ଡେରେକ୍‌ ଚଉଭିନ୍‌ ଦୋଷୀ

ଓ୍ବାଶିଂଟନ୍‌, ୨୨ା୪: ଆମେରିକାର କୃଷ୍ଣକାୟ ଜର୍ଜ ଫ୍ଲୟଡ୍‌ଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ମିନିଆପଲିସ୍‌ର ପୂର୍ବତନ ପୋଲିସ ଅଫିସର ଡେରେକ୍‌ ଚଉଭିନ୍‌(୪୫)ଙ୍କୁ ହେନେପିନ୍‌ କାଉଣ୍ଟି କୋର୍ଟ ମଙ୍ଗଳବାର ଦୋଷୀ ସାବ୍ୟସ୍ତ କରିଛନ୍ତି। ପ୍ରାୟ ୧୦ ଘଣ୍ଟା ଧରି ବିଚାର ଚାଲିବା ପରେ କୋର୍ଟ ତାଙ୍କୁ ୩ଟି ମାମଲାରେ ଦୋଷୀ ବୋଲି ରାୟ ଦେଇଥିଲେ। ୬ ଜଣ ଶ୍ୱେତାଙ୍ଗ, ୬ ଅଣଶ୍ୱେତାଙ୍ଗ ବିଚାରପତି ଓ ଅନ୍ୟ ଜଜ୍‌ ୨ ଦିନରେ ପ୍ରାୟ ୧୦ ଘଣ୍ଟା ଏହି ମାମଲା ଉପରେ ଆଲୋଚନା କରିଥିଲେ। ପରେ ଚଉଭିନ୍‌ଙ୍କୁ କୌଣସି ଉଦ୍ଦେଶ୍ୟ ନ ଥାଇ ହତ୍ୟା (ସେକେଣ୍ଡ ଡିଗ୍ରୀ ଚାର୍ଜ), ଥାର୍ଡ ଡିଗ୍ରୀ ମର୍ଡର ଓ ସେକେଣ୍ଡ ଡିଗ୍ରୀ କାରଣ ରହିତ ହତ୍ୟା ଚାର୍ଜରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହାସହ ଚଉଭିନ୍‌ଙ୍କ ଅନ୍ୟ ୩ ସହଯୋଗୀଙ୍କୁ ମଧ୍ୟ କୋର୍ଟ ଦୋଷୀ ଅଭିହିତ କରିଛନ୍ତି। ୮ ସପ୍ତାହ ମଧ୍ୟରେ ଚଉଭିନଙ୍କୁ ଦଣ୍ଡାଦେଶ ଦିଆଯିବ ବୋଲି ଜଣାଯାଇଛି। ସୁରକ୍ଷା ଦୃଷ୍ଟିରୁ ରାୟ ଦେଇଥିବା ବିଚାରପତିଙ୍କ ନାଁ ଗୋପନ ରଖାଯାଇଛି। ଏହି ରାୟକୁ ଜୋ ବାଇଡେନ୍‌ ସରକାରଙ୍କ ସମେତ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ସ୍ବାଗତ କରିଛନ୍ତି।
୨୦୨୦ ମେ ୨୫ରେ ଏକ ଦୋକାନରେ ୨୦ ଡଲାରର ନକଲି ବିଲ୍‌ ବ୍ୟବହାର ଅଭିଯୋଗରେ ଆମେରିକା ପୋଲିସ ଫ୍ଲୟଡ୍‌ଙ୍କୁ ଗିରଫ କରିଥିଲା। ଡେରେକ ଚଉଭିନ୍‌ ଫ୍ଲୟଡ୍‌ଙ୍କ ବେକକୁ ୯ ମିନିଟ୍‌ ୩୮ ସେକେଣ୍ଡ ଆଣ୍ଠୁରେ ଚାପି ଧରିଥିଲେ। ସାହାଯ୍ୟ ପାଇଁ ଚିତ୍କାର କରୁଥିଲେ ହେଁ ପୋଲିସ ତାଙ୍କ କଥା ଶୁଣି ନ ଥିଲା। ଅଣନିଶ୍ୱାସୀ ହୋଇ ସେଠାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଫ୍ଲୟଡ୍‌ ଜଣେ କୃଷ୍ଣକାୟ ହୋଇଥିବାରୁ ପୋଲିସ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ଆଣି ମିନିଆପଲିସ୍‌ ସହ ସମଗ୍ର ଆମେରିକାରେ ବିକ୍ଷୋଭ ଆରମ୍ଭ ହୋଇଥିଲା। ବର୍ଣ୍ଣବୈଷମ୍ୟ ବିରୋଧୀ ଆନ୍ଦୋଳନ ‘ବ୍ଲାକ୍‌ ଲାଇଭ୍‌ସ ମ୍ୟାଟର’ ବିଶ୍ୱକୁ ବ୍ୟାପିଥିଲା। ସେହି ବର୍ଷ ଜୁଲାଇରେ ଫ୍ଲୟଡ୍‌ଙ୍କ ପରିବାର ପକ୍ଷରୁ ସହର ପ୍ରଶାସନ ବିରୋଧରେ ନାଗରିକ ଅଧିକାର ଉଲ୍ଲଂଘନ ନେଇ ମାମଲା ରୁଜୁ ହୋଇଥିଲା। ଗତ ମାର୍ଚ୍ଚ ୧୩ରେ ଫ୍ଲୟଡ୍‌ଙ୍କ ପରିବାର ସହ ବୁଝାମଣା ପାଇଁ ମିନିଆପଲିସ୍‌ ସିଟି କାଉନ୍‌ସିଲ ଚୁକ୍ତିନାମା ସ୍ବାକ୍ଷର କରିଥିଲା। ଏହି ଚୁକ୍ତି ଅନୁସାରେ ମିନିଆପଲିସ୍‌ ଫ୍ଲୟଡ୍‌୍‌ଙ୍କ ପରିବାରକୁ ୨୭ ମିଲିୟନ ଡଲାର (ପ୍ରାୟ ୧୯୬.୨୬ କୋଟି ଟଙ୍କା) ଦେବ ବୋଲି ସ୍ଥିର ହୋଇଥିଲା।

Share