Categories: ଜାତୀୟ

ଉପମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ନାଗପୁର ଗସ୍ତ କଲେ ଫଡନବୀସ

ମୁମ୍ବାଇ,୫।୭: ଏକ ସପ୍ତାହରୁ ଅଧିକ ସମୟ ଧରି ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ହାଇଡ୍ରାମା ଏବେ ଶେଷ ହୋଇଛି। ପାଞ୍ଚ ଦିନ ପୂର୍ବରୁ ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ରାଜ୍ୟର ଉପମୁଖ୍ୟମନ୍ତ୍ରୀ ହେବା ପରେ ଦେବେନ୍ଦ୍ର ଫଡନଦବୀସ ମଙ୍ଗଳବାର ପ୍ରଥମ ଥର ପାଇଁ ନାଗପୁର ଗସ୍ତ କରିଛନ୍ତି। ସହରରେ ପହଞ୍ଚିବା ପରେ ସ୍ଥାନୀୟ ଭାଜପା ନେତାଙ୍କ ସହ ସହରବାସୀ ନିଜର ନେତାଙ୍କୁ ଭବ୍ୟସ୍ବାଗତ କରିଥିଲେ। ସୂଚନାଯୋଗ୍ୟ, ମଙ୍ଗଳବାର ସକାଳ ୧୦ଟାରେ ଦେବେନ୍ଦ୍ର ଫଡନବୀସ ଡ.ବାବାସାହେବ ଆମ୍ବେଦକର ଅନ୍ତର୍ଜାତୀୟ ବିମାନବନ୍ଦର ନାଗପୁରରେ ପହଞ୍ଚିଥିଲେ। ତାଙ୍କୁ ସ୍ବାଗତ ଜଣାଇବା ପାଇଁ ବହୁ ସଂଖ୍ୟାରେ ବିମାନବନ୍ଦରରେ ଭାଜପାର ସ୍ବୟଂସେବକ ଉପସ୍ଥିତ ଥିଲେ। ସେମାନେ ତାଙ୍କୁ ବହୁ ଉତ୍ସାହର ସହ ସ୍ବାଗତ କରିଥିଲେ। ଏହାପରେ ସେ ବିମାନବନ୍ଦରରୁ ଏକ ରୋଡ ଶୋ’ କରିଥିଲେ। ରୋଡ ଶୋ’ ପରେ ସେ ନାଗପୁରର ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସବୁବେଳେ ତାଙ୍କୁ ନାଗପୁରବାସୀ ପ୍ରେମ ଦେଇଥିବାରୁ ଏବଂ ୫ଥର ନିର୍ବାଚିତ କରିଥିବାରୁ ଫଡନବୀସ ସେମାନଙ୍କୁ ଧନ୍ୟବାଦ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ହେବା ପରେ ଆଜି ମୁଁ ପ୍ରଥମ ଥର ପାଇଁ ନାଗପୁର ଆସିଛି। ଯେଉଁମାନେ ମୋ ପ୍ରତି ସେମାନଙ୍କ ପ୍ରେମ ଦେଖାଇବାକୁ ଆସିଛନ୍ତି ମୁଁ ସେମାନଙ୍କୁ କୃତଜ୍ଞତା ଜଣାଉଛି ବୋଲି ଫଡନବୀସ କହିଛନ୍ତି।

Share