ମିଶନ ମୋଡ୍‌ରେ ଉପମୁଖ୍ୟମନ୍ତ୍ରୀ: ଦେଲେ ଏମିତି ନିର୍ଦ୍ଦେଶ

ଭୁବନେଶ୍ୱର, ୧୯।୭(ଅସମାପିକା ସାହୁ):ମହିଳା ଓ ଶିଶୁ ବିକାଶ ଅନ୍ତର୍ଗତ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନରେ ଗୁରୁବାର ଜିଲା ସମାଜ ମଙ୍ଗଳ ଅଧିକାରୀଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ ମିଶନ ମୋଡ୍‌ରେ ଅପପୁଷ୍ଟି ଦୂର କରିବା ଲକ୍ଷ୍ୟରେ ସାମିଲ ହେବା ପାଇଁ ଜିଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ଅଧିକ ପୁଷ୍ଟିହୀନତା ଜିଲାକୁ ବିଶେଷ ଧ୍ୟାନ ଦେଇ ଉକ୍ତ ଜିଲାମାନଙ୍କୁ ପୁଷ୍ଟିହୀନତାମୁକ୍ତ କରିବା ଉପରେ ପରିଡ଼ା ଗୁରୁତ୍ୱାରୋପ କରିଛନ୍ତି। ସେ କ୍ଷେତ୍ର ପରିଦର୍ଶନରେ ଯାଇ ଛତୁଆ ସହ ସମସ୍ତ ଶୁଖିଲା ଖାଦ୍ୟ ସାମଗ୍ରୀ(ଟେକ୍‌ ହୋମ୍‌ ରାଶନ୍‌)ର ଗୁଣବତ୍ତାକୁ ନିୟମିତ ଯାଞ୍ଚ କରିବା ସହ ଅଙ୍ଗନଓ୍ବାଡ଼ି କର୍ମୀ ଓ ସହାୟିକାମାନଙ୍କୁ ନିୟମିତ ତାଲିମ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ସମସ୍ତ ଜିଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ନିର୍ଭୟରେ କାର୍ଯ୍ୟ କରିବାକୁ ଉପଦେଶ ଦେବା ସହ ସେମାନଙ୍କଠାରୁ ସୁଚିନ୍ତିତ ପ୍ରସ୍ତାବ ଆହ୍ବାନ କରିଛନ୍ତି। ମହିଳା ଏବଂ ଶିଶୁଙ୍କ ସ୍ବାସ୍ଥ୍ୟ ଓ ପୋଷଣ ଓଡ଼ିଶା ସରକାରଙ୍କ ପ୍ରାଥମିକତା ବୋଲି ସେ କହିଛନ୍ତି। ୧୦୦ ଦିନ ପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପରିଡ଼ା କଡ଼ା ତାଗିଦା କରିଛନ୍ତି। ମା’ମାନେ ଛୋଟ ଛୋଟ ଶିଶୁଙ୍କୁ ଫାଷ୍ଟଫୁଡ୍‌ ଦେବା ବଦଳରେ ପୁଷ୍ଟିକର ଖାଦ୍ୟ ଦେବା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପରିଡ଼ା ଗୁରୁତ୍ୱାରୋପ କରିଛନ୍ତି। ଏହି ଅବସରରେ ମହିଳା ଓ ଶିଶୁ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ଯୋଗଦେଇ ବିଭାଗର ସମସ୍ତ ଯୋଜନାର ସଫଳ ରୂପାୟନ ନିମନ୍ତେ ରାଜ୍ୟର ସମାଜ ମଙ୍ଗଳ ଅଧିକାରୀଙ୍କୁ ପ୍ରୋତ୍ସାହିତ କରିଛନ୍ତି। କାର୍ଯ୍ୟକ୍ରମରେ ମହିଳା ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶିକା ମୋନିଶା ବାନାର୍ଜୀଙ୍କ ସହ ଅନ୍ୟାନ୍ୟ ବିଭାଗୀୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

Share