ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା:ଏହି ଦିନ ମିଳିବ ପିଏମ୍‌ କିଷାନ କିସ୍ତି

ଭୁବନେଶ୍ୱର, ୪।୧୦(ସୁନିତ୍‌ ମିଶ୍ର):ଦଶହରା ପୂର୍ବରୁ ଚାଷୀମାନଙ୍କ ପାଇଁ ଖୁସି ଖବର ଆସିଛି। ପିଏମ୍‌ କିଷାନ ଯୋଜନାର ୧୮ତମ କିସ୍ତି ହିତାଧିକାରୀମାନଙ୍କୁ ପ୍ରଦାନ କରାଯିବ। ଆସନ୍ତା ୫ ତାରିଖରେ ଚାଷୀମାନଙ୍କୁ ପିଏମ୍‌ କିଷାନ ଯୋଜନାର କିସ୍ତି ଲୋକଙ୍କ ଆକାଉଣ୍ଟକୁ ଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସହାୟତା ରାଶି ପ୍ରଦାନ କରିବେ। ରାଜ୍ୟର ପ୍ରାୟ ୩୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଆକାଉଣ୍ଟକୁ ଏହି ଟଙ୍କା ଯିବ। ପିଏମ୍‌ କିଷାନ ଲାଗି ଜିଲାସ୍ତରରେ କାର୍ଯ୍ୟକ୍ରମ ହେବ। ଧାନ କିଣାକୁ ନେଇ ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂଦେଓ ଗୁରୁବାର ଏହି ସୂଚନା ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ରାଜ୍ୟ ସରକାର ସୋହେଲାରୁ ଧାନ କିଣିବା ଆରମ୍ଭ କରିବେ। ସୋହେଲାରେ ବିଜେଡି ବୋନସ୍‌ ଦେବ କହି ଦେଇ ନ ଥିଲା। ସେହି ସୋହେଲାରୁ ହିଁ ୮୦୦ ଟଙ୍କା ବୋନସ୍‌ ଦେଇ ଚାଷୀଙ୍କ ଠାରୁ ଧାନ କିଣାଯିବ।
ସେହିପରି ଗୁରୁବାର କୃଷି ଭବନସ୍ଥିତ ଅଡିଟୋରିୟମରେ କୃଷି ଯନ୍ତ୍ରପାତି ନିର୍ମାତାଙ୍କ ସମାବେଶ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ସମାବେଶରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ନିର୍ମାତା ଯୋଗଦେଇଥିଲେ। ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ କୃଷି ଯନ୍ତ୍ରପାତି ମେଳା ଆଞ୍ଚଳିକ ସ୍ତରରେ ବ୍ରହ୍ମପୁର, ବଲାଙ୍ଗୀର, ଜୟପୁର ଓ କେନ୍ଦୁଝରରେ ଅନୁଷ୍ଠିତ ହେବ। ସେହିଭଳି ଜିଲା ଏବଂ ଉପଖଣ୍ଡସ୍ତରରେ ମଧ୍ୟ କ୍ରମ ଅନୁଯାୟୀ ଏହି ଯନ୍ତ୍ରପାତି ମେଳା ଅନୁଷ୍ଠିତ ହେବାକୁ ଯାଉଛି। ଓଡ଼ିଶାରେ କ୍ଷୁଦ୍ର ଓ ଅତିକ୍ଷୁଦ୍ର ଚାଷୀଙ୍କ ସଂଖ୍ୟା ଅପେକ୍ଷାକୃତ ଅଧିକ। ତେଣୁ ସେମାନଙ୍କ ହିତକୁ ଦୃଷ୍ଟିରେ ରଖି ନିର୍ମାତାମାନେ ଆବଶ୍ୟକ କୃଷି ଯନ୍ତ୍ରପାତି ନିର୍ମାଣ କରିବା ଦରକାର ଏବଂ ସେହି କମ୍ପାନୀଗୁଡ଼ିକ ନିଜର ବିକ୍ରୟ ତଥା ମରାମତି କେନ୍ଦ୍ର ନିକଟରେ ଖୋଲିବାକୁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ା ଏହାଦ୍ୱାରା ଚାଷୀ କୌଣସି ସମସ୍ୟାର ସମ୍ମୁୁଖୀନ ହେଲେ ତୁରନ୍ତ ମରାମତି ସୁବିଧା ପାଇପାରିବେ ବୋଲି ସମାବେଶରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ନିର୍ମାତାମାନେ ଉତ୍କୃଷ୍ଟ ମାନର ଯନ୍ତ୍ରପାତି ଗ୍ରାହକଙ୍କୁ ଯୋଗାଇଦିଅନ୍ତୁ ା ଆବଶ୍ୟକସ୍ଥଳେ ଏକାଧିକ ଚାଷୀଙ୍କୁ ଭଡା ସୂତ୍ରରେ ଏହି ଯନ୍ତ୍ରପାତି ଯୋଗାଇଦେଇପାରିବେ ା ଏହିସବୁ ଯନ୍ତ୍ରପାତିର ନିର୍ମାଣ ଓଡ଼ିଶାରେ କରାଗଲେ ଉଭୟ ରାଜ୍ୟବାସୀ ଓ ଚାଷୀ ଉପକୃତ ହେବେ। ଏଥିଲାଗି ସରକାର ଆବଶ୍ୟକ ପ୍ରୋତ୍ସାହନ ମଧ୍ୟ ଯୋଗାଇଦେଉଛନ୍ତି।