ,୧୫।୧୦: (୦୧) ହମାସ ଦ୍ୱାରା ବନ୍ଧକ ରଖାଯାଇଥିବା ଶତାଧିକ ଇସ୍ରାଏଲ ଏବଂ ଅନ୍ୟ ଦେଶର ନାଗରିକଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇପଡ଼ିଛି। ଏଭଳି ପରିସ୍ଥିତିରେ ‘ହୋଷ୍ଟେଜ ଏବଂ ନିଖୋଜ ପରିବାର ଫୋରମ’ର ମେଡିକାଲ ଟିମର ମୁଖ୍ୟ ହାଗାଇ ଲେଭିନ ଅନ୍ତର୍ଜାତୀୟ ସମୁଦାୟକୁ ଏଥିରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି।

ସେ କହିଛନ୍ତି କେତେକ ବନ୍ଧକମାନଙ୍କର ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ରହିଛି। ତେଲ ଅଭିଭରେ ଅନୁଷ୍ଠିତ ସମ୍ମିଳନୀରେ ଗଣମାଧ୍ୟମକୁ ଲେଭିନ କହିଛନ୍ତି ହାମାସ ଶହ ଶହ ଇସ୍ରାଏଲ ତଥା ଆମେରିକୀୟ ଏବଂ ବହୁ ୟୁରୋପୀୟ ନାଗରିକଙ୍କୁ ବନ୍ଧକ ରଖିଛି। କେତେକଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିବାରୁ ସେମାନଙ୍କର ଯତ୍ନ ନେବା ଜରୁରୀ ହୋଇପଡ଼ିଛି।

ଏହି ଘଟଣାରେ ହସ୍ତକ୍ଷେପ କରିବାକୁ ତୁର୍କୀ, ଇଜିପ୍ଟ, କତାର ଏବଂ ସାଉଦି ଆରବ ସରକାରଙ୍କୁ ଲେଭିନ ଆହ୍ବାନ ଦେଇଛନ୍ତି। ଲେଭିନ ଗୁରୁତ୍ୱାରୋପ କରିଛନ୍ତି ଆବଶ୍ୟକ କରୁଥିବା ଲୋକଙ୍କୁ ଚିକିତ୍ସା ଯୋଗାଇ ନ ଦେବା ମାନବିକତା ନୁହେଁ। ମୁଁ ଆଶା କରୁଛି ହମାସ ବନ୍ଧକଙ୍କୁ ଚିକିତ୍ସା ପାଇଁ ଅନୁମତି ଦେବାକୁ ରାଜି ହେବ।

ସେ କହିଛନ୍ତି ରେଡ କ୍ରସ ହେଉଛି ଏକ ନିରପେକ୍ଷ ସଂଗଠନ ଯାହା ଲୋକଙ୍କ ଜାତୀୟତାକୁ ଖାତିର ନ କରି ପୀଡିତଙ୍କ ଯତ୍ନ ନିଏ। ଆମେ ଇସ୍ରାଏଲରେ ଅବସ୍ଥାପିତ ରେଡ କ୍ରସ ଦଳ ସହିତ ସାକ୍ଷାତ କରି କହିଛୁ ଆମେ ଆଶା କରୁଛୁ ରେଡ କ୍ରସ ବର୍ତ୍ତମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଏବଂ ବନ୍ଧକମାନଙ୍କୁ ଯଥା ସମ୍ଭବ ସେବା ଯୋଗାଇ ଦେବ।

ଇସ୍ରାଏଲ ଗଣମାଧ୍ୟମ ଅନୁଯାୟୀ, ଏକ ଚୁକ୍ତିନାମା ଅନୁଯାୟୀ ଇସ୍ରାଏଲ ବିଦେଶୀ ନାଗରିକମାନଙ୍କୁ ଗାଜା ଛାଡିବାକୁ ଅନୁମତି ଦେଇଛି। ଖବର ଅନୁଯାୟୀ, ଗାଜାରେ ରହୁଥିବା ବିଦେଶୀ ନାଗରିକମାନଙ୍କୁ ରାଫା ସୀମା ପାର ହୋଇ ଇଜିପ୍ଟରେ ପ୍ରବେଶ କରିବାକୁ ଅନୁମତି ଦେବାକୁ ଇଜିପ୍ଟ, ଇସ୍ରାଏଲ ଏବଂ ଆମେରିକା ସହମତ ହୋଇଛନ୍ତି। ଏହା ଅନ୍ତର୍ଗତ ଇସ୍ରାଏଲ ପାଲେଷ୍ଟାଇନ ଅଞ୍ଚଳ ଛାଡିବା ସମୟରେ ବିଦେଶୀମାନେ ଯେଉଁ ଅଞ୍ଚଳ ଦେଇ ଯିବେ ସେହି ସ୍ଥାନ ଉପରେ ଆକ୍ରମଣରୁ ନିବୃତ୍ତ ରହିବାକୁ ରାଜି ହୋଇଛି।

Share