Categories: ଜାତୀୟ

କଂଗ୍ରେସକୁ ବଡ଼ ଝଟ୍‌କା: ୫କାଉନସିଲର ଛାଡିଲେ ହାତ

ଚଣ୍ଡିଗଡ଼,୨୭।୪: ପଞ୍ଜାବ ବିଧାନସଭା ନିର୍ବାଚନରେ ବହୁମତରେ ବିଜୟ ହାସଲ କରିବା ପରେ ଆମ ଆଦମୀ ପାର୍ଟି(ଏଏପି)ର ପରିସର ଏବେ ବୃଦ୍ଧି ପାଇବାରେ ଲାଗିଛି। ଡେରା ବାସି ମ୍ୟୁନିସିପାଲିଟିର ୫ଜଣ କାଉନସିଲର ଏଏପିରେ ଯୋଗଦେଇଛନ୍ତି। ଡେରା ବାସିର ଏଏପି ବିଧାୟକ କୁଲଜିତ୍‌ ରାନ୍ଧୱା ଏନେଇ ଦାବି କରିଛନ୍ତି। କୁଲଜୀତ ରନ୍ଧଓ୍ବାଙ୍କ ସହ ୫ଜଣ କାଉନ୍‌ସିଲରଙ୍କ ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅନ୍ୟପଟେ କଂଗ୍ରେସ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଛି। କଂଗ୍ରେସ କହିଛି ଯେ, ଏହି କାଉନସିଲରମାନେ ଏକ ସାମାଜିକ କାର୍ଯ୍ୟକ୍ରମ ପାଇଁ ବିଧାୟକଙ୍କ ସହ ନଜର ଆସିଥିଲେ। କିନ୍ତୁ ଯେଉଁ ଫଟୋ ଏବେ ସାମ୍ନାକୁ ଆସିଛି ସେଥିରେ କଂଗ୍ରେସ କାଉନସିଲର ହରଜିତ ସିଂ, ନେହା ଶର୍ମା, ରେଣୁୁ ନେହେରୁ ଏବଂ ଅଜିତ ପାଲଙ୍କ ବେକରେ ଏଏପି ପାର୍ଟିର ପ୍ରତୀକ ମଫଲରକୁ ଦେଖିବାକୁ ମିଳିଛି। ଅପରପକ୍ଷେ ଡେରା ବାସିର ବିଧାୟକ କହିଛନ୍ତି, ସମସ୍ତ ୫ଜଣ କାଉନସିଲର ଏଏପିରେ ଯୋଗ ଦେଇଛନ୍ତି। ମିଳିତ ଭାବେ ଆମେ ବିଧାନସଭା ନିର୍ବାଚନମଣ୍ଡଳୀର ବିକାଶ କରିବୁ ବୋଲି କୁଲଜିତ ରନ୍ଧଓ୍ବା କହିଛନ୍ତି। ସୂଚାଯୋଗ୍ୟ, ପଞ୍ଜାବ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଅନେକ କଂଗ୍ରେସ ନେତା ସେମାନଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ଅଛନ୍ତି। ଏହାପୂର୍ବରୁ ଅମୃତସରରେ ମଧ୍ୟ କଂଗ୍ରେସ ଦଳର ଅନେକ କାଉନସିଲର ଏଏପିରେ ଯୋଗଦେଇଥିଲେ। ବର୍ତ୍ତମାନ ଆଉ କେତେକ ସ୍ଥାନରେ ବି ସମାନ ଘଟଣା ଦେଖିବାକୁ ମିଳୁଛି।

Share