
ଭୁବନେଶ୍ୱର,୨୯ା୩(ସୁନିତ୍ ମିଶ୍ର):ପୂର୍ବ ସରକାରଗୁଡ଼ିକ ମହିଳାଙ୍କୁ ନିରୀହ ଭାବି ଭୁଅଁା ବୁଲାଉଥିଲେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ବିଭାଗର ଖର୍ଚ୍ଚଦାବି ଆଲୋଚନା ପରେ ଗୃହରେ ଉତ୍ତର ରଖି ପ୍ରଭାତୀ କହିଛନ୍ତି,ସୁଭଦ୍ରା ଟଙ୍କା ପାଇବା ପରେ ମହିଳାମାନେ ସଚେତନ ହୋଇଛନ୍ତି। ଲକ୍ଷପତି ଦିଦି ସୃଷ୍ଟି କରିବାରେ ଦେଶରେ ଏବେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି। ଭାଜପା ସରକାର ଆସିବା ପୂର୍ବରୁ ରାଜ୍ୟରେ ୨ ଲକ୍ଷ ଲକ୍ଷପତି ଦିଦି ଥିଲେ, ଏବେ ୧୦ ଲକ୍ଷ ଲକ୍ଷପତି ଦିଦି। ମିଶନ ଶକ୍ତି ବିଭାଗକୁ ରାଜ୍ୟର ଭାଜପା ସରକାର ପୋଲିଓମୁକ୍ତ କରି ଦୌଡ଼ାଇବେ ବୋଲି ପ୍ରଭାତୀ କହିଛନ୍ତି।
ସେ କହିଛନ୍ତି, ୬ ମାସରୁ ୬ ବର୍ଷ ପର୍ଯ୍ୟନ୍ତ ବୟସର ପିଲା, ଗର୍ଭବତୀ, ସ୍ତନ୍ୟପାନ କରାଯାଉଥିବା ମହିଳା ଏବଂ କିଶୋରୀମାନଙ୍କ ଉନ୍ନତ ସ୍ବାସ୍ଥ୍ୟ ପାଇଁ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୃଷ୍ଟି ଯୋଜନା କାର୍ଯ୍ୟକାରୀ କରାଯାଇଛି। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ୧୨ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ସୁଭଦ୍ରା ସମ୍ବେଦନତା ନାମରେ ନୂତନ ଯୋଜନା କାର୍ଯ୍ୟକାରୀ କରାଯିବ। ଆଦିବାସୀ ପିଲାମାନଙ୍କ ଶିକ୍ଷାଗତ ବିକାଶ, ସାଂସ୍କୃତିକ ସଂରକ୍ଷଣ, ସାମାଜିକ ଅନ୍ତର୍ଭୁକ୍ତି ଏବଂ ସାମଗ୍ରିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ଲାଗି ୨୫ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ସୁଭଦ୍ରା ପ୍ଲସ୍ ନାମରେ ଏକ ଯୋଜନା ମଧ୍ୟ କାର୍ଯ୍ୟକାରୀ କରାଯାଉଛି। ମିଶନ ଶକ୍ତି ସ୍କୁଟର ଯୋଜନା ଆରମ୍ଭ କରାଯିବ। ମିଶନ ଶକ୍ତି ବିଭାଗ ଅଧୀନ କମ୍ୟୁନିଟି ସପୋର୍ଟ ଷ୍ଟାଫ୍, ବିଜ୍ନେସ୍ କରେସ୍ପଣ୍ଡେଣ୍ଟ ଏଜେଣ୍ଟ ଏବଂ ଏକ୍ଜିକ୍ୟୁଟିଭ କମ୍ୟୁନିଟି ସଦସ୍ୟମାନଙ୍କ କ୍ଷେତ୍ରରେ ତଦାରଖରେ ସୁବିଧା ଲାଗି ଏହି ଯୋଜନା ଆରମ୍ଭ ହୋଇଛି। ୩୦ ଜିଲାରେ ଜିଲାସ୍ତରୀୟ ମିଶନ ଶକ୍ତି ଭବନ କରାଯିବ। ପ୍ରତ୍ୟେକ ଭବନ ଲାଗି ୧ କୋଟି ଟଙ୍କା ଖର୍ଚ୍ଚ କରାଯିବ। ପଞ୍ଚାୟତ ସ୍ତରରେ ୧,୮୮୮ଟି ମହାସଂଘ କାର୍ଯ୍ୟାଳୟ ନିର୍ମାଣ କରାଯିବ। ପ୍ରତ୍ୟେକ କାର୍ଯ୍ୟାଳୟ ପିଛା ୩୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଓଡ଼ିଶାରେ ପର୍ଯ୍ୟଟନର ପ୍ରଚାରପ୍ରସାର ଲାଗି ୨୦୨୫-୨୬ ଆର୍ଥିକ ବର୍ଷରେ ୧୭୬ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହି ବିଭାଗ ଅଧୀନରେ ଆସୁଥିବା ବିଭିନ୍ନ ଆବାସିକ କେନ୍ଦ୍ରର ଉନ୍ନତୀକରଣ କରାଯିବ ବୋଲି ପ୍ରଭାତୀ କହିଛନ୍ତି। ଗୃହରେ ଉପରୋକ୍ତ ଏହି ୩ ବିଭାଗର ଖର୍ଚ୍ଚଦାବି ଅନୁମୋଦିତ ହୋଇଛି।