ଭିଜିଲାନ୍ସ ଜାଲରେ ଡେପୁଟି କଲେକ୍ଟର: ୯ଟି ସ୍ଥାନରେ ଏକକାଳୀନ ଚଢାଉ

ଜଗତସିଂହପୁର ଅଫିସ,୨୭।୧୨: ଭିଜିଲାନ୍ସ ଜାଲରେ ଜଗତସିଂହପୁର ଡେପୁଟି କଲେକ୍ଟର ଚିତ୍ତରଞ୍ଜନ ପିଲ୍ଲା।
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଡେପୁଟି କଲେକ୍ଟରଙ୍କ ବାସଭବନ, ଅଫିସ, ସର୍ମ୍ପକୀୟଙ୍କ ଘର ଏବଂ ପୈତୃକ ଘର ସମେତ ୯ଟି ସ୍ଥାନରେ ଏକକାଳୀନ ଚଢାଉ ଜାରି ରହିଛି। ଏଥିରେ ୧୪ ଜଣ ଇନ୍ସପେକ୍ଟର, ୬ ଜଣ ଏଏସ୍‌ଆଇ ଓ ଅନ୍ୟ କର୍ମଚାରୀମାନେ ସାମିଲ ଅଛନ୍ତି।

ଭୁବନେଶ୍ବର, ବାଲେଶ୍ବର, ସୋନପୁର ଓ ଜଗତସିଂହପୁରରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଥିବା ବେଳେ ଖବର ଲେଖାହେବା ସୁଦ୍ଧା ଡେପୁଟି କଲେକ୍ଟରଙ୍କ ସମ୍ପତି ତାଲିକା ପ୍ରସ୍ତୁତ ଅଭିଯାନ ଜାରି ରହିଛି। ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ ଜଜଙ୍କ ସର୍ଚ୍ଚ ୱାରେଣ୍ଟକୁ ନେଇ ମଙ୍ଗଳବାର ସକାଳୁ ଭିଜିଲାନ୍ସର ୨୨ ଜଣିଆ ଟିମ୍‌ ଛାନ୍‌ଭିନ ଆରମ୍ଭ କରିଛି। ଜଗତସିଂହପୁର ଜିଲାପାଳଙ୍କ କାର୍ଯ୍ୟାଳୟରେ ଥିବା ଚାମ୍ବର, ଭଡ଼ାଘର, ମଞ୍ଚେଶ୍ବର ହର୍ଷପ୍ରିୟା କନଷ୍ଟ୍ରକଶନରେ ଥିବା ଫ୍ଲାଟ୍‌, ରଙ୍ଗମାଟିଆ ହର୍ଷପ୍ରିୟା ଏନକ୍ଲେଭରେ ଥିବା ଫ୍ଲାଟ୍‌, ଚନ୍ଦକା ଥାନା ନୂଆଗାଁସ୍ଥିତ ଆପାର୍ଟମେଣ୍ଟରେ ଥିବା ଫ୍ଲାଟ୍‌, ବାଲେଶ୍ବର ସୁନହଟରେ ଦୁଇଟି ଫ୍ଲାଟ୍‌, ସୋନପୁର ସହରରେ ଏକ ଦୁଇ ମହଲା କୋଠା, ବାଲିଆପାଳ ନଇଘାଟିରେ ପୈତୃକ ଘର ଉପରେ ଚଢାଉ ଚାଲିଛି। ଚଢାଉରେ ବିପୁଳ ପରିମାଣର ସମ୍ପତ୍ତି ଠାବ ହେବ ବୋଲି ଅନୁମାନ କରାଯାଉଛି।

Share