Categories: ଜାତୀୟ

ରାମ ରହିମ୍‌ଙ୍କୁ ଆଜୀବନ ଜେଲ୍‌

ନୂଆଦିଲ୍ଲୀ,୧୮।୧୦: ରଣଜିତ ସିଂ ହତ୍ୟା ମାମଲାରେ ସୋମବାର ଏକ ସ୍ବତନ୍ତ୍ର ସିବିଆଇ କୋର୍ଟ ଡେରାମୁଖୀ ରାମ ରହିମଙ୍କ ସମେତ ୫ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହ ରାମ ରହୀମଙ୍କ ଉପରେ ୩୧ ଲକ୍ଷ ଟଙ୍କା ଜୋରିମାନା ମଧ୍ୟ ଦିଆଯାଇଛି। ଅନ୍ୟପକ୍ଷରେ ଅନ୍ୟ ଅଭିଯୁକ୍ତଙ୍କ ଉପରେ ୫୦ ହଜାର ଟଙ୍କା ଜୋରିମନା ଲଗାଯାଇଛି। ଗତ ମଙ୍ଗଳବାର କୋର୍ଟ ଏହି ମାମଲାରେ ନିଜର ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ ଏବଂ ଅକ୍ଟୋବର ୧୮ରେ ଦଣ୍ଡ ଘୋଷଣା ପାଇଁ ସ୍ଥିର କରାଯାଇଥିଲା। ସୁରକ୍ଷାକୁ ଦୃଷ୍ଟିରେ ରଖି ହରିୟାଣାର ପଞ୍ଚକୁଲା ଜିଲାରେ ୧୪୪ ଧାରା ଲାଗୁ କରାଯାଇଛି।
ଜୁଲାଇ ୧୦, ୨୦୦୨ରେ, ଡେରାର ପରିଚାଳନା କମିଟିର ସଦସ୍ୟ ଥିବା କୁରୁକ୍ଷେତ୍ରର ରଞ୍ଜିତ ସିଂଙ୍କୁ ହତ୍ୟା କରାଯାଇଥିଲା। ପୋଲିସର ତଦନ୍ତରେ ଅସନ୍ତୁଷ୍ଟ ହୋଇ ରଣଜିତଙ୍କ ପିତା ଜାନୁଆରୀ ୨୦୦୩ ରେ ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ। ଏହି ଘଟଣାର ତଦନ୍ତ ବେଳେ ସିବିଆଇ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ୨୦୦୭ରେ, କୋର୍ଟ ଅଭିଯୁକ୍ତଙ୍କ ଉପରେ ଅଭିଯୋଗ କରିଥିଲେ। ସାଧବୀଙ୍କ ଯୌନ ଶୋଷଣ ମାମଲାରେ ଗୁରୁମିତ ରାମ ରହୀମଙ୍କୁ ୨୦ ବର୍ଷ ଦଣ୍ଡିତ କରାଯାଇଛି ଏବଂ ସେ ଖବରଦାତା ରାମଚନ୍ଦ୍ର ଛତ୍ରପତି ହତ୍ୟା ମାମଲାରେ ସୁନାରିଆ ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି।

Share