Categories: ଜାତୀୟ

୩ ଆଇପିଏସ୍‌ ଅଫିସରଙ୍କୁ ଡେପୁଟେଶନ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୧୩।୧୨(ପି.ଟି.): ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ କାର୍‌ ଉପରେ ଆକ୍ରମଣ ବେଳେ ସୁରକ୍ଷାରେ ତ୍ରୁଟି ପାଇଁ ଦାୟୀ ପଶ୍ଚିମବଙ୍ଗର ୩ ଜଣ ଆଇପିଏସ୍‌ ଅଫିସରଙ୍କୁ କେନ୍ଦ୍ରୀୟ ଡେପୁଟେଶନରେ ନେବା ଲାଗି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଶନିବାର ଏକତରଫା ଭାବେ ସମନ ଜାରି କରିଛି। ଉକ୍ତ ୩ ଅଫିସର ନଡ୍ଡାଙ୍କ ସୁରକ୍ଷା ଦାୟିତ୍ୱରେ ଥିଲେ। ଏହି ଘଟଣା ପରେ ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର ଏବଂ କେନ୍ଦ୍ର ମଧ୍ୟରେ ବିବାଦ ଆହୁରି ତୀବ୍ର ହୋଇଛି। ସାଧାରଣତଃ ସର୍ବଭାରତୀୟ ଅଧିକାରୀମାନଙ୍କୁ କେନ୍ଦ୍ରୀୟ ଡେପୁଟେଶନରେ ନେବା ପୂର୍ବରୁ ରାଜ୍ୟ ସରକାରଙ୍କ ମତାମତ ନିଆଯାଇଥାଏ। କିନ୍ତୁ ପଶ୍ଚିମବଙ୍ଗ କ୍ଷେତ୍ରରେ ତାହା ହୋଇନାହିଁି। ରାଜ୍ୟର ଆଇଏଏସ୍‌ ଏବଂ ଆଇପିଏସ୍‌ ଅଫିସରମାନଙ୍କୁ ଆତଙ୍କିତ କରି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ପଶ୍ଚିମବଙ୍ଗରେ ପରୋକ୍ଷରେ ଜରୁରୀ ପରିସ୍ଥିତି ଲାଗୁ କରିବାକୁ ଉଦ୍ୟମ କରୁଛନ୍ତି ବୋଲି ତୃଣମୂଳ କଂଗ୍ରେସ ଅଭିଯୋଗ କରିଛି। ଟିଏମ୍‌ସି ଏମ୍‌ପି କଲ୍ୟାଣ ବାନାର୍ଜୀ ସ୍ବରାଷ୍ଟ୍ର ସଚିବ ଅଜୟ ଭାଲ୍ଲାଙ୍କୁ ପତ୍ର ଲେଖି ଏହାର ପ୍ରତିବାଦ ଜଣାଇଛନ୍ତି। ଗୁରୁବାର ନଡ୍ଡାଙ୍କ ଗାଡ଼ି ଉପରେ ଢେଲାମାଡ଼ ଘଟଣା ପାଇଁ ସେ ନିଜେ ଦାୟୀ ବୋଲି ଟିଏମ୍‌ସି ନେତା କହିଛନ୍ତି।

Share