କାର୍ଯ୍ୟରେ ଅବହେଳା: ଦୁଇ ପ୍ରଧାନଶିକ୍ଷକଙ୍କ ବଦଳି

କେନ୍ଦୁଝର,୨ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର ଦୁଇ ଜଣ ପ୍ରଧାନଶିକ୍ଷକଙ୍କ କାର୍ଯ୍ୟରେ ଅବହେଳା ଯୋଗୁ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆଧାରରେ ବଦଳି କରାଯାଇଛି। ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଜଙ୍ଗିରା ଆଶ୍ରମ ସ୍କୁଲର ପ୍ରଧାନଶିକ୍ଷକ ମନୋରଞ୍ଜନ ପାତ୍ରଙ୍କୁ ଝୁମ୍ପୁରା ବ୍ଲକସ୍ଥିତ ତେଲିଅର୍ଶଳା ଆଶ୍ରମ ସ୍କୁଲକୁ ବଦଳି କରାଯାଇଥିବା ବେଳେ ସେହି ବିଦ୍ୟାଳୟର ପ୍ରଧାନଶିକ୍ଷକ କାର୍ତ୍ତିକେଶ୍ୱର ମହାନ୍ତଙ୍କୁ ଜଙ୍ଗିରାର ଆଶ୍ରମ ବିଦ୍ୟାଳୟକୁ ବଦଳି କରାଯାଇଛି।

ସୂଚନାଯୋଗ୍ୟ, ମନୋରଞ୍ଜନ ପାତ୍ର ନିୟମିତ ବିଦ୍ୟାଳୟକୁ ଯାଉ ନ ଥିବା ଏବଂ ଅନ୍ତେବାସୀ ଛାତ୍ରୀଛାତ୍ରଙ୍କୁ ମେନ୍ୟୁ ଅନୁଯାୟୀ ଖାଦ୍ୟ ନ ଦେବା ଘଟଣାରେ କେନ୍ଦୁଝର ପିଏ ଆଇଟିଡିଏ ତପନ କୁମାର ନାଏକ ହଠାତ୍‌ ପରିଦର୍ଶନ ବେଳେ ଜାଣିବାକୁ ପାଇଥିଲେ। ଏହାପରେ ତାଙ୍କ ଦରମା ବନ୍ଦ କରାଯାଇଥିଲା। ସେହିଭଳି ତେଲିଅର୍ଶଳା ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ କାର୍ତ୍ତିକେଶ୍ୱର ମହାନ୍ତଙ୍କ ବିରୋଧରେ ବିଦ୍ୟାଳୟ ହତା ମଧ୍ୟରୁ ମୂଲ୍ୟବାନ ଗଛ ବିନା ଅନୁମତିରେ ବାହାର ଲୋକଙ୍କୁ ଡକାଇ କଟାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ବନ ବିଭାଗ ମଧ୍ୟ କାଠ ଜବତ କରି ମାମଲା ରୁଜୁ କରାଯାଇଥିଲା। ଏହି ଘଟଣାରେ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନ ନଆଯାଇ କେବଳ ଲୋକ ଦେଖାଣିଆ ଭାବେ ବଦଳି କରାଯାଇଛି । ଦୁଇ ଜଣ ଯାକ ପ୍ରଧାନ ଶିକ୍ଷକଙ୍କୁ ଉଚ୍ଚ ବିଦ୍ୟାଳୟକୁ ବଦଳି କରିବାର ବିକଳ୍ପ ଥିଲେ ମଧ୍ୟ ପ୍ରଶାସନ ସେମାନଙ୍କୁ ଦଣ୍ଡ ବିଧାନ ନ କରି ପୁରସ୍କାର ସ୍ବରୂପ ସେମାନଙ୍କୁ ଆଶ୍ରମ ବିଦ୍ୟାଳୟକୁ ପୁନଃଶ୍ଚ ବଦଳି କରିବା ପ୍ରଶାସନର ସ୍ବଚ୍ଛତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଆଶ୍ରମ ବିଦ୍ୟାଳୟର ବହୁ ପ୍ରଧାନଶିକ୍ଷକ ଗୋଟିଏ ବିଦ୍ୟାଳୟରେ ବହୁ ବର୍ଷ ଧରି କାର୍ଯ୍ୟ କରୁଥିଲେ ମଧ୍ୟ ସେମାନଙ୍କୁ ଉଚ୍ଚ ବିଦ୍ୟାଳୟକୁ ବଦଳି କରାଯାଉନାହିଁ। ଫଳରେ ଆଶ୍ରମ ବିଦ୍ୟାଳୟରେ ଅବ୍ୟବସ୍ଥା ବଢ଼ିବଢ଼ି ଚାଲିଛି।

Share