
ନୂଆପଡ଼ା,୨୩ା୩(ମକାରୁ ବେମାଲ): ଏକ ଲାଞ୍ଚ ଗ୍ରହଣ ମାମଲାର ଶନିବାର ସ୍ବତନ୍ତ୍ର ଭିଜିଲାନ୍ସ ବିଚାରପତି ବଦ୍ରି ନାରାୟଣ ନନ୍ଦ ଶୁଣାଣି କରିଛନ୍ତି। ସମସ୍ତ ସାକ୍ଷ୍ୟମାନଙ୍କ ବୟାନ ଅନୁସାରେ ପ୍ରମାଣ ଅଭାବରୁ ନୂଆପଡ଼ା ଜିଲା ପୋଲିସ ଅଧିକ୍ଷକ କାର୍ଯ୍ୟାଳୟରେ କାର୍ଯ୍ୟରତ ଡିଷ୍ଟ୍ରକ ହୁମାନ ରାଇଟ୍ ପ୍ରୋଟେକ୍ସନ ସେଲ (ଡିଏଚ୍ଆର୍ପିସି) ଉପ ଆରକ୍ଷୀ ଅଧିକ୍ଷକଙ୍କୁ ଖଲାସ କରିଛନ୍ତି। ସେ ହେଲେ ରବିନ୍ଦ୍ର କୁମାର ସେଠୀ।
ସୂଚନା ଅନୁଯାୟୀ, ୨୦୧୯ରେ ଏକ ଆଦିବାସୀ ଓ ହରିଜନ ପ୍ରତିକାର ଆଇନ ଅନୁଯାୟୀ ଅଭିଯୋଗକାରୀଙ୍କୁ ମାନବ ଅଧିକାର ସୁରକ୍ଷା ସେଲର ରିପୋର୍ଟ ପ୍ରଦାନ କରିବା ପାଇଁ ନରସିଂହପୁର ଗାଁର ଜଗଦୀଶ ଛୁରାଠାରୁ ରବୀନ୍ଦ୍ର ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କୋରାପୁଟ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ। କୋରାପୁଟ ଭିଜିଲାନ୍ସ ଥାନା କେସ ନଂ.୪/୨୦୧୯ରେ ମାମଲା ରୁଜୁ କରାଯାଇ ଅଭିଯୋଗ ଫର୍ଦ୍ଧ ଦାଖଲ କରାଯାଇଥିଲା ା ସେହି ମାମଲାର ଶୁଣାଣି କରି ଶନିବାର ସ୍ବତନ୍ତ୍ର ଭିଜିଲାନ୍ସ ବିଚାରପତି ବଦ୍ରି ନାରାୟଣ ପ୍ରମାଣ ଅଭାବରୁ ରବୀନ୍ଦ୍ରଙ୍କୁ ଖଲାସ କରିଛନ୍ତି ା ଅଭିଯୁକ୍ତଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଦିଲ୍ଲୀପ କୁମାର ସା ମାମଲା ପରିଚାଳନା କରୁଥିଲେ।