ଡବଲ ଇଞ୍ଜିନ ସରକାରକୁ ନେଇ ଏମିତି କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଚଣ୍ଡିଗଡ଼/ଭୁବନେଶ୍ୱର,୧୭ା୧୦: ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗୁରୁବାର ହରିୟାଣାରେ ପହଞ୍ଚିଛନ୍ତି। ଆଜି ହରିୟାଣା ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ ସେ ଚଣ୍ଡିଗଡ଼ରେ ପହଞ୍ଚିଛନ୍ତି। ଏଠାରେ ପହଞ୍ଚି ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଡବଲ ଇଞ୍ଜିନ ସରକାରମାନେ ଦୁଇଗୁଣା ବିକାଶ।

ସେ ଆହୁରି ମଧ୍ୟ କହିଛନ୍ତି, ଏଠାରେ ଭାଜପା ସରକାର ତୃତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛନ୍ତି। ଏଥିପାଇଁ ମୁଁ ହରିୟାଣାବାସୀଙ୍କୁ କୃତଜ୍ଞତା ଜଣାଉଛି। ଡବଲ ଇଞ୍ଜିନ ମାନେ ବିକାଶ ମଧ୍ୟ ଦୁଇଗଣ ହେବ।

ସୂଚନାଯୋଗ୍ୟ, ହରିୟାଣାରେ ମୁଖ୍ୟମନ୍ତ୍ରୀ ଭାବେ ଗୁରୁବାର ନିଜର ଦ୍ବିତୀୟ ଇନିଂସ ଆରମ୍ଭ କରିବେ  ନାଏବ ସିଂ ସାଇନି। ବୁଧବାର ଭାଜପା ବିଧାୟକ ଦଳ ନେତା ନିର୍ବାଚିତ ହୋଇଥିବାବେଳେ ସେ ଆଜିଠୁ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେବେ। ପଞ୍ଚକୁଲାରେ ଦଳର ନବନିର୍ବାଚିତ ବିଧାୟକମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ଯୋଗଦେଇଥିଲେ। ୫୪ ବର୍ଷୀୟ ସାଇନି ଶପଥ ଗ୍ରହଣ ପରେ ୨୪,୦୦୦୦ ଯୁବତୀ ଯୁବକଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରେିବ। ଭାଜପା ଯାହା କହେ ତାକୁ ପାଳନ କରିଥାଏ। ଗୁରୁବାର ଶପଥ ନେବା ପରେ ଆମେ ପ୍ରଥମେ ନିଜ ପ୍ରତିଶ୍ରୁତି ପୂରଣ କରିବାକୁ ଯାଉଛୁ ବୋଲି ସାଇନି କହିଛନ୍ତି। ଆଜି ପଞ୍ଚକୁଳାସ୍ଥିତ ସେକ୍ଟର ୫ ପରେଡ ପଡ଼ିଆରେ ଭାଜପା ସରକାରର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ।

ଉକ୍ତ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ଭାଜପାର ଅନ୍ୟ ବରିଷ୍ଠ ନେତାମାନେ ଯୋଗଦେବେ। ଏହି ଉତ୍ସବରେ ମଧ୍ୟ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଭାଜପା ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ସାମିଲ ହେବେ।