Advertisement

ନାରାୟଣପାଟଣା ପୋଷ୍ଟ ଅଫିସରୁ ଜମାକାରୀଙ୍କ ଟଙ୍କା ହଡ଼ପ

ନାରାୟଣପାଟଣା,୨୬ା୨(ଡି.ଏନ.ଏ.): କୋରାପୁଟ ଜିଲାରେ ଥମୁନି ପୋଷ୍ଟ ଅଫିସ ଦୁର୍ନୀତି। ଜମାକାରୀଙ୍କ କଷ୍ଟଲବଧ ଅର୍ଥରେ କେତେଜଣ କର୍ମଚାରୀ ବେଶ୍‌ ସ୍ବଚ୍ଛନ୍ଦରେ ଚଳୁଛନ୍ତି। ଜିଲାର ବୈପାରିଗୁଡା ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡପ ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ଏବେ ନାରାୟଣପାଟଣାରେ ଅନୁରୂପ ଘଟଣା ଲୋକଲୋଚନକୁ ଆସିଛି। ଏଠାରେ କେତେକ ଜମାକାରୀଙ୍କ ପ୍ରାୟ ୭/୮ ଲକ୍ଷ ଟଙ୍କା ହଡପ ହୋଇଥିବା ଅଭିଯୋଗ ହୋଇଛି। ବିଭାଗର ଗ୍ରାମୀଣ ଡାକ ସେବକ ବୃନ୍ଦାବନ ଦଳେଇ ଜାଲିଆତି କରି ସେମାନଙ୍କ ଟଙ୍କାହଡପ କରିଥିବା ଜମାକାରୀ ପ୍ରକାଶ କରିଛନ୍ତି। ଦୀର୍ଘଦିନ ହେବ ବୃନ୍ଦାବନ ଗ୍ରାମକୁ ଗ୍ରାମ ବୁଲି ପୋଷ୍ଟ ଅଫିସ ପାଇଁ ଲୋକଙ୍କ ଜମାଖାତା ଖୋଲି ଟଙ୍କା ନେଇ ପୋଷ୍ଟ ଅଫିସରେ ଜମାକରି ରସିଦ ଦେଇ ଆସୁଥିଲେ। ତାଙ୍କୁ ବିଶ୍ବାସ କରି ଜମାକାରୀମାନେ କେବେ ଡାକଘରକୁ ଯାଇ ତଦାରଖ କରୁ ନ ଥିଲେ। କ୍ରମେ ବୃନ୍ଦାବନ ଲୋକଙ୍କ ସରଳତାର ଫାଇଦା ଉଠାଇ ଟଙ୍କା ହଡପ କରିବା ଆରମ୍ଭ କଲେ। ତାଙ୍କ ଚାଲିଚଳନରେ ଜମାକାରୀମାନେ ସନ୍ଦେହ ପ୍ରକାଶ କରି ଶୁକ୍ରବାର ୨୦/୨୫ ଜଣ ଜମାକାରୀ ପୋଷ୍ଟ ଅଫିସକୁ ଯାଇ ଜମାଖାତା ତଦାରଖ କରିଥିଲେ। ମାତ୍ର ସମସ୍ତ ଜମାଖାତା ଜାଲ୍‌ ବୋଲି ଜଣାପଡ଼ିଥିଲା। କାହାର ମଧ୍ୟ ଟଙ୍କାଟିଏ ପୋଷ୍ଟ ଅଫିସରେ ଡିପୋଜିଟ ହୋଇ ନ ଥିବା ଜମାକାରୀ ଜାଣିବାକୁ ପାଇଥିଲେ। ଏହା ଜାଣିବା ପରେ ବୃନ୍ଦାବନ ଅଫିସରୁ କୌଶଳକ୍ରମେ ଖସି ପଳାଇଥିଲେ। ଜମାକାରୀମାନେ କିପରି ଟଙ୍କା ଫେରିପାଇବେ ସେ ନେଇ ପୋଷ୍ଟମାଷ୍ଟର ସନ୍ତୋଷ ମାଣିଙ୍କ ସହ ଆଲୋଚନା କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share