Advertisement

ଉପନଗରପାଳ, କାଉନସିଲର ଗିରଫ

ଦେବଗଡ଼,୭ା୧(ଡି.ଏନ.ଏ): ଦେବଗଡ ପୌର ପରିଷଦର ନିର୍ବାହୀ ଅଧିକାରୀ ତପନ କୁମାର ମହାପାତ୍ରଙ୍କୁ ଆକ୍ରମଣ ଏବଂ ହତ୍ୟା ଧମକ ଅଭିଯୋଗ ଘଟଣାରେ ଶୁକ୍ରବାର ପୌର ପରିଷଦ ଉପାଧ୍ୟକ୍ଷ (ଉପନଗରପାଳ) ପ୍ରଜିତ କୁମାର ଭୋଜ ଓ ୬ ନମ୍ବର ୱାର୍ଡର କାଉନସିଲର ଧର୍ମେନ୍ଦ୍ର କୁମାର ଦେବତା ଆତ୍ମସମର୍ପଣ କରିଥିବାବେଳେ ପୋଲିସ ଉକ୍ତ ଘଟଣାରେ ସେଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଗତ ୨ ତାରିଖ ଅପରାହ୍ନରେ ପୌର ପରିଷଦ ନିର୍ବାହୀ ଅଧିକାରୀ ତପନ କୁମାର ମହାପାତ୍ର ନିଜ କାର୍ଯ୍ୟାଳୟରେ କାର୍ଯ୍ୟବ୍ୟସ୍ତ ଥିବାବେଳେ ପୌର ପରିଷଦ ଉପାଧ୍ୟକ୍ଷ ଭୋଜ ସେଠାକୁ ଆସି ଆକ୍ରମଣ କରିବା ସହ ହତ୍ୟା ଧମକ ଦେଇଥିଲେ। ଅନୁରୂପ ଭାବେ ଭୋଜଙ୍କ ଡାକରାରେ ୬ ନମ୍ବର ୱାର୍ଡର କାଉନସିଲର ଦେବତା ସେଠାକୁ ଆସି ଭୋଜଙ୍କୁ ସହାୟତା କରିଥିବା ପୌର ପରିଷଦ ନିର୍ବାହୀ ଅଧିକାରୀ ମହାପାତ୍ର ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ପୌର ପରିଷଦ ଉପାଧ୍ୟକ୍ଷ ଭୋଜ ନିର୍ବାହୀ ଅଧିକାରୀ ମହାପାତ୍ରଙ୍କ ନିକଟକୁ ଯାଇଥିବାବେଳେ ନିର୍ବାହୀ ଅଧିକାରୀ ମହାପାତ୍ର ତାଙ୍କୁ ଜାତିଆଣ ଆକ୍ଷେପ କରି କାର୍ଯ୍ୟାଳୟରୁ ବାହାରି ଯିବାକୁ ଧମକ ଦେଇଥିଲେ। ଏଥିସହ ଅଭିଷେକ ମିଶ୍ର ନାମକ ଅନ୍ୟ ଜଣେ କର୍ମଚାରୀଙ୍କ ସହ ଧକ୍କା ମାରି ତଳେ ପକାଇ ଦେଇଥିବା ଭୋଜ ଦେବଗଡ଼ ଆଦର୍ଶ ଥାନାରେ ପାଲଟା ଅଭିଯୋଗ କରିଥିଲେ। ବର୍ତ୍ତମାନ ଦେଖିବା କଥା ପୌର ପରିଷଦ ଉପାଧ୍ୟକ୍ଷ ଭୋଜ ଦେଇଥିବା ଅଭିଯୋଗ ଅନୁସାରେ ପୌର ପରିଷଦ ନିର୍ବାହୀ ଅଧିକାରୀ ମହାପାତ୍ର ଓ ଅଭିଷେକ ମିଶ୍ର ନାମକ କର୍ମଚାରଙ୍କ ବିରୋଧରେ ପୋଲିସ କେବେ କାର୍ଯ୍ୟାନୁଷ୍ଠାନ ନେଉଛି। ଅଭିଯୋଗଠାରୁ ବର୍ତ୍ତମାନ ସୁଦ୍ଧା ନିର୍ବାହୀ ଅଧିକାରୀଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଶୂନ। ତୁରନ୍ତ ସେମାନଙ୍କ ବିରୋଧରେ ମଧ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ଉପାଧ୍ୟକ୍ଷ ଭୋଜ ଦାବି କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share