ଜୟପୁର, ୩୧।୭: ଅନେକ ଲୋକ ବଡ଼ ପଦବୀରେ ଅବସ୍ଥାପିତ ହେବାପରେ ଆଧୁନିକତାର ଆଲୋକରେ ହଜିଯାଇ ସର୍ବପ୍ରଥମେ ନିଜ ପରମ୍ପରାକୁ ଭୁଲିଯାଆନ୍ତି। କିନ୍ତୁ ରାଜସ୍ଥାନର ମହିଳା ଆଇଏଏସ୍ ଅଫିସର ମୋନିକା ଯାଦବ ସମ୍ପୂର୍ଣ୍ଣ ରୂପେ ଏହାର ବିପରୀତ। ମୋନିକାଙ୍କ ଦେଶୀ ଲୁକ୍ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ଫଟୋ ଭାଇରାଲ ହେବା ପଛରେ ଆଇଏଏସ୍ ଅଫିସର ମୋନିକାଙ୍କ ସରଳତା ଓ ପରମ୍ପରା ପ୍ରତି ରହିଥିବା ଦୁର୍ବଳତା ପ୍ରମୁଖ ଅଟେ। ଏହି କାରଣରୁ ଝିଅ ଜନ୍ମ ହେବାପରେ ମୋନିକା ପ୍ରଥମେ ତାଙ୍କ ପରମ୍ପରାକୁ ଅନୁସରଣ କରିଥିଲେ।
ସିକର ଜିଲାର ଶ୍ରୀମାଦୋରପୁର ତହସିଲ ଲିସାଦିଆ ଗ୍ରାମର ମୋନିକା ଯାଦବ ଜଣେ ଆଇଏଏସ୍ ଅଫିସର। ମୋନିକା ୨୦୧୭ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ୪୦୩ତମ ର଼୍ୟାଙ୍କ ଲାଭ କରିଥିଲେ। ଏହାପରେ ସେ ଭାରତୀୟ ରେଳ ଟ୍ରାଫିକ ସେବା ପାଇଁ ମନୋନୀତ ହୋଇଥିଲେ। ଆଇଏଏସ୍ ଅଫିସର ସୁଶୀଲ ଯାଦବଙ୍କୁ ବିବାହ କରିଥିବା ମୋନିକା ଗତ ମାର୍ଚ୍ଚରେ ଏକ କନ୍ୟା ସନ୍ତାନ ପ୍ରସବ କରିଥିଲେ ଏବଂ ସେ ବର୍ତ୍ତମାନ ମାଟରନିଟି ଲିଭରେ ରହିଛନ୍ତି। ମାତୃତ୍ୱ ଲାଭ ପରେ ମୋନିକା ଏକ ଶାଢ଼ୀ ପିନ୍ଧି ମୁଣ୍ଡରେ ଓଢ଼ଣୀ ଦେଇ ଝିଅକୁ କୋଳରେ ଧରିଥିବାର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏଥିରୁ ତାଙ୍କର ସାମାଜିକ ପରମ୍ପରା ସହିତ ରହିଥିବା ଘନିଷ୍ଠତା ଜଣାପଡ଼ୁଛି। ମୋନିକାଙ୍କ ଏହି ଫଟୋକୁ ଲୋକମାନେ ବେଶ୍ ପ୍ରଶଂସା କରିବା ସହିତ ଗାଁ ପ୍ରତି ରହିଥିବା ମମତ୍ୱକୁ ପ୍ରଶଂସା କରିଛନ୍ତି।