ଭିଜିଲାନ୍ସ ଜାଲରେ ପଡ଼ିଲେ ଖଣି ଉପନିର୍ଦ୍ଦେଶକ, ଚାଲିଛି ବଡ଼ଧରଣର ରେଡ୍‌

ତାଳଚେର,୨ା୯(ମନୋଜ ନନ୍ଦ): ପୁଣି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ ବଡ଼ ବାବୁ। ତାଳଚେର ଖଣି ଉପନିର୍ଦ୍ଦେଶକଙ୍କ ଘରେ ସୋମବାର ଭିଜିଲାନ୍ସ ବିଭାଗ ପକ୍ଷରୁ ବଡ଼ଧରଣର ରେଡ୍‌ ଚାଲିଛି। ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଘରେ ଏହି ରେଡ୍‌ ଚାଲିଥିବା ଜଣାପଡ଼ିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୮ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ ଏହି ଚଢ଼ାଉ ଜାରି ରଖିଛି।

କେନ୍ଦୁଝରର ପଣ୍ଡାପଡ଼ାସ୍ଥିତ ଶ୍ୱଶୁରଘର, ତେଲକୋଇସ୍ଥିତ ପୈତୃକ ଘର ଓ ଭୁବନେଶ୍ୱର ଏବଂ ତାଳଚେରରେ ଏହି ଛାନ୍‌ଭିନ୍‌ କରୁଛି ଭିଜିଲାନ୍ସ ଟିମ୍‌। ଚଢ଼ାଉ ଚାଲିଥିବାରୁ ମୋଟ୍‌ ସମ୍ପତ୍ତିର ଆକଳନ କରାଯାଇନାହିଁ। ପରେ ଏ ସମ୍ପର୍କରେ ସବିଶେଷ ତଥ୍ୟ ମିଳିପାରିବ ବୋଲି ଜନୈକ ଭିଜିଲାନ୍ସ ଅଧିକାରୀ କହିଛନ୍ତି। ଏହି ଚଢ଼ାଉରେ ୧୦ ଜଣ ଡିଏସ୍‌ପି, ୧୬ ଜଣ ଇନ୍ସପେକ୍ଟର, ୭ ଏସଆଇ/ ଏଏସଆଇ ସାମିଲ ହୋଇଛନ୍ତି।

୧. ଭୁବନେଶ୍ୱରର ପଟିଆସ୍ଥିତ ଫ୍ଲାଟ୍‌ ନମ୍ବର ୨୦୫, ସୁରେଖା ଅର୍କିଡ ଶିଶୁବିହାରର ଦ୍ୱିତୀୟ ମହଲା।

୨. ଏକ ଦୁଇ ମହଲା ବିଶିଷ୍ଟ ମାର୍କେଟ କମ୍ପ୍ଲେକ୍ସ, ବାଦିନାଳି ସିଙ୍କୁଲାବାହାଲ, ଜଗମୋହନପୁର ତେଲକୋଇ, କେନ୍ଦୁଝରରେ ଅବସ୍ଥିତ କୋଠାର ୧୫ଟି ଦୋକାନ।

୩. ବାଦିନାଳି ସିଙ୍କୁଲାବାହାଲ, ଜଗମୋହନପୁର, ତେଲକୋଇ କେନ୍ଦୁଝରର ମାର୍କେଟ କମ୍ପ୍ଲେକ୍ସ ନିକଟରେ ନିର୍ମାଣାଧୀନ ଏକ ଦୁଇ ମହଲା କୋଠା।

୪. ଜଗମୋହନପୁର ତେଲକୋଇ, କେନ୍ଦୁଝରର ବାଦିନାଳି ସିଙ୍କୁଲାବାହାଲରେ ଗୋଟିଏ ମହଲା କୋଠା।

୫. କେନ୍ଦୁଝରର ତେଲକୋଇସ୍ଥିତ ଛାମୁଣ୍ଡା ଗ୍ରାମରେ ପୈତୃକ ଘର।

୬. ତାଳଚେରରେ ଅସ୍ଥାୟୀ ବାସସ୍ଥାନ

୭. ତାଳଚେରସ୍ଥିତ ତାଙ୍କ କାର୍ଯ୍ୟାଳୟ

୮. ଘଟଗାଁସ୍ଥିତ ପୁରମୁଣ୍ଡା ଗାଁରେ ତାଙ୍କ ସମ୍ପର୍କୀୟଙ୍କ ଘରେ ଏହି ରେଡ୍‌ ଚାଲିଛି।

ତାଳଚେର ପୂର୍ବରୁ ଧରଣୀଧର କେନ୍ଦୁଝରରେ କାର୍ଯ୍ୟରତ ଥିଲେ। ସେ ତାଳଚେରରେ ପ୍ରାୟ ୨ ବର୍ଷ ହେବ ରହିଆସୁଛନ୍ତି।

Share