
ଭବାନୀପାଟଣା,୧୫ା୨(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହରର ମଧ୍ୟ ଭାଗରେ ଥିବା ଉପଜିଲାପାଳଙ୍କ କାର୍ଯ୍ୟାଳୟ ଦୀର୍ଘଦିନ ହେବ ବିପଦସଙ୍କୁଳ ଅବସ୍ଥାରେ ରହିଥିଲା। ଏହି କାର୍ଯ୍ୟାଳୟର ନୂତନ କୋଠା ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ସାଢେ ୬ କୋଟି ଟଙ୍କା ଅନୁଦାନ ଆସିବା ପରେ ଗତ ମାସରେ କୋଠାକୁ ଭାଙ୍ଗି ଦିଆଯାଇଛି। ଫଳରେ ଉପଜିଲାପାଳଙ୍କ ଅଫିସ ପୁରୁଣା କାର୍ଯ୍ୟାଳୟଠାରୁ ପ୍ରାୟ ୬କି.ମି. ଦୂର ମେଦିନୀପୁରସ୍ଥିତ ଆର୍ଏମ୍ସି ଗୋଦାମ ଗୃହକୁ ସ୍ଥାନାନ୍ତରିତ ହୋଇଛି। ନୂତନ କୋଠା ନିର୍ମାଣ ନ ହେଲା ଯାଏ ଉପଜିଲାପାଳଙ୍କ କାର୍ଯ୍ୟାଳୟ ଆର୍ଏମ୍ସି ଗୋଦାମ ଗୃହରେ ଚାଲିବ ବୋଲି ଜଣାପଡିଛି।
ପ୍ରକାଶ ଯେ, ଭବାନୀପାଟଣା ଉପଜିଲାପାଳଙ୍କ କାର୍ଯ୍ୟାଳୟ ଅଧୀନରେ ଭବାନୀପାଟଣା ବ୍ଲକ ସମେତ କେସିଙ୍ଗା, କର୍ଲାମୁଣ୍ଡା, ଏମ୍ ରାମପୁର, ନର୍ଲା, ଲାଞ୍ଜିଗଡ ଓ ଥୁଆମୂଳ ରାମପୁର ଆଦି ୭ ବ୍ଲକ ରହିଛି। ଜିଲାର ଉପାନ୍ତ ଅଞ୍ଚଳରୂପେ ଥିବା ଲାଞ୍ଜିଗଡ, ଥୁଆମୂଳ ରାମପୁର ସମେତ ଏମ୍ ରାମପୁର ବ୍ଲକର କିଛି ଆଭ୍ୟନ୍ତରୀଣ ଅଞ୍ଚଳରୁ ଲୋକମାନେ ବିଭିନ୍ନ ସମୟରେ ଜରୁରୀ କାର୍ଯ୍ୟରେ ଉପଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥାନ୍ତି। ଭବାନୀପାଟଣା ବସ୍ଷ୍ଟାଣ୍ଡରୁ ବର୍ତ୍ତମାନର ଅସ୍ଥାୟୀ ଉପଜିଲାପାଳଙ୍କ କାର୍ଯ୍ୟାଳୟକୁ ଯିବାକୁ ହେଲେ ଅଟୋ ଭଡ଼ା ୩୦୦ଟଙ୍କା ଦେବାକୁ ପଡୁଥିବା ଗ୍ରାମାଞ୍ଚଳରୁ ଆସୁଥିବା ଲୋକମାନେ କହିଛନ୍ତି। ଅନେକ ଲୋକ ବର୍ତ୍ତମାନ ଏହି କାର୍ଯ୍ୟାଳୟ ଏଠାରେ ଚାଲିଥିବା ମଧ୍ୟ ଜାଣିନାହାନ୍ତି। ବିଶେଷ କରି ଜମିଜମା ସଂକ୍ରାନ୍ତୀୟ ମାମଲାଗୁଡିକ ଅଟକି ରହିଛି। ଉପଜିଲାପାଳ ସେହି ଗୋଦାମ ଘରେ ହିଁ କୋର୍ଟ କରୁଥିବାବେଳେ ଆଇନଜୀବୀମାନେ ସହରଠାରୁ ଦୂରକୁ ଯାଇ କାର୍ଯ୍ୟ ସମ୍ପାଦନ କରିବା କଷ୍ଟକର ବ୍ୟାପାର ବୋଲି ପ୍ରକାଶ କରିଛନ୍ତି। ଏହାକୁ ନେଇ ଗତ ଜାନୁଆରୀ ମାସରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ମଧ୍ୟ ଏକ ଲିଖିତ ଅଭିଯୋଗ ଦେଇଥିଲେ। ବର୍ତ୍ତମାନ ଏହି କାର୍ଯ୍ୟାଳୟକୁ ଯାଉଥିବା ସାଧାରଣ ଲୋକଙ୍କଠାରୁ ଆରମ୍ଭକରି କର୍ମଚାରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗୋଟିଏ ଘରେ ଛୋଟ କ୍ୟାବିନରେ ଗୋଦାମକୁ ଭାଗ କରାଯାଇଛି। ପରଦା ଟାଙ୍ଗି କର୍ମଚାରୀମାନେ କାମ ତୁଲାଉଛନ୍ତି। ଉପଜିଲାପାଳଙ୍କୁ ବାଦ ଦେଲେ ଜଣେ ଡେପୁଟି କଲେକ୍ଟର,୩ଜଣ ଆସିଷ୍ଟାଣ୍ଟ କଲେକ୍ଟର, ସହ ଯୋଗାଣ ଅଧିକାରୀ, ଏଡ଼ିଡ଼ବ୍ଲ୍ୟୁଓ, ଉପଖଣ୍ଡ ପଞ୍ଚାୟତ ଅଧିକାରୀ, ସ୍ମଲ ସେଭିଙ୍ଗ ଅଫିସର ଓ ଉପସାମାଜିକ ସୁରକ୍ଷା ଅଧିକାରୀଙ୍କ ବ୍ୟତୀତ ସେକ୍ସନ ଅଫିସର, ପ୍ରୋଗ୍ରାମ ଅଫିସର, ବରିଷ୍ଠ କିରାଣୀ କନିଷ୍ଠ କିରାଣୀ, ଷ୍ଟେନୋ ପ୍ରମୁଖ ଗୋଟିଏ ଟିଣ ଚାଦର ଛାତ ତଳେ ରହିଛନ୍ତି। ଆଗକୁ ପ୍ରବଳ ଗ୍ରୀଷ୍ମ ପ୍ରବାହରେ ହନ୍ତସନ୍ତ ହେବାକୁ ସମସ୍ତେ ବାଧ୍ୟ। ଆଖପାଖରେ ଦୋକାନ ନ ଥିବାରୁ କର୍ମଚାରୀମାନେ ଖାଇବା ସାମଗ୍ରୀ ସାଙ୍ଗରେ ନେଇଯିବାକୁ ହେଉଛି। କର୍ମଚାରୀମାନେ ତ ଯିବା ଜରୁରୀ, କିନ୍ତୁ ସାଧାରଣ ଲୋକଙ୍କ ପାଇଁ ଏହି କାର୍ଯ୍ୟାଳୟ ସମସ୍ୟାର କାରଣ ପାଲଟିଛି। ଏ ନେଇ ଭବାନୀପାଟଣା ଉପଜିଲାପାଳ ପ୍ରଭାତ କୁମାର ପରିଡାଙ୍କୁ ପଚାରିବାରୁ ସହର ଭିତରେ କାର୍ଯ୍ୟାଳୟ ପାଇଁ ସ୍ଥାନ ମିଳିଲା ନାହିଁ। ତେଣୁ ଅନ୍ୟ କିଛି ବିକଳ୍ପ ନ ଥିବାରୁ ଏଠାରେ କାର୍ଯ୍ୟାଳୟ କରାଯାଇଛି ବୋଲି କହିଥିଲେ।