ଉପବାଚସ୍ପତି ନିର୍ବାଚନ: ଆଜି ନାମାଙ୍କନ

ଭୁବନେଶ୍ୱର,୨୦୧୧(ସୁନିତ୍‌ ମିଶ୍ର): ବିଧାନସଭା ଶୀତକାଳୀନ ଅଧିବେଶନ ମଙ୍ଗଳବାର ଠାରୁ ଆରମ୍ଭ ହେବ। ଏହି ଅଧିବେଶନ ଡିସେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ। ତେବେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହା ଶେଷ ଅଧିବେଶନ ହୋଇପାରେ ବୋଲି ଅନେକ ମତ ଦେଉଛନ୍ତି। ଯଦି ବାସ୍ତବରେ ଏହା ହୁଏ ତେବେ ଏହି ଅଧିବେଶନ ବହୁ ଗୁରୁତ୍ୱ ରଖିବ। ତେଣୁ ଶାସକ ଦଳକୁ ଗୃହରେ ଘେରିବା ଲାଗି ବିରୋଧୀ ଏଥର ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇପାରନ୍ତି। ତେବେ ୩ ଦଳ ସେମାନଙ୍କ ବିଧାୟକ ଦଳ ବୈଠକରେ କେଉଁସବୁ ପ୍ରସଙ୍ଗ ଉଠାଇବେ ସେନେଇ ଚୁଡାନ୍ତ କରିବେ। ଶାସକ ଦଳ ପକ୍ଷରୁ ବିରୋଧୀଙ୍କୁ ଘେରିବା ଲାଗି ରଣନୀତି ପ୍ରସ୍ତୁତ କରାଯିବ। ତେବେ ବିରୋଧୀ ଭାଜପା ପକ୍ଷରୁ ସୋମବାର ଅପରାହ୍ନ ୪ଟା ସମୟରେ ଦଳର ରାଜ୍ୟ କାର୍ଯ୍ୟାଳୟ ଠାରେ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ସେହିପରି କଂଗ୍ରେସ ବିଧାୟକ ଦଳ ବୈଠକ ମଙ୍ଗଳବାର ଦ୍ୱିପହର ସମୟରେ ଅନୁଷ୍ଠିତ ହେବ। ବିଜେଡି ବିଧାୟକ ଦଳ ବୈଠକ ମଧ୍ୟ ୨୧ ତାରିଖ ସକାଳ ୧୦ଟା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ ଅଧିବେଶନ ଆରମ୍ଭ ଦିନ ୯ଟା ୩୦ ମିନିଟ୍‌ରେ ଉପବାଚସ୍ପତି ପଦ ଲାଗି ନିର୍ବାଚନ ସମୟ ରଖାଯାଇଥିବା ବେଳେ ସୋମବାର ନାମାଙ୍କନ ଦାଖଲ ଲାଗି ସ୍ଥିର ହୋଇଛି। ତେବେ ବିଧାନସଭାର ଆସନ ସଂଖ୍ୟା ଦୃଷ୍ଟିରୁ ଦେଖିଲେ ଏହି ପଦ ଲାଗି ବିରୋଧୀ ପ୍ରାର୍ଥୀ ଦେଇ ନ ପାରନ୍ତି। ଯେପରି ଗତ ବାଚସ୍ପତି ନିର୍ବାଚନ ବେଳେ ଦେଖିବାକୁ ମିଳିଥିଲା।
ତେବେ ଏହି ଅଧିବେଶନରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଗୃହରେ ବିରୋଧୀ ଉଠାଇବେ ବୋଲି କହିଛନ୍ତି। ଭାଜପା କହିଛି ଯେ, ଚାଷୀ ଆତ୍ମହତ୍ୟା ଏବେକାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ପାଲଟିଛି। ଚାଷୀ ସମସ୍ୟା,ବହୁ କେନ୍ଦ୍ର ଯୋଜନା ରାଜ୍ୟ ସରକାର ଲାଗୁ ନ କରିବା, ଆଇନ ଶୃଙ୍ଖଳା ପରିସ୍ଥିତି, ମୋ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଦଳୀୟ ଚିହ୍ନର ବ୍ୟବହାର, ରାଜ୍ୟରେ ଦୁର୍ନିତୀ ବଢିଚାଲିବା ଆଦି ପ୍ରସଙ୍ଗରେ ଶାସକ ଦଳ ଗୃହରେ ଘେରିବେ ବୋଲି କହିଛି।
ସେହିପରି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ଯେ, ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି, ଚାଷୀ ସମସ୍ୟା, ଧାନମଣ୍ଡିରୁ ଧାନ ନ ଉଠିବା, ଚାଷୀ ଆତ୍ମହତ୍ୟା, ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ନିୟମକୁ ଅଣଦେଖା କରାଯିବା, ପଞ୍ଚାୟତ ପ୍ରତିନିଧିମାନଙ୍କ କ୍ଷମତା ହରଣ ଆଦି ପ୍ରସଙ୍ଗରେ ଗୃହରେ ଶାସକ ଦଳକୁ ଘେରାଯିବ ବୋଲି ସେ କହିଛନ୍ତି।

Share